ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପାଇଁ ଓମ୍ବାଡିସି ପାଣ୍ଠିରୁ ୫୩୩ କୋଟି ୪୦ ଲକ୍ଷ ଟଙ୍କାର ପ୍ରକଳ୍ପ ମଂଜୁରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା , ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ ଦେବ , ଓମ୍ବାଡିସିର ମୁଖ୍ୟ ନିର୍ବାହୀ ଅଧିକାରୀ ଉମାନାନ୍ଦୁରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଉପସ୍ଥିତିରେ ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକର ନିଷ୍ପତ୍ତି ଅନୁଯାୟୀ ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧୀନରେ ନୂତନ ଭାବେ ୮୮୯ ସ୍କୁଲ ପାଇଁ ୫୩୩ କୋଟି ୪୦ ଲକ୍ଷ ଟଙ୍କାର ନୂତନ ପ୍ରକଳ୍ପ ଅନୁମୋଦନ ପାଇଁ ଓମ୍ବାଡିସିଙ୍କୁ ପ୍ରେରଣ କରାଯାଇଥିଲା । ଓମ୍ବାଡିସି ବୋର୍ଡ କମିଟି ଦ୍ବାରା ଗୃହୀତ ହୋଇଥିଲା ଏବଂ ୫୩୩ କୋଟି ୪୦ ଲକ୍ଷ ଟଙ୍କା ଓମ୍ବାଡିସି ବୋର୍ଡ ଦ୍ୱାରା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଏହା ଦ୍ଵାରା ଆଦିବାସୀ ଓ ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀ ଆନନ୍ଦଦାୟିକ ଶିକ୍ଷା ପାଇପାରିବେ ।

ବୈଠକର ନିଷ୍ପତ୍ତି ଅନୁଯାୟୀ ଅନୁଗୋଳ ଜିଲ୍ଲାର ୧୬ଟି ସ୍କୁଲ ପାଇଁ ୯ କୋଟି ୬୦ ଲକ୍ଷ ଟଙ୍କା , ଦେବଗଡ଼ର ୪୭ ସ୍କୁଲ ପାଇଁ ୨୮ କୋଟି ୨୦ ଲକ୍ଷ ଟଙ୍କା , ଢେଙ୍କାନାଳ ଜିଲ୍ଲାର ୧୭ଟି ସ୍କୁଲ ପାଇଁ ୧୦ କୋଟି ୨୦ ଲକ୍ଷ ଟଙ୍କା , ଯାଜପୁର ଜିଲ୍ଲାର ୧୯୫ ସ୍କୁଲ ପାଇଁ ୧୧୭ କୋଟି ଟଙ୍କା , ଝାରସୁଗୁଡ଼ା ଜିଲ୍ଲାର ୮୦ଟି ସ୍କୁଲ ପାଇଁ ୪୮ କୋଟି ଟଙ୍କା , ମୟୂରଭଞ୍ଜ ଜିଲ୍ଲାର ୩୩୯ଟି ସ୍କୁଲ ପାଇଁ ୨୦୩ କୋଟି ୪୦ ଲକ୍ଷ ଟଙ୍କା ଏବଂ ସୁନ୍ଦରଗଡ଼ ଜିଲ୍ଲାର ୧୯୫ଟି ସ୍କୁଲ ପାଇଁ ୧୧୭ କୋଟି ଟଙ୍କା ହାଇସ୍କୁଲ ରୂପାନ୍ତରୀକରଣ ପାଇଁ ମଂଜୁର ହୋଇଛି । ପ୍ରତି ସ୍କୁଲ ପାଇଁ ୬୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାବେଳେ ଏହି ସ୍କୁଲଗୁଡ଼ିକରେ ସ୍ମାର୍ଟ କ୍ଲାସ୍‌ରୁମ୍ , ବିଜ୍ଞାନାଗାର , ଇ-ପାଠାଗାର , ସ୍କୁଲ ପରିବେଶର ଉନ୍ନତିକରଣ , ପୁରାତନ ଛାତ୍ର ସଂଘ ଏବଂ ସ୍କୁଲ ପରିଚାଳନା କମିଟି ଦ୍ବାରା ସ୍କୁଲ ପରିଚାଳନା ଓ ପିଲାମାନଙ୍କ ଦକ୍ଷତା ବିକାଶ ପରିଚାଳନା ଆଦି ଏହି ଅର୍ଥରୁ ଭରଣା କରାଯିବ ।

ସେହିପରି ସ୍ମାର୍ଟ ବୋର୍ଡ , ଡିଜିଟାଲ୍ କ୍ଲାସ୍ ରୁମ୍ ପାଇଁ ଆବଶ୍ୟକୀୟ ଉପକରଣ ପରି ଆଇ.ସି.ଟି ଉପକରଣ , ସ୍କୁଲ ମୁଖ୍ୟଦ୍ଵାରର ପରିବର୍ତ୍ତନ , ଖେଳପଡ଼ିଆର ଉନ୍ନତିକରଣ , ପାଠ୍ୟଖସଡ଼ାର ଉନ୍ନତିକରଣ , ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍ଵତନ୍ତ୍ର ତାଲିମ ଆଦି ପାଇଁ ମଧ୍ୟ ଏହି ଅର୍ଥ ଖର୍ଚ୍ଚ କରାଯିବ । ଗୋଷ୍ଠୀ ସଂପୃକ୍ତିକରଣ ଏବଂ ପୁରାତନ ବିଦ୍ୟାର୍ଥୀଙ୍କ ସହ ସ୍କୁଲ କମିଟିର ଯୋଗାଯୋଗ ମାଧ୍ୟମରେ ଏହି କାର୍ଯ୍ୟକ୍ରମଗୁଡ଼ିକର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାନସସନ୍ତାନ ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି । ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଦ୍ବାରା ରାଜ୍ୟର ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ସମସ୍ତ ଉପସ୍ଥିତ ସଭ୍ୟସଭ୍ୟ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତ୍ବାରିତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

ଏହି ବୈଠକରେ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା , ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଶାସନ ସଚିବ ଭାସ୍କର ଶର୍ମା , ଓଡ଼ିଶା ସ୍କୁଲ ଶିକ୍ଷା ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.