ଧରାହେଲା ଅନ୍‌ଲାଇନ୍‌ ବେଟିଂ କାରବାର, ୮ ଗିରଫ, ୮.୬୩ ଲକ୍ଷ ଜବତ

ବ୍ରହ୍ମପୁର: ତେଣେ ଖେଳାଯାଉଛି ଆଇପିଏଲ୍‌ କ୍ରିକେଟ୍‌ ମ୍ୟାଚ୍। ଏଣେ ଅନ୍‌ଲାଇନ୍‌ରେ ଚାଲୁଛି ବେଟିଂ। କିଏ ଜିତିବ, କିଏ ହାରିବ, କାହାର ସ୍କୋର୍ କେତେ ହେବ। କେଉଁ ବ୍ୟାଟର୍ କେତେ ରନ୍ କରିବ ଓ କେଉଁ ବୋଲର୍ କେତେ ଜଣଙ୍କୁ ଆଉଟ୍‌ କରିବ l ଲକ୍ଷ ଲକ୍ଷ ଟଙ୍କା ଜୁଆରେ ଲାଗୁଛି। ଏଭଳି ବେଆଇନ କାରବାରରେ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ। ଘଟଣାସ୍ଥଳରୁ ଜବତ ହୋଇଛି ୮,୬୩, ୨୦୦ ଟଙ୍କା ଏବଂ ୧୧ଟି ମୋବାଇଲ୍। ଗିରଫ ଅଭିଯୁକ୍ତମାନେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ, ଗୋସାଇଁନୂଆଗାଁ, ଅମ୍ବିକା ନଗର, ବିଜିପୁର ଓ ନିକଟସ୍ଥ ହଳଦିଆପଦର ଅଞ୍ଚଳର ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୈଦ୍ୟନାଥପୁରର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ଲାଞ୍ଜିପଲ୍ଲୀ ପାଢୀ କଲୋନୀର ଜଗନ୍ନାଥ ଚୌଧୁରୀଙ୍କ ଘରେ ଚଢଉ କରିଥିଲା। ସେଠାରୁ ଆଇପିଏଲ୍‌ ବେଟିଂ କାରବାରର ପର୍ଦ୍ଦାଫାସ ହୋଇଥିଲା। ଗିରଫ ୮ ଜଣଙ୍କୁ କୋର୍ଟଚାଲାଣ କରିଛି ପୋଲିସ। ବୈଦ୍ୟନାଥପୁର ଥାନାରେ କେସ୍‌ ନମ୍ବର ୨୭୩ /୧୧.୧୦.୨୧ ରୁଜୁ କରାଯାଇ ତଦନ୍ତ ଚାଲିଛି। ମୋବାଇଲ୍ ଜରିଆରେ ୨ଟି ୱେବ୍‌ସାଇଟ୍‌ ମାଧ୍ୟମରେ ଅନ୍‌ଲାଇନ୍‌ରେ ବେନିୟମ ଟଙ୍କା କାରବାର ଚାଲୁଥିଲା। ଗତବର୍ଷ ମଧ୍ୟ ପୋଲିସ ଆଇପିଏଲ ରାକେଟ ଧରପଗଡ଼ କରିଥିବା ବେଳେ ପୂଜା ପାର୍ବଣ ସମୟରେ ଜୁଆ ଖେଳ ଉପରେ ଧରପଗଡ଼ ଜାରି ରହିଛି।

Comments are closed.