ପୋଲିସର ରାପିଡ୍ ଅପରେସନ, ଲୁଟ୍‌ର କମ୍ ସମୟ ମଧ୍ୟରେ ଧରାପଡିଲେ ଏଟିଏମ କ୍ୟାସ ଭ୍ୟାନର ଲୁଟେରା, ଡିଜିପିଙ୍କ ସାବାସୀ

ଭୁବନେଶ୍ୱର – ଢେଙ୍କାନାଳ ଖୁଂଟୁକଟା ନିକଟରୁ ଏଟିଏମ ଭ୍ୟାନ ଲୁଟ୍ ଘଟଣାରେ ସାମିଲ ଥିବା ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ଅଛି । ପୋଲିସ ଡିଜି ଅଭୟ ଏହି ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତିଙ୍କଠାରୁ ୧ କୋଟି ୫ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି । ଏହି ଘଟଣାରେ ତ୍ୱରିତ ଧରପଗଡ କରି ଲୁଟେରାମାନଙ୍କୁ ଧରିଥିବାରୁ ଡିଜିପି ଉଭୟ ଢେଙ୍କାନାଳ ଓ କଟକ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ।

ଏସବିଆଇ ଏଟିଏମରେ ଟଙ୍କା ଲୋଡ୍ କରିବା ପାଇଁ ଦିନ ଗୋଟାଏରେ ଏକ କ୍ୟାସ୍ ଭ୍ୟାନ୍ ଆଠଗଡରୁ ତିଗିରିଆ ଯାଉଥିଲା । କର୍ମଚାରୀମାନେ ଖାଇବା ପାଇଁ ଏକ ଢାବା ନିକଟରେ ଅଟକି ରହିଥିଲେ । ସେତେବେଳେ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଡିଜେଆର୍ ଗାଡିରେ ଆସି ଏଟିଏମ୍ କ୍ୟାସ ଭ୍ୟାନ କର୍ମଚାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଭ୍ୟାନକୁ ଧରି ଚଂପଟ ମାରିଥିଲେ । କିଛି ବାଟଗଲା ପରେ ନିଛାଟିଆ ରାସ୍ତାରେ କ୍ୟାସ ଭ୍ୟାନରୁ ଟଙ୍କା କାଡି ପଳାଇଯାଇଥିଲେ । ଏ ସଂପର୍କରେ ଖବର ପାଇଁ ଆଠଗଡ ପୋଲିସ ଆଖପାଖ ଅଂଚଳର ଥାନାକୁ ଖବର ଦେଇଥିଲା । ଲୁଟେରାମାନଙ୍କୁ ଧରିବା ପାଇଁ ଢେଙ୍କାନାଳ ପୋଲିସ ମଧ୍ୟ ତତ୍ପରତା ଦେଖାଇଥିଲା । ସଦର ଥାନା ପୋଲିସ ୩ ଲୁଟେରାଙ୍କୁ ଢେଙ୍କାନାଳ ଜିଲ୍ଲା ସଦାଶିବପୁର ଭୋଜଦେଇପୁର ଗାଁରୁ ଧରିଥିଲା । ସେମାନଙ୍କଠାରୁ ୧ କୋଟି ୫ ଲକ୍ଷ ଟଙ୍କା ଓ ୪ଟି ପିସ୍ତଲ ଜବତ କରାଯାଇଛି ।

Comments are closed.