ହାତ ପାଆନ୍ତାରେ ସୁଲଭ ସରକାରୀ ସ୍ବାସ୍ଥ୍ୟ ସେବା : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଉପକୃତ ହେବେ ଗଜପତି ଜିଲ୍ଲାର ୪.୫ ଲକ୍ଷ ହିତାଧିକାରୀ

ପାରଳାଖେମୁଣ୍ଡି: ରାଜ୍ୟର ଅନ୍ୟତମ ଆଦିବାସୀବହୁଳ, ପାହାଡ଼ିଆ ତଥା ଦୁର୍ଗମ ଏବଂ ସୀମାବର୍ତ୍ତୀ ଜିଲ୍ଲା ଗଜପତି। ଭୌଗୋଳିକ କାରଣରୁ ଅନେକ ସ୍ଥାନ ଉପାନ୍ତ ଅଞ୍ଚଳ କହିଲେ ଅତ୍ୟୁକ୍ତି ହେବନାହିଁ। କିନ୍ତୁ ଖୁସିର ଖବର ଏହି ଜିଲ୍ଲା ନିକଟରେ ଦେଶର ଆକାଂକ୍ଷା ଜିଲ୍ଲା ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଏଭଳି ସ୍ଥିତିରେ ଏହି ଜିଲ୍ଲାବାସୀଙ୍କୁ ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ଉପହାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ଗଜପତି ଜିଲ୍ଲାର ୧ ଲକ୍ଷ ୩୪ ହଜାର ପରିବାରକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ର ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ପାରଳାଖେମୁଣ୍ଡି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ହିତାଧିକାରୀଙ୍କୁ ଏହି ସ୍ମାର୍ଟ କାର୍ଡ ବିତରଣ କରିଛନ୍ତି ଯାହା ଫଳରେ ଜିଲ୍ଲାର ପ୍ରାୟ ସାଢ଼େ ୪ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଉପକୃତ ହୋଇପାରିବେ। ଏଥିସହ ପ୍ରାୟ ୮୨୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଉଦ୍‌ଘାଟନ କରିଛନ୍ତି ବା ଶୁଭ ଦେଇଛନ୍ତି। ଜିଲ୍ଲାକୁ ପ୍ରଗତିର ପଥରେ ଆଗେଇ ନେବାକୁ ନିଜ ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି ସେ। ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ପାଇଁ ମହେନ୍ଦ୍ରଗିରିକୁ ଫୋକସ୍ କରି ଏକ ପ୍ରମୁଖ ଟୁରିଷ୍ଟ ସ୍ପଟ୍ ଭାବେ ବିକଶିତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଗଜପତି ଜିଲ୍ଲା ତାଙ୍କ ପାଇଁ ସ୍ବତନ୍ତ୍ର, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନକୁ ଭୁଲି ହେବନାହିଁ ବୋଲି ପ୍ରକାଶ କରି ଐତିହ୍ୟସମ୍ପନ୍ନ ଏହି ଜିଲ୍ଲାବାସୀଙ୍କୁ ପ୍ରଗତି ମାର୍ଗରେ ଆଗେଇଯିବାକୁ ସୁଯୋଗ ଭେଟି ଦେଇଛନ୍ତି।

