ଶ୍ରୀରାଧାକୁଣ୍ଡ ସମସ୍ତ ତୀର୍ଥଙ୍କ ସଂଗମସ୍ଥଳ

ଶ୍ରୀରାଧକୁଣ୍ଡ : ଭଗବାନ ଶ୍ରୀକୃଷ୍ଣ ବୃଷଭାକାର ଅରିଷ୍ଟସୁର କୁ ବଦ୍ଧ କରି ଗୋ ହତ୍ୟା ଦୋଷରୁ ମୁକ୍ତି ପାଇଁ ସମସ୍ତ ତୀର୍ଥବୃନ୍ଦ ଙ୍କୁ ଏକତ୍ରିତ କରି ଏକ କୁଣ୍ଡ ସୃଷ୍ଟି କଲେ ଯାହା ଶ୍ୟାମକୁଣ୍ଡ ଭାବରେ ପ୍ରସିଦ୍ଧି ଲାଭ କଲା।

ଶ୍ୟାମକୁଣ୍ଡ ପ୍ରତିଷ୍ଠା ପରେ ଶ୍ରୀକୃଷ୍ଣ ନିଜ ମୁଖରେ ଶ୍ରୀରାଧା ରାଣୀ ଙ୍କୁ ତାର୍ତ୍ସଲ୍ୟ କରି କହିଥିଲେ ମୁଁ ଆଜି ଯେଉଁ କୁଣ୍ଡ ସ୍ଥାପନ କଲି ଏହି କୁଣ୍ଡରେ ତ୍ରିଭୁବନ ର ସମସ୍ତ ତୀର୍ଥ ବିଦ୍ୟମାନ। କିନ୍ତୁ ତୁମେମାନେ ଏପରି କିଛି ଭଲକର୍ମ କରିନାହଁ ଯାହାଦ୍ୱାରା ତୁମର ଏପରି କିଛି କୀର୍ତ୍ତି ଏ ଭୁ- ମଣ୍ଡଳରେ ସ୍ଥାପିତ ହେବ। ଏହିକଥା ଶୁଣି ଶ୍ରୀରାଧିକା ଲଜ୍ଜିତ ହେଲେ । ପରବର୍ତୀ ସମୟରେ ନିଜର ସଖୀମାନଙ୍କୁ ଶ୍ରୀରାଧିକା ଏକ ଭବ୍ୟକୁଣ୍ଡ ଖନନ ପାଇଁ ନିବେଦନ କଲେ। ପ୍ରାଣପ୍ରିୟା ସଖୀ ମାନେ ଆଦେଶ ପାଇ ଏକ ସୁନ୍ଦର କୁଣ୍ଡ ଖନନ କଲେ। କିନ୍ତୁ ସେହି କୁଣ୍ଡରୁ କୌଣସି ଜଳ ନିର୍ଗତ ହେଲା ନାହିଁ କି କୌଣସି ତୀର୍ଥଙ୍କର ମଧ୍ୟ ଆଗମନ ହେଲାନାହିଁ। ଏହି ଘଟଣା ରେ ଶ୍ରୀରାଧିକା ଙ୍କ ସହିତ ସମସ୍ତ ସଖୀ ଚିନ୍ତିତ ହୋଇ ପଡିଲେ। ପାଖରେ ଥିବା ଭଗବାନ ଶ୍ରୀକୃଷ୍ଣ ଏହା ଦେଖି ଶ୍ରୀରାଧିକା ଙ୍କୁ ନିବେଦନ କଲେ , ହେ ଶ୍ରୀରାଧିକା! ତୁମେ ତୁମ ସଖୀ ମାନଙ୍କ ସାହାଯ୍ୟରେ ମୋର ଏହି କୁଣ୍ଡରୁ ତୀର୍ଥଜଳ ନେଇ ତୁମର ନବ ନିର୍ମିତ କୁଣ୍ଡ କୁ ପୂର୍ଣ୍ଣ କର। ଏହାଶୁଣି ଶ୍ରୀରାଧିକା ଶ୍ରୀକୃଷ୍ଣ ଙ୍କୁ କହିଲେ ତୁମର ଏ କୁଣ୍ଡ ଜଳ ଗୋବଦ୍ଧ ପାତକ ସଂଶ୍ଲିଷ୍ଟ।ଏହା ଅଶୁଦ୍ଧ। ମୁଁ ମାନସ ଗଙ୍ଗାରୁ ଶତକୋଟି କୁମ୍ଭ ରେ ଜଳ ଆଣି ମୋ କୁଣ୍ଡ ପୂର୍ଣ୍ଣ କରିବି। ଏହି ସମୟରେ ଶ୍ରୀକୃଷ୍ଣଙ୍କ ଇଙ୍ଗିତରେ ସମସ୍ତ ତୀର୍ଥ ନିଜର ଦିବ୍ୟ ସ୍ୱରୂପ ଧାରଣ କରି ଶ୍ରୀଶ୍ରୀରାଧିକାଙ୍କ ପଦ ବନ୍ଦନା କରିବାକୁ ଲାଗିଲେ। କହିଲେ ହେ ଦେବୀ ଆମ୍ଭମାନେ ଶ୍ରୀକୃଷ୍ଣଙ୍କ ପଦା ଘାତ ରୁ ସୃଷ୍ଟ ଏହି ପବିତ୍ର କୁଣ୍ଡ କୁ ଆଶ୍ରୟ କରି ରହିଛୁ। ଏଥିରେ ତିଳେ ମାତ୍ର ସନ୍ଦେହ ତଥା ପାପ ର କାରଣ ହିଁ ନାହିଁ। ଅତଏବ ଆମ୍ଭେମାନେ ଆପଣ ଙ୍କ କୁଣ୍ଡ କୁ ଆଗମନ କରି ସଫଳ ମନୋରଥ ହେବୁ। ଏହାପରେ ଶ୍ୟାମକୁଣ୍ଡ ଗତ ସମସ୍ତ ତୀର୍ଥ ପ୍ରବାହିତ ହୋଇ ରାଧାକୁଣ୍ଡ କୁ ନିଜ ନିଜ ଜଳ ଦ୍ୱାରା ପରିପୂର୍ଣ୍ଣ କଲେ। ଏହିପରି ଶ୍ରୀରାଧାକୁଣ୍ଡ ପ୍ରକଟ ହେଲେ। କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିର ମଧ୍ୟ ରାତ୍ରରେ ଏହା ସଂଘଟିତ ହୋଇଥିଲା।

