ମହାନଦୀରେ ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା ନ ଥିବା କହିଲେ ଏସଆରସି, ବର୍ଷା କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର – ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ଏସଆରସି ପ୍ରଦୀପ ଜେନା । ବୈଠକ ପରେ ସେ ସୂଚନା ଦେଇଛନ୍ତି ଯେ, ମହାନଦୀରେ ବନ୍ୟା ସ୍ଥିତି ଉପୁଜିବାର ଆଶଙ୍କା ନାହିଁ । ବର୍ଷା କ୍ଷୟକ୍ଷତିର ଆକଳନ କରିବାକୁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨-୩ ସପ୍ତାହ ମଧ୍ୟରେ କ୍ଷୟକ୍ଷତି ସହାୟତା ଦିଆଯିବ ବୋଲି ସେ କହିଛନ୍ତି ।

ମହାନଦୀର ଜଳସ୍ତର ହ୍ରାସ ପାଇଁ ହୀରକୁଦ ବନ୍ଧର ୬ଟି ଗେଟ୍ ଖୋଲାଯାଇପାରେ । ଏହା ହେଲେ ୫ରୁ ୬ କ୍ୟୁସେକ ପାଣି କଟକ ଦେଇ ପ୍ରବାହିତ ହେବ ବୋଲି ଏସଆରସି କହିଛନ୍ତି । ସେ କହିଛନ୍ତି ଯେ, ୧୦ଟି ଜିଲ୍ଲାରେ ୨୦୦ ମିମି ବର୍ଷା ହୋଇଛି । ନବରଙ୍ଗପୁର ଜିଲ୍ଲାକୁ ଛାଡି ଅନ୍ୟ ସବୁ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ଅସ୍ତରଙ୍ଗ, କାକଟପୁର,ବୀରମହାରାଜପୁରରେ ୫୦୦ ମିମି ଉପରେ ବର୍ଷା ହୋଇଛି । ୬ଟି ବ୍ଲକରେ ୪୦୦ ମିମିରୁ ଅଧିକ ବର୍ଷା ହୋଇଥିବା ସେ ସୂଚନା ଦେଇଛନ୍ତି ।

Comments are closed.