ଗଞ୍ଜାମରୁ ପୃଥକ୍ ହେବା ପରେ ସ୍ବତନ୍ତ୍ର ଜିଲ୍ଲା ଭାବେ ଗଢ଼ି ଉଠିଥିଲା ଗଜପତି। ହେଲେ ପୂର୍ବବର୍ତ୍ତୀ ସରକାରମାନଙ୍କ ଅମଳରେ ଏହି ଜିଲ୍ଲାର ବିକାଶ ପ୍ରତି ସ୍ଵତନ୍ତ୍ର ଦୃଷ୍ଟିର ଅଭାବବୋଧ ପରିଲକ୍ଷିତ ହେଉଥିଲା। ତେବେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ନିଜ ଅମଳରେ ଏହି ଜିଲ୍ଲାର ସାମଗ୍ରୀକ ବିକାଶ ପ୍ରତି ଗୁରୁତ୍ଵ ଦେଇ ଆସିଛନ୍ତି। ସେଥିପାଇଁ ମହାବାତ୍ୟା ବିପର୍ଯ୍ୟୟ ପରେ ଏହି ଜିଲ୍ଲାକୁ ଗସ୍ତ କରି ଲୋକଙ୍କ ସୁଖଦୁଃଖ ବୁଝି ସେମାନଙ୍କ ଥଇଥାନ ପାଇଁ ଏକାଧିକ କାର୍ଯ୍ୟକୁ ବାସ୍ତବ ରୂପ ଦେଇଛନ୍ତି। ଆଉ ଏବେ ଏହି ଜିଲ୍ଲାର ସ୍ବାସ୍ଥ୍ୟ କ୍ଷେତ୍ରକୁ ସଶକ୍ତ କରିବା ସହ ଗଜପତିର ପ୍ରତିଟି ଯୋଗ୍ୟ ହିତାଧିକାରୀ ଯେଭଳି ସରକାରଙ୍କ ଦ୍ୱାରା ଉପଯୁକ୍ତ ଚିକିତ୍ସା ସୁବିଧା ସହଜ ଓ ସୁବିଧାରେ ପାଇପାରିବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ବିଏସ୍‌କେୱାଇ ସ୍ମାର୍ଟ ହେଲ୍‌ଥ୍ କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଜନାର ଶୁଭାରମ୍ଭ କରିବା ପରେ ୯ ଜଣ ମନ୍ତ୍ରୀ ଓ ୧୨ ଜଣ ରାଜ୍ୟସ୍ତରୀୟ ନେତା (ପରାମର୍ଶଦାତା) ଗଜପତି ଜିଲ୍ଲାରେ ରହି ସ୍ଥାନୀୟ ପ୍ରଶାସନ ଓ ବୁଦ୍ଧିଜୀବୀଙ୍କ ସହ ମିଶି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବେ। ଆସନ୍ତା ୭ ତାରିଖ ମଧ୍ୟରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତକୁ ଯାଇ ସ୍ବାସ୍ଥ୍ୟକାର୍ଡ ବଣ୍ଟାଯିବ। ଜିଲ୍ଲାର ୧୬୪ଟି ସ୍ଥାନରେ ଏଭଳି ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବିତରଣ କରାଯିବ ଯାହା ଫଳରେ କି ଲୋକେ କୌଣସି ବିଳମ୍ବ ବିନା ସରକାରୀ ସ୍ୱାସ୍ଥ୍ୟ ସେବାରୁ ତ୍ଵରିତ ଲାଭାନ୍ବିତ ହୋଇପାରିବେ। ସେମାନଙ୍କୁ କାର୍ଡ ପାଇବାକୁ କିମ୍ବା ସ୍ବାସ୍ଥ୍ୟ ସେବା ଅଧିକାରର ସୁଫଳ ହାସଲ କରିବାକୁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ିବନି।

ଆମକୁ ଏହି ହେଲଥ୍ କାର୍ଡ ମିଳିବା ସଙ୍ଗେ ସଙ୍ଗେ ମୋର ଏଇ ଯୋ ହାତ ଭାଙ୍ଗିଯାଇଛି, ସେଇଟାର ସଫଳ ଓ ସହଜରେ ଚିକିତ୍ସା କରାଇପାରିଛି ନବୀନ ପଟ୍ଟନାୟକଙ୍କ ସ୍କିମ୍ ଦ୍ୱାରା। ସେଥିପାଇଁ ମୁଁ ବହୁତ ବହୁତ ଧନ୍ୟବାଦ ଦେଉଛି ନବୀନ ପଟ୍ଟନାୟକଙ୍କୁ… ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ବିଏସ୍‌କେୱାଇ ବ୍ୟବସ୍ଥାକୁ ଉଚ୍ଚ ପ୍ରଶଂସା କରି ଏଭଳି କହିଛନ୍ତି ରାୟଗଡ଼ ବ୍ଳକ୍‌ର ଜଣେ ବରିଷ୍ଠ ନାଗରିକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାବାସୀଙ୍କୁ ହେଲଥ୍ କାର୍ଡ ବଣ୍ଟନ କରିଛନ୍ତି। ଏହାଦ୍ୱାରା ଆମେ ଗରିବ ଲୋକମାନେ ବିନା ପଇସାରେ ବଡ଼ ବଡ଼ ମେଡିକାଲରେ ଭଲ ହୋଇପାରିବୁ। ଏଥିପାଇଁ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଉଛୁ ବୋଲି କହିଛନ୍ତି ପାରଳାଖେମୁଣ୍ଡି ପୌରପାଳିକା ୭ ନମ୍ବର ୱାର୍ଡ ଟି.କୁମ୍ଭାର ସାହିର ଅମୃଦୁ ପାତ୍ର।

