ବିସ୍ରା ବ୍ଲକରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ , ସୂଚନା ପ୍ରଯୁକ୍ତି , କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବିସ୍ରା ବ୍ଲକ୍‌ରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ନୂଆ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲାଠାରେ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ପାଇଁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପରେ ବିଭିନ୍ନ ବ୍ଲକ୍‌ରେ ମନ୍ତ୍ରୀଗଣ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ଏହି କାର୍ଡ ବଣ୍ଟନ କରିଥିଲେ । ଏହି ଯୋଜନାରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ତିନିକୋଟି ଲୋକ ଉପକୃତ ହେବାକୁ ଥିବାବେଳେ ଗତ ଅଗଷ୍ଟ ୨୦ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଥମେ ଏହାକୁ ମାଲକାନଗିରି ଜିଲ୍ଲାରେ ଶୁଭାରମ୍ଭ କରିଥିଲେ ।

ଏହି କ୍ରମରେ ଆଜି ମନ୍ତ୍ରୀ ତୁଷାରକାନ୍ତି ବେହେରା ସୁନ୍ଦରଗଡ଼ ଜିଲ୍ଲାର ବିସ୍ରା ବ୍ଲକରେ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ କରିବା ସହ ଏହାର ଉପକାରିତା ବିଷୟରେ ବୁଝାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି କଲ୍ୟାଣକାରୀ ଯୋଜନା ଫଳରେ ସାଧାରଣ ଗରିବ ଲୋକଟିକୁ ଆଉ ଚିକିତ୍ସା ପାଇଁ ଜମିବାଡ଼ି ବିକ୍ରି କରିବାକୁ ପଡ଼ିବ ନାହିଁ । ବିନା କୌଣସି ଅସୁବିଧାରେ ଏହି କାର୍ଡ ଜରିଆରେ ଦେଶର ୨୦୦ ବଡ଼ ବଡ଼ ହସ୍‌ପିଟାଲ୍‌ରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା ହିତାଧିକାରୀଙ୍କୁ ବୁଝାଇଥିଲେ ।

ସ୍ଵାସ୍ଥ୍ୟସେବାକୁ ରାଜ୍ୟର କୋଣ – ଅନୁକୋଣରେ ପ୍ରତ୍ୟେକ ବ୍ୟକ୍ତି ନିକଟରେ ଉପଲବ୍ଧ କରାଇବା ଏବଂ ବିଭିନ୍ନ ସରକାରୀ ସୁବିଧାକୁ ହିତାଧିକାରୀଙ୍କ ଦୁଆର ନିକଟରେ ପହଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି , ତାହାକୁ ପାଳନ କରିବା ନେଇ ମନ୍ତ୍ରୀ ତୁଷାରକାନ୍ତି ବେହେରା ଆସନ୍ତାକାଲି ମଧ୍ୟ ବିସ୍ରା ବ୍ଲକ୍‌ର ବିଭିନ୍ନ ଗ୍ରାମପଞ୍ଚାୟତ ଗସ୍ତ କରି ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରିବେ ।

Comments are closed.