ଅଭାବନୀୟ ଘଟଣା, ସନ୍ଦେହରେ ଆସି ସ୍କୁଲରେ ପଶି ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ହତ୍ୟା କରିବାକୁ ଶିକ୍ଷକ ସ୍ୱାମୀଙ୍କ ଉଦ୍ୟମ

ବଲାଙ୍ଗୀର – ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଥାନା ଦୁର୍ଗାପାଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିିଛି । ସନ୍ଦେହରେ ଆସି ନିଜ ଶିକ୍ଷୟିତ୍ରୀ ପତ୍ନୀଙ୍କର ଜୀବନ ନେବାକୁ ଚେଷ୍ଟା କରିଛନ୍ତି ଜଣେ ଶିକ୍ଷକ ପତି । ସ୍କୁଲରେ ପଶି ନିଜ ପତ୍ନୀଙ୍କ ତଣ୍ଟି କାଟିଦେଇ ହତ୍ୟା ଉଦ୍ୟମ କରିଛନ୍ତି ଜଣେ ଶିକ୍ଷକ । କିନ୍ତୁ ସୌଭାଗ୍ୟକ୍ରମେ ପତ୍ନୀ ବଂଚିଯାଇଛନ୍ତି । ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷୟିତ୍ରୀ ଅଛନ୍ତି ସଞ୍ଜୁରାଣୀ ଦେବତା । ତାଙ୍କ ସ୍ୱାମୀ ପ୍ରଦୀପ ପଣ୍ଡା ମଧ୍ୟ ଜଣେ ଶିକ୍ଷକ । ସେ ଟିଟିଲାଗଡ ନିକଟସ୍ଥ ସିଉଲଗାଁ ସ୍କୁଲରେ ସଂସ୍କୃତ ଶିକ୍ଷକ । ଦୁଇବର୍ଷ ତଳେ ଉଭୟଙ୍କ ବିବାହ ହୋଇଥିଲା । ଭିନ୍ନ ଭିନ୍ନ ଜାଗାରେ ଚାକିରୀ କରୁଥିବାରୁ ଅଲଗା ରହୁଥିଲେ ସ୍ୱାମୀ ଓ ସ୍ତ୍ରୀ । ହେଲେ ସ୍ୱାମୀ ପ୍ରଦୀପଙ୍କ ମନରେ ସ୍ତ୍ରୀ ପ୍ରତି ସନ୍ଦେହ ରହିଥିଲା । ଆଜି ହଠାତ୍ ପ୍ରଦୀପ ଦୁର୍ଗାପାଲି ଗାଁ ଯାଇଥିଲେ । ସ୍କୁଲରେ ଥିଲେ ସ୍ତ୍ରୀ ସଞ୍ଜୁରାଣୀ । ପ୍ରଦୀପ ସ୍କୁଲରେ ଧସେଇ ପଶି ସଞ୍ଜୁରାଣୀଙ୍କ ତଣ୍ଟି କାଟିବାକୁ ଉଦ୍ୟମ କରିଥିଲେ । ମାତ୍ର ସ୍କୁଲରେ ଥିବା ଅନ୍ୟ କର୍ମଚାରୀମାନେ ତାଙ୍କୁ ବାଧା ଦେଇ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରିଥିଲେ । ଶିକ୍ଷୟିତ୍ରୀ ସଞ୍ଜୁରାଣୀ ସାମାନ୍ୟ ଆହତ ହୋଇଥିବା ବେଳେ ସ୍ୱାମୀ ପ୍ରଦୀପଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

Comments are closed.