ଏହି ଯୋଜନା ତଥା ସ୍ମାର୍ଟ କାର୍ଡ ବାବଦରେ ହିତାଧିକାରୀଙ୍କୁ ସଚେତନ କରିବା ନିମନ୍ତେ ଜିଲ୍ଲା ତଥା ବ୍ଲକ୍ ପ୍ରଶାସନ ଦ୍ଵାରା ଗୋଷାଣୀ, ରାୟଗଡ଼ ଓ ଗୁମ୍ମା ସମେତ ସବୁ ବ୍ଲକ୍‌ରେ ଲିଫ୍‌ଲେଟ୍ ବିତରଣ କରାଯାଇଥିଲା। ଲୋକମାନେ ସେଥିରୁ ଏହି ସ୍କିମ୍ ଫାଇଦା ସମ୍ପର୍କରେ ଜାଣି ପାରି ବେଶ୍ ଖୁସି ହୋଇଥିଲେ। ଗଜପତି ଭଳି ଭୌଗୋଳିକ ଦୁର୍ଗମ ଜିଲ୍ଲାରେ ଏଣିକି ଲୋକଙ୍କୁ ସହଜରେ ବିଭିନ୍ନ ପ୍ରକାରର ସ୍ଵାସ୍ଥ୍ୟଜନିତ ସମସ୍ୟାର ଉତ୍ତମ ଚିକିତ୍ସା ସେବା ହିତାଧିକାରୀଙ୍କ ପକେଟରୁ ବିନା ଖର୍ଚ୍ଚରେ ମିଳିପାରିବ ବୋଲି ସେମାନେ ଏବେ ଆଶ୍ବସ୍ତ। ବଡ଼ ବଡ଼ ରୋଗର ଚିକିତ୍ସା ପାଇଁ ଖର୍ଚ୍ଚାନ୍ତ ହୋଇ ଗୋଟିଏରୁ ଆଉ ଗୋଟିଏ ଘରୋଇ ହସ୍ପିଟାଲକୁ ସେମାନଙ୍କୁ ଦୌଡ଼ିବାକୁ ପଡ଼ିବନି। ଏଣୁ ହର୍ଷୋଲ୍ଲାସିତ ଅଞ୍ଚଳବାସୀ ଏ ନେଇ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ବାସ୍ତବରେ ମୁଖ୍ୟମନ୍ତ୍ରୀଙ୍କ ମନର କଥା ‘ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ’ ଏବେ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ ହୋଇପାରିବ ବୋଲି ସେମାନେ ଦୃଢ଼ ଆଶାବାଦୀ।

ମୁଁ ଡାକ୍ତରଙ୍କୁ ଦେଖା କରିବା ପରେ ସେ କହିଲେ ଆପଣଙ୍କ ପ୍ରସବ ସମୟ ଉପନୀତ। ଆଡ୍‌ମିଟ୍ ହେବା ପରେ ମୋର ମାଗଣାରେ ସିଜରିଆନ୍‌ ଜରିଆରେ ପ୍ରସବ ହେଲା। ଏବେ ମୋର ୨ଟି ଛୁଆ ହେବାରୁ ମୁଁ ପରିବାର କଲ୍ୟାଣ ଅସ୍ତ୍ରୋପଚାର କରାଇଲି। ବିଏସ୍‌କେୱାଇରେ ସାର୍ ଏଇ ହସ୍ପିଟାଲରେ ମୋର ସବୁ ମାଗଣାରେ ଚିକିତ୍ସା, ରହିବା, ଖାଇବା, ଛୁଆ ଓ ମାଆର ଯତ୍ନ ସୁବ୍ୟବସ୍ଥା କରିଲେ… ଏଭଳି କହି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧରମବନ୍ଧ ଗାଁର ବିନିତା ସାହୁ।

ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟ୍ଵିଟର୍‌ ଜରିଆରେ ପ୍ରତିକ୍ରିୟା ପ୍ରକାଶ ପାଇଛି। “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ବାରା ଉପକୃତ ବିନିତା ସାହୁଙ୍କ ଖୁସି ଦେଖି ମୁଁ ଆନନ୍ଦିତ। ତାଙ୍କୁ ମୋର ଶୁଭକାମନା ଜଣାଇବା ସହ ଉତ୍ତମ ସେବା ସୁନିଶ୍ଚିତ କରିଥିବା ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି” ବୋଲି ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ। ଅର୍ଥାତ୍ କେବଳ ହିତାଧିକାରୀଙ୍କ ସୁବିଧାକୁ ଏହି ସ୍କିମ୍‌ରେ ନିଶ୍ଚିତ କରାଯାଇନି, ବରଂ ଡାକ୍ତର ଓ ବିଭିନ୍ନ କିସମର ସ୍ବାସ୍ଥ୍ୟକର୍ମୀଙ୍କୁ ସାଧୁବାଦ ଜଣାଇ ମୁଖ୍ୟମନ୍ତ୍ରୀ ଏକ ନଜିର ସୃଷ୍ଟି କରିଛନ୍ତି। ସରକାରୀ ଯୋଜନାରେ ବ୍ୟାପକ ସହଭାଗିତା ତଥା ସରକାରଙ୍କ କାର୍ଯ୍ୟକୁ ଉଚିତ ଭାବେ କାର୍ଯ୍ୟକାରୀ କରାଇବାରେ ଅଂଶୀଦାରଙ୍କୁ ମଧ୍ୟ ସମ୍ମାନ ଜଣାଇ ଜଣେ ଉତ୍ତମ ଶାସନ ମୁଖ୍ୟର ଉଦାହରଣ ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comments are closed.