ଶ୍ରୀରାଧାଷ୍ଟମୀ ତିଥି ପାଳନ ପୂର୍ବରୁ ଜାଣନ୍ତୁ ଏହାର ମହତ୍ତ୍ୱ ଓ ଶୁଭ ମୁହୂର୍ତ୍ତ

ଯେତେବେଳେ ଶ୍ରୀକୃଷ୍ଣଙ୍କ ନାମ ସ୍ମରଣ କରାଯାଇଥାଏ ସେତେବେଳେ ଶ୍ରୀରାଧାଙ୍କ ନାମ ସ୍ୱତଃ ଆମର ସ୍ମରଣରେ ଆସି ଯାଇଥାଏ । ଏହି ନାମ ଦ୍ୱୟ ସବୁଦିନ ପାଇଁ ଯୋଡିହୋଇ ରହିଛି। ଶ୍ରୀରାଧାଙ୍କ ନାମ ବ୍ୟତୀତ ଶ୍ରୀକୃଷ୍ଣଙ୍କ ନାମ ନେଲେ କୌଣସି ସୁଫଳ ମିଳିନଥାଏ ବୋଲି ନିଜେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି । ତେଣୁ ଶ୍ରଦ୍ଧାଳୁଙ୍କ ନିକଟରେ ଶ୍ରୀରାଧାଙ୍କ ମହତ୍ତ୍ୱ ଗୁରୁତ୍ୱ ଦେବାକୁ ନିଜେ ଶ୍ରୀକୃଷ୍ଣ ଏପରି କହିଛନ୍ତି ।

ଭାଦ୍ରବ ଅଷ୍ଟମୀ ତିଥିରେ ଶ୍ରୀରାଧାଷ୍ଟମୀ ପାଳନ କରାଯାଏ । ଚଳିତ ବର୍ଷ ରାଧାଷ୍ଟମୀ ସେପ୍ଟେମ୍ବର ୧୪ ତାରିଖରେ ପଡୁଛି । ଏହି ପଵିତ୍ର ଦିବସ ଅବସରରେ ଆସନ୍ତୁ ଜାଣିବା ରାଧାଷ୍ଟମୀ ପାଳନ କରିବାର ମହତ୍ତ୍ୱ ଓ ଏହାର ଶୁଭ ମୁହୂର୍ତ୍ତ ।

ରାଧାଷ୍ଟମୀ ମହତ୍ତ୍ୱ : ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀ ଭଳି ରାଧାଷ୍ଟମୀ ର ମହତ୍ତ୍ୱ ଅନେକ ରହିଛି । କୁହାଯାଏ ରାଧାଷ୍ଟମୀ ବ୍ରତ କଲେ ମନୁଷ୍ୟ ର ସମସ୍ତ ପାପ ନାଶ ହୋଇଥାଏ । ବିବାହିତ ମହିଳାମାନେ ଶ୍ରୀରାଧାଷ୍ଟମୀ ବ୍ରତ ଅଖଣ୍ଡ ସୌଭାଗ୍ୟବତୀ, ସୁଖ ସମୃଦ୍ଧି ଓ ଶାନ୍ତି ପାଇଁ ରଖିଥାନ୍ତି । କେବଳ ଏତିକି ନୁହେଁ ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ରାଧାଷ୍ଟମୀ ବ୍ରତ ପାଳନ କରାଯାଇଥାଏ । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଶ୍ରୀରାଧାଙ୍କୁ ପ୍ରଶନ୍ନ କରି ଦିଅନ୍ତି, ଶ୍ରୀକୃଷ୍ଣ ଆପେ ଆପେ ସେହି ମନୁଷ୍ୟ ଉପରେ ପ୍ରଶନ୍ନ ହୋଇ ଯାଆନ୍ତି । ତେଣୁ କୁହାଯାଏ ଶ୍ରୀକୃଷ୍ଣଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ଶ୍ରୀରାଧାଙ୍କୁ ପ୍ରଶନ୍ନ କରିବାକୁ ପଡ଼ିଥାଏ । ଶ୍ରୀରାଧାଷ୍ଟମୀ ବ୍ରତ କରିବା ଦ୍ୱାରା ଗୃହକୁ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଓ ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ ।

ରାଧାଷ୍ଟମୀ ଶୁଭ ମୁହୂର୍ତ୍ତ : ୧୪ ସେପ୍ଟେମ୍ବର, ମଙ୍ଗଳବାର – ରାଧାଷ୍ଟମୀ ବ୍ରତ

ଅଷ୍ଟମୀ ତିଥି ଆରମ୍ଭ : ୧୩ ସେପ୍ଟେମ୍ବର ସୋମବାର ଅପରାହ୍ନ ୦୩ ଟା ୧୦ ରୁ ଆରମ୍ଭ ହୋଇ ୧୪ ସେପ୍ଟେମ୍ବର ମଙ୍ଗଳବାର ମଧ୍ୟାହ୍ନ ୧ଟା ୦୯ ପର୍ଯ୍ୟନ୍ତ ରହିଛି। ମଙ୍ଗଳବାର ଅଷ୍ଟମୀ ତିଥିରେ ଅମୃତବେଳା ଦିବା ଘ୮।୨ ମଧ୍ୟରେ କିମ୍ବା ଦିବା ଘ ୯।୩୯ ଗତେ ଦିବା ଘ୧୨ । ୬ ମଧ୍ୟରେ ଶ୍ରୀରାଧା ରାଣୀଙ୍କୁ ଗଙ୍ଗା ଜଳ କିମ୍ବା ପଞ୍ଚାମୃତ ରେ ଅଭିଷେକ କରିବା ବିଧେୟ। ଶ୍ରୀରାଧା ରାଣୀଙ୍କ ବିଗ୍ରହ ନଥିଲେ ସ୍ୱସ୍ତିକ ଚିନ୍ହ ଅଙ୍କିତ କରି ତା ଉପରେ ଗଳି ଗୁଆ ରଖି ଅଭିଷେକ କରିବେ।ଏହି ସମୟରେ ଗୃହରେ ଶଙ୍ଖ, ଘଣ୍ଟା ଓ ଘଣ୍ଟି ନାଦ କରିବେ। ଏହାପରେ ନାନା ସ୍ୱାଦିଷ୍ଟ ବ୍ୟଞ୍ଜନ ଦ୍ୱାରା ନୈବେଦ୍ୟ ଅର୍ପଣ କରି ଗୃହରେ ଯଥାଶକ୍ତି ମହୋତ୍ସବ କରିବା ବାଞ୍ଚନିୟ।

Comments are closed.