ରାଜ୍ୟରେ ଶନିବାର ଆସିପାରେ ବନ୍ୟା, ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ଟିମ୍ ସଜାଗ ରହିଥିବା ନେଇ ଏସଆରସିଙ୍କ ସୂଚନା

ଭୁବନେଶ୍ୱର – ରାଜ୍ୟରେ ଶନିବାର କିଛି ଜିଲ୍ଲାରେ ବନ୍ୟା ଆସିବା ଆଶଙ୍କା ରହିଛି । ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବୈତରଣୀର ଜଳସ୍ତର ବଢିଥିଲେ ମଧ୍ୟ ବିଶେଷ କ୍ଷତି ହେବ ନାହିଁ । କେନ୍ଦୁଝରରେ ବର୍ଷା ହୋଇଥିବା ଯୋଗୁଁ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ବ୍ରାହ୍ମଣୀ ନଦୀର ଉପରମୁଣ୍ଡରେ ବର୍ଷା ଫଳରେ ଜଳସ୍ତର ବଢିଛି । ଏଣେ ଜଳସ୍ତର ବୃଦ୍ଧି ପାଇଥିବାରୁ ରେଙ୍ଗାଳି ଜଳଭଣ୍ଡାରର ଗୋଟିଏ ଗେଟ୍ ଖୋଲାଯାଇଛି । ଯାଜପୁର ଓ ଭଦ୍ରକରେ ବୈତରଣୀର ଜଳସ୍ତର ବିପଦ ସଂକେତ ଉପରେ ରହିିଛି । ଛତିଶଗଡରେ ପ୍ରବଳ ବର୍ଷା ଫଳରେ ହୀରାକୁଦ ଜଳସ୍ତର ବଢିଛି ବୋଲି ଏସଆରସି କହିଛନ୍ତି । ଶନିବାର ସକାଳେ ମୁଣ୍ଡଳୀ ପାଖରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେବ ବୋଲି ଏସଆରସି କହିଛନ୍ତି । ପରିସ୍ଥିତିକୁ ଦେଖି ଉଦ୍ଧାର କାର୍ଯ୍ୟ କରାଯିବ । ବନ୍ୟା କ୍ଷୟକ୍ଷତିର ମୁକାବିଲା ପାଇଁ ଓଡ୍ରାଫର ମୋଟ ୩୦ଟି ଟିମ୍ ସଜାଗ ଅଛନ୍ତି । ଉପକୂଳ ଜିଲ୍ଲାରେ ଓଡ୍ରାଫ, ଏନଡିଆରଏଫ୍ , ଅଗ୍ନିଶମ ଟିମକୁ ଆଲର୍ଟ ରଖାଯାଇଛି ।

Comments are closed.