ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ: ଚମକିବ ଝାରସୁଗୁଡ଼ା ଜିଲ୍ଲାର ୧୮ ହାଇସ୍କୁଲ

୪ଟି ହାଇସ୍କୁଲର ନବୀକରଣ ଶେଷ,

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପଣ

ଝାରସୁଗୁଡ଼ା : ବର୍ତ୍ତମାନ ସାରା ରାଜ୍ୟରେ ୫ଟି ଅଧୀନରେ ସରକାରୀ ହାଇସ୍କୁଲ ଗୁଡିକର ରୂପାନ୍ତରୀକରଣ କାମ ଜୋରସୋରରେ ଚାଲିଛି । ଏଥିରେ ସ୍କୁଲ ଗୁଡିକର ଭିତ୍ତିଭୂମି ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ତେବେ , ଏହି କାର୍ଯ୍ୟକ୍ରମ ଅଧୀନରେ ଝାରସୁଗୁଡା ଜିଲ୍ଲାର ୧୮ଟି ହାଇସ୍କୁଲର ନବକଳେବର ହେବାକୁ ଯାଉଥିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିରୁ ୪ଟି ସ୍କୁଲର ନବୀକରଣ କାମ ଶେଷ ହୋଇସାରିଛି । ଆସନ୍ତାକାଲି ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଏହି ୪ଟି ସ୍କୁଲର ଲୋକାର୍ପଣ ହେବାକୁ ଯାଉଛି ।

ଝାରସୁଗୁଡା ଜିଲ୍ଲାରେ ମୋଟ୍ ୬୪ଟି ସରକାରୀ ତଥା ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ ରହିଛି । ଏଥିରୁ ୫ଟି ଅଧୀନରେ ପ୍ରଥମ ପର୍ଯ୍ୟାୟରେ ୨୫ଟି ହାଇସ୍କୁଲର ରୂପାନ୍ତରୀକରଣ ପାଇଁ ନିଷ୍ପତ୍ତି ହୋଇଥିଲା । ସେଥିରୁ ୧୮ଟି ହାଇସ୍କୁଲର କାମ ଜାରି ରହିଛି । ସରକାରୀ ହାଇସ୍କୁଲ ଗୁଡ଼ିକରେ ଭିତ୍ତିଭୂମିର ବିକାଶ ସହ ଅତ୍ୟାଧୁନିକ ଶିକ୍ଷାଦାନ ବ୍ୟବସ୍ଥା ପାଇଁ ଆବଶ୍ୟକ ପରିବେଶ ସୃଷ୍ଟି ଲାଗି ପଦକ୍ଷେପ ନିଆଯାଉଛି । ସ୍ମାର୍ଟ କ୍ଳାସରୁମ , ଇ – ଲାଇବ୍ରେରୀ , ଆଇସିଟି ଲ୍ୟାବ ଆଦି ପ୍ରତିଷ୍ଠା ସହ ଖେଳ ପଡ଼ିଆ , ବଗିଚା ଆଦିର ଉନ୍ନତିକରଣ କରାଯାଉଛି । ତେବେ , ବର୍ତ୍ତମାନ ସୁଦ୍ଧା ୪ଟି ସ୍କୁଲର ନବୀକରଣ କାମ ସଂପୂର୍ଣ୍ଣ ହେବା ପରେ ଏଗୁଡିକ ଝଲସି ଉଠୁଛି । ସେହି ସ୍କୁଲ ଗୁଡିକୁ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଭର୍ଚୁଆଲ୍ ମାଧ୍ୟମରେ ଉଦଘାଟନ କରିବେ ।

ରାଜ୍ୟ ସରକାରଙ୍କ ଅନୁଦାନ ସହ ଜିଲ୍ଲା ଖଣିଜ ପାଣ୍ଠିରୁ ମଧ୍ୟ ଅନୁଦାନ ପ୍ରଦାନ କରାଯାଉଛି । ନିର୍ମାଣ କାର୍ଯ୍ୟ ପାଇଁ ପ୍ରତି ସ୍କୁଲକୁ ୬୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପୁଷା ମିଞ୍ଜ କହିଛନ୍ତି । ଉଦଘାଟନ ହେବାକୁ ଥିବା ଚାରିଟି ସ୍କୁଲ ମଧ୍ୟରେ ରହିଛି ଲଖନପୁର ବ୍ଲକର ତିଲିଆ ହାଇସ୍କୁଲ , ବେଲପାହାଡ଼ ପୌରାଂଚଳର ଜିଏଲ ହାଇସ୍କୁଲ , ଲଇକେରା ବ୍ଲକର ଭାତଲଇଡ଼ା ହାଇସ୍କୁଲ ଏବଂ ସାହାସପୁର ହାଇସ୍କୁଲ । ଏସବୁ ହାଇସ୍କୁଲର ଭିତ୍ତିଭୂମିରେ ବିରାଟ ପରିବର୍ତ୍ତନ ସହ ଏକ ଉତ୍ତମ ଶୈକ୍ଷିକ ବାତାବରଣ ତଥା ପ୍ରାକୃତିକ ପରିବେଶ ସୃଷ୍ଟି ପାଇଁ ଉଦ୍ୟମ ହୋଇଛି ।

Comments are closed.