ଆଜି ପବିତ୍ର ମହାଷ୍ଟମୀ, ‘ମହାଗୌରୀ’ ରୂପରେ ପୂଜା ପାଇବେ ମା’

ନବରାତ୍ରୀର ଅଷ୍ଟମୀ ତିଥିରେ ମା’ ଦୁର୍ଗା ‘ମହାଗୌରୀ’ ରୂପରେ ପୂଜା ପାଆନ୍ତି। ମା’ଙ୍କ ଏହି ‘ମହାଗୌରୀ’ ରୂପ ଧାରଣ ସମ୍ପର୍କରେ ଦେବୀ ପୁରାଣରେ ସୁନ୍ଦର ବର୍ଣ୍ଣନା ରହିଛି। ପୁରାଣ କଥା ଅନୁସାରେ, ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ମା’ ପାର୍ବତୀ କଠୋର ତପସ୍ୟା କରିଥିଲେ। ଅନ୍ନ, ଜଳ ତ୍ୟାଗକରି ସାଧନା କରିବା ଫଳରେ ତାଙ୍କ ଶରୀରର ରଙ୍ଗ ମଳିନ ଅର୍ଥାତ୍ କଳା ପଡ଼ିଯାଇଥିଲା। ସେ ଶାରୀରିକ ଭାବେ ଖୁବ୍ ଦୁର୍ବଳ ହୋଇ ପଡ଼ିଥିଲେ। ଶିବଙ୍କୁ ପ୍ରସନ୍ନ କରିବା ପରେ ମା’ ନିଜ ସ୍ୱାସ୍ଥ୍ୟ ଓ ସ୍ୱରୂପକୁ ପୁନଃ ପ୍ରାପ୍ତି ପାଇଁ ପୁନର୍ବାର ତପସ୍ୟା କରିଥିଲେ।ଏହି ତପସ୍ୟା ପରେ ମା’ଙ୍କ ଶରୀରରୁ କଳାବର୍ଣ୍ଣ ଚାଲି ଯାଇଥିଲା । ମା’ ସଂପୂର୍ଣ୍ଣ ଗୌର ବର୍ଣ୍ଣ ଧାରଣ କରିଥିଲେ। ସେଥିପାଇଁ ମା’ଙ୍କ ଅନ୍ୟନାମ ‘ମହାଗୌରୀ’।

ଅନ୍ୟଏକ ତଥ୍ୟ ଆଧାରରେ ଏହି ‘ମହାଗୌରୀ’ ରୂପ ମା’ଙ୍କ ବିଭିନ୍ନ ଦିବ୍ୟ ରୂପ ମଧ୍ୟରୁ ଏକ ରୂପ। ଶୁମ୍ଭ ଓ ନିଶୁମ୍ଭ ରାକ୍ଷସଙ୍କୁ ସଂହାର କରିବା ପାଇଁ ମା’ ରଚିଥିବା ଲୀଳା ମଧ୍ୟରେ ଏହି ‘ମହାଗୌରୀ’ ରୂପ ଅନ୍ୟତମ। ମା’ ଦୁର୍ଗାଙ୍କ ଏହି ‘ମହାଗୌରୀ’ ସ୍ୱରୂପକୁ ଅନ୍ନପୂର୍ଣ୍ଣା, ଐଶ୍ୱର୍ଯ୍ୟପ୍ରଦାୟିନୀ, ଚୈତନ୍ୟମୟୀ ବି କୁହାଯାଏ। ମା’ଙ୍କୁ ଏହି ରୂପରେ ପୂଜା କରିବା ଦ୍ୱାରା ଶାରୀରିକ କ୍ଷମତା ବିକଶିତ ହୋଇଥାଏ ଓ ମାନସିକ ଶାନ୍ତି ବୃଦ୍ଧି ପାଇଥାଏ।