ଶ୍ରୀରାଧାକୁଣ୍ଡ ପ୍ରକଟ ହେବାପରେ ଭଗବାନ ଶ୍ରୀକୃଷ୍ଣ କହିଲେ ହେ ରାଧିକେ! ମୋ କୁଣ୍ଡ ଅପେକ୍ଷା ତୁମ କୁଣ୍ଡର ମହିମା ଜଗତରେ ଅଧିକ ରହିବ। ମୁଁ ପ୍ରତିଦିନ ଏହି କୁଣ୍ଡରେ ସ୍ନାନ କରିବି। ଶ୍ରୀ ରାଧିକା ମଧ୍ୟ ଭଗବାନ ଶ୍ରୀକୃଷ୍ଣ ଙ୍କୁ କହିଲେ ମୁଁ ମଧ୍ୟ ମୋ ସଖୀ ମାନଙ୍କ ସହ ପ୍ରତିଦିନ ଏହି ଶ୍ୟାମ କୁଣ୍ଡରେ ସ୍ନାନ କରିବି। ଯେଉଁ ମନୁଷ୍ୟ ଏହି ଶ୍ରୀରାଧାକୁଣ୍ଡ ଓ ଶ୍ୟାମକୁଣ୍ଡ ସ୍ନାନ କରିଵ ସିଏ ତାର ଗୋ ହତ୍ୟା , ବ୍ରହ୍ମହତ୍ୟା ଦୋଷ କଟିବା ସହିତ ରାଜସୁୟ ଯଜ୍ଞ ଫଳ ଲାଭ କରିବ। କ୍ରମଶଃ

Comments are closed.