କୁକୁର ହତ୍ୟାକାରୀ ଜଳଖିଆ ଦୋକାନୀ ଗିରଫ

ଚୌଦ୍ୱାର – କୁକୁର ହତ୍ୟାକାରୀ ଜଳଖିଆ ଦୋକାନୀ ଗିରଫ । କଟକ ଜିଲ୍ଲା ଚୌଦ୍ୱାର ଥାନା ଶଙ୍କରପୁର ଗାଁରେ ୨୦ରୁ ଅଧିକ କୁକୁରଙ୍କୁ ବିଷ ଦେଇ ମାରିଥିବା ଜଳଖିଆ ଦୋକାନୀ ଅଜୟ କୁମାର ସାହୁଙ୍କୁ ଗିରଫ କରାଯାଇଛି । ତାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଅଜୟ, ଗୁଲୁଗୁଲାରେ ବିଷଦେଇ କୁକୁରମାନଙ୍କୁ ମାରିଥିବା ଅଭିଯୋଗ ହୋଇଛି । ଶଙ୍କରପୁର ଗାଁରେ ତିନି ଦିନ ଭିତରେ ୨୦ରୁ ଅଧିକ କୁକୁର ମରିପଡିଥିଲେ । ଏହି ଘଟଣା ବିରୋଧରେ ଗାଁ ଲୋକେ ଥାନାରେ ଅଭିଯୋଗ କରିଥିଲେ । କେବଳ ଗତକାଲି ୧୦ଟି କୁକୁର ମରିପଡିଥିଲେ । ହଠାତ୍ କୁକୁରମାନେ ମରିଯାଉଥିବାର କାରଣ ଖୋଜିବା ପାଇଁ ଖୋଳତାଡ ଆରମ୍ଭ କରିଥିଲେ ଗାଁ ଲୋକେ । ଜଳଖିଆ ଦୋକାନ ଆଗରେ କୁକୁରମାନେ ଏକାଠି ହୋଇ ମଳତ୍ୟାଗ କରୁଥିବାରୁ ଉଦବିଗ୍ନ ହୋଇ ଦୋକାନୀ ଅଜୟ ସାହୁ ସେମାନଙ୍କୁ ବିଷ ଦେଇ ମାରୁଥିବା ଜଣାପଡିଲା ପରେ ତାଙ୍କ ବିରୋଧରେ ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ । ଏହାପରୋ ପୋଲିସ ଅଜୟଙ୍କୁ ଗିରଫ କରିଛି ।

Comments are closed.