ଅଷ୍ଟମୀ ତିଥିରେ କାହିଁକି ହୁଏ ମା’ଙ୍କ ଏହି ସ୍ୱରୂପର ପୂଜା କାହିଁକି ହୋଇଥାଏ ତାର ଏକ ଗୂଢ଼ ରହସ୍ୟ ରହିଛି । ମହାଦେବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ମା’ ଆଦିଶକ୍ତି ୮ ବର୍ଷ ବୟସରୁ ହିଁ ତପସ୍ୟା ଆରମ୍ଭ କରିଥିଲେ। ତେବେ ଏହି ତପସ୍ୟା ଆରମ୍ଭ କରିବା ପୂର୍ବରୁ ହିଁ ଦେବ ମୁନି ନାରଦ ମା’ଙ୍କ ଅସଲ ପରିଚୟ ପାଇ ସାରିଥିଲେ। ଯେହେତୁ ମା’ ୮ ବର୍ଷ ବୟସରୁ କଠୋର ତପସ୍ୟା କରି ଥିଲେ। ତପସ୍ୟା ବେଳେ ମାତା କେବଳ କନ୍ଦମୂଳ ଏବଂ ପତ୍ର ଭୋଜନ କରୁଥିଲେ। ପରେ ପରେ ମାତା କେବଳ ବାୟୁ ପାନକରି ତପସ୍ୟା କରିବା ଆରମ୍ଭ କଲେ। ଏହାପରେ ଶିବ ସନ୍ତୁଷ୍ଟ ହୋଇଥିଲେ।ପରବର୍ତ୍ତୀ ସମୟରେ ଶିବଙ୍କ କୃପାରୁ ମା’ ‘ମହାଗୌରୀ’ ପାଲଟିଥିଲେ, ସେହି କାରଣରୁ ନବରାତ୍ରୀର ଅଷ୍ଟମୀ ତିଥିରେ ଦୁର୍ଗାଙ୍କୁ ‘ମହାଗୌରୀ’ ରୂପରେ ପୂଜା କରାଯାଉଛି। ମା’ ମହାଗୌରୀଙ୍କୁ ଶିବା ବି କୁହାଯାଏ। ଏହି ସ୍ୱରୂପରେ ମା’ ନନ୍ଦୀ ଉପରେ ବିରାଜମାନ କରିଥା’ନ୍ତି।

ଅଷ୍ଟମୀ ବିହିତ ପୂଜା – ମା’ ଙ୍କ ଆରାଧନା ମନ୍ତ୍ର ହେଉଛି : –

“ଶ୍ବତେ ବୃଷେ ସମରୁଢ଼ା ଶ୍ବେତାମ୍ବରାଧରା ଶୁଚିଃ ।

ମହାଗୌରୀ ଶୁଭଂ ଦଦ୍ୟାମ୍ନହାଦେବପ୍ରମୋଦଦା ।।

ଅଷ୍ଟମୀ ଦିନ, ସକାଳେ କଳସକୁ ପୂଜା କରିବା ପରେ, ବିଧି ଅନୁଯାୟୀ ମାତାଙ୍କୁ ପୂଜା କରାଯାଏ | ଷୋଡ଼ଶ ଉପଚାର ବିଧାନ ପରେ ଏହି ଦିନ ମାତାଙ୍କୁ ଧଳା ଫୁଲ ଅର୍ପଣ କରାଯାଇଥାଏ | ଏହି ଦିନ ମା’ଙ୍କୁ ହାଲୁୱା, ପୁରୀ, ପନିପରିବା, ବିରି ଏବଂ ନଡ଼ିଆରେ ପ୍ରସ୍ତୁତ ପ୍ରସାଦ ଅର୍ପଣ କରାଯାଏ। ଅଷ୍ଟମ ଦିନରେ ଦୁର୍ଗା ସପ୍ତଶତୀ ମଧ୍ୟମ ଚରିତ୍ର ପାଠ କରାଯାଏ। ଏହାପରେ ଏହି ପ୍ରସାଦ କୁ ବାଳିକା ମାନଙ୍କୁ ପ୍ରଥମେ ଦେଇ ତା ପରେ ସମସ୍ତେ ଭୋଜନ କରିବା ବିଧେୟ। ଏହା ଶୁଭ ଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ କରାଯାଏ ।

Comments are closed.