ବିଜୁ ଆଶାକର୍ମୀ ସାମ୍ମୁଖ୍ୟ ଗଠନ ପରେ ଚିନ୍ତାରେ ବିଜେପି , କଂଗ୍ରେସ

ପଞ୍ଚାୟତ ନିର୍ବାଚନରେ କଡ ଲେଉଟାଇବ ଜିଲ୍ଲା ରାଜନୀତି !

ଭବାନୀପାଟଣା : ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇସାରିଛି । ଆଉ ତାଲିକା ପ୍ରକାଶ ପାଇବା ମାତ୍ରେ ସାରା ରାଜ୍ୟରେ ରାଜନୀତି ତାତି ଉଠିଲାଣି । ଏହି ପରିପ୍ରେକ୍ଷୀରେ ପଞ୍ଚାୟତ ଭୋଟ୍‌କୁ ନେଇ ଅଙ୍କକଷା ଆରମ୍ଭ ହୋଇସାରିଥିବା ବେଳେ ବିଜୁ ଆଶାକର୍ମୀ ସାମ୍ମୁଖ୍ୟ କଳାହାଣ୍ଡି ଜିଲ୍ଲାର ରାଜନୀତିକୁ ଅଧିକ ସରଗରମ କରି ଦେଇଛି । ଶନିବାର ଏହି ସାମ୍ମୁଖ୍ୟ ଗଠନ ପରେ ବିରୋଧୀ ବିଜେପି ଏବଂ କଂଗ୍ରେସ ଶିବିରରେ ଏକପ୍ରକାର ଛନକା ପଶିଗଲାଣି । କାରଣ , ଜିଲ୍ଲାର ସମସ୍ତ ଆଶାକର୍ମୀ ପଞ୍ଚାୟତ ନିର୍ବାଚନରେ ଏକପ୍ରକାର ନିର୍ଣାୟକ ଭୂମିକା ନେବେ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ଜୋର ଧରିଛି ।

ଗତ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତରେ ଜିଲ୍ଲାରେ ବିଜେପି ଭଲ ପ୍ରଦର୍ଶନ କରିଥିଲା । ଜିଲ୍ଲାର ୩୬ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ହାତକୁ ମାତ୍ର ଗୋଟିଏ ଆସନ ଆସିଥିଲା । ହେଲେ ୨୦୧୭ ନିର୍ବାଚନର ପ୍ରତିଶୋଧ ନେବା ଲକ୍ଷ୍ୟରେ ବର୍ତ୍ତମାନ ଠାରୁ ବିଜେଡି ଅଣ୍ଟା ଭିଡିଲାଣି । ଏହି ପରିପ୍ରେକ୍ଷୀରେ ଦଳ ବର୍ତ୍ତମାନ ଆଶାକର୍ମୀଙ୍କୁ ଏକଜୁଟ୍ କରି ବିରୋଧୀଙ୍କୁ ବର୍ତ୍ତମାନ ଠାରୁ ଏକ ଜବରଦସ୍ତ ଷ୍ଟ୍ରୋକ୍‌ ଦେଇଛି । ଶନିବାର ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପରେ ଶତାଧିକ ଆଶା କର୍ମୀଙ୍କ ଏକ ରୁଦ୍ଧଦ୍ବାର ସମାବେଶ କରାଯାଇ ସେମାନଙ୍କୁ ନେଇ ଏକ ନୂଆ ସଂଗଠନ ବିଜୁ ଆଶା କର୍ମୀ ସାମୁଖ୍ୟ ଗଠନ କରାଯାଇଛି । ଆଶା କର୍ମୀ ସାମ୍ମୁଖ୍ୟର ପୂର୍ବତନ ଅଧ୍ୟକ୍ଷା ନିବେଦିତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଜିଲ୍ଲାର ଜିଲ୍ଲାର ପ୍ରମୁଖ ବିଜେଡି ନେତା ଯୋଗଦେଇ ଉପସ୍ଥିତ ସମସ୍ତ ଆଶା କର୍ମୀଙ୍କୁ ବିଜୁ ସାମ୍ମୁଖ୍ୟରେ ସାମିଲ ହେବାକୁ ଆହ୍ବାନ କରିଥିଲେ । ସେହିପରି ବିଜେଡି ସରକାର ସବୁ ବେଳେ ଆଶାକର୍ମୀଙ୍କ ଉନ୍ନତି ପାଇଁ ପଦକ୍ଷେପ ନେଇ ଆସୁଥିବା ବେଳେ ଆଗାମୀ ଦିନରେ ସବୁ ଦାବି ପୂରଣ ସକାଶେ ଏହି ସାମ୍ମୁଖ୍ୟ କାମ କରିବ ବୋଲି ଆହ୍ୱାନ ଦିଆଯାଇଥିଲା ।

ଜିଲ୍ଲାର ଆଶା କର୍ମୀ ସଂଘର ନେତୃତ୍ବ ନେଉଥିବା ଶାନ୍ତି ମାଝୀଙ୍କୁ ସାମ୍ମୁଖ୍ୟର ସଭାପତି କରାଯାଇଥିବା ବେଳେ ଜିଲ୍ଲା ସଂଯୋଜକ ଭାବେ ଚିତ୍ତରଂଜନ ମଣ୍ଡଳକୁ ଦାୟିତ୍ବ ଦିଆଯାଇଛି । ବୈଠକରେ ବିଜୁ ଆଶା କର୍ମୀ ସାମ୍ମୁଖ୍ୟର ରାଜ୍ୟ କାର୍ଯ୍ୟକାରୀ ସଭାପତି ପଙ୍କଜିନୀ ନାୟକ , ସାଧାରଣ ସଂପାଦିକ ରୀତା ବେହେରା , ସଂଯୋଜକ ସରୋଜ ଭୂୟାଁ ପ୍ରମୁଖ ଯୋଗଦେଇଥିଲେ । ସେହିପରି କଳାହାଣ୍ଡି ଜିଲ୍ଲା ବିଜେଡି ମହିଳା ସଭାପତି ଲଳିତା ନାଏକ , ବିଜେଡି ଉପସଭାପତି ଜୀତେନ୍ଦ୍ର ମହାନ୍ତି , ଉପସଭାପତି ବାବୁଲି ମଣ୍ଡଳ , ଯୁବ ସଭାପତି ଆଦିତ୍ୟ ନନ୍ଦ , ବିଜେଡ଼ି ରାଜ୍ୟ ପରିଷଦ ସଦସ୍ୟ ସଚ୍ଚିଦାନନ୍ଦ ମହାଖୁଡ଼ ଯୋଗଦେଇ ବିଜୁ ଆଶାକର୍ମୀ ସମୁଖ୍ୟରେ ସମସ୍ତ ଆଶା କର୍ମୀ ସାମିଲ ହେବା ପାଇଁ ଉଦ୍‌ବୋଧନ ଦେଇଥିଲେ ।

ପ୍ରତି ଗାଁର ପ୍ରତି ୱାର୍ଡ଼ରେ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ ହେଉଥିବା ଏହି ମହିଳାମାନେ ପଞ୍ଚାୟତ ନିର୍ବାଚନରେ ବିଜେଡିର ବିଜୟ ପାଇଁ ପଥ ପରିଷ୍କାର କରିବେ ବୋଲି କୁହାଯାଉଛି । ସେହିପରି ଆଶାକର୍ମୀମାନେ ମଧ୍ୟ ଏହି ସାମ୍ମୁଖ୍ୟ ଦ୍ୱାରା ସେମାନଙ୍କ ସମସ୍ତ ଦାବି ପୂରଣ ହେବ ବୋଲି ଆଶାବାଦୀ ରହିଛନ୍ତି । ସେପଟେ , ବିଜେଡିର ଏହି ପଦକ୍ଷେପ ଦ୍ବାରା ବିରୋଧୀ ବିଜେପି ଏବଂ କଂଗ୍ରେସ ଶିବିରରେ ଛାନିଆଁ ପଶିଯାଇଛି । ହେଲେ ବିରୋଧୀ ବିଜେପି ତାର ପୁରୁଣା ଆସନକୁ ପୁଣି କବଜା କରିବା ବେଳକୁ ଦଳୀୟ ଅର୍ନ୍ତଦ୍ବନ୍ଦ୍ବ କାଳ ହେଲାଣି ।

ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ , ସ୍ଥାନୀୟ ସାଂସଦ ତଥା ବିଧାୟକ ଜିଲ୍ଲାର ଦଳୀୟ କର୍ମୀଙ୍କୁ ଅଣଦେଖା ବିଜେପିକୁ ସମସ୍ୟାରେ ପକାଇ ଦେଇଛି । ଆଉ କଂଗ୍ରେସ ଜିଲ୍ଲାରେ ଏକପ୍ରକାର ଶେଷ ନିଶ୍ବାସ ମାରିବା ସ୍ଥିତିକୁ ଆସିଲାଣି । ଫଳରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାରେ ରାଜନୀତି କଡ ଲେଉଟାଇବ ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା ଜୋର ଧରିଲାଣି ।

Comments are closed.