ସାକାର ହେବ ପାହାଡି ଇଲାକାର ଝିଅଙ୍କ ସପ୍ନ, ସିନ୍ଥେଟିକ୍ ଟର୍ପରେ ମିଳିବ ଅମଲିଖମନର ହକି ଖେଳାଳିଙ୍କୁ ତାଲିମ

ସମ୍ବଲପୁର : କିଛି ମାସ ତଳେ ସମ୍ବଲପୁର ଜିଲ୍ଲାର ଦୁର୍ଗମ ଇଲାକା କୁହାଯାଉଥିବା ବାମରା ବ୍ଲକ ଜରାବଗା ଅମଲିଖମନର ପାହାଡ ଶୀର୍ଷର ହକି ଖେଳାଳୀଙ୍କୁ ନେଇ ନିର୍ମିତ ବୃତ୍ତ ଚିତ୍ର “ଦ ମାଉଣ୍ଟେନ୍ ହକି” ଆନ୍ତର୍ଜାତିକସ୍ତରରେ ଖ୍ୟାତି ଅର୍ଜନ କରିଥିଲା । ପାହାଡ଼ ଉପରେ ଆବଡା ଖାବରା ଜମି ଉପରେ ଆଦିବାସୀ ଅଧ୍ୟୁଷିତ ଶତାଧିକ ଝିଅଙ୍କୁ ହକିର ଅନ୍ୟତମ ଦ୍ରୋଣାଚାର୍ଯ୍ୟ ରାଜେନ୍ଦ୍ର କୁଜୁରଙ୍କ ପ୍ରଶିକ୍ଷଣ କଥା ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲା । ହେଲେ ପଥୁରିଆ ପାହାଡି ଇଲାକାରେ ବାଉଁଶ ବାଡିରେ ହକି ଶିଖୁଥିବା ଏହି ଝିଅମାନଙ୍କୁ ଏବେ ଅତ୍ୟାଧୁନିକ ସିନ୍ଥେଟିକ୍ ଟର୍ପରେ ହକି ଶିଖିବାର ସୁଯୋଗ ମିଳିବ । ଏନେଇ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଜିଲ୍ଲାପାଳ ଶୁଭମ ସକ୍ସେନା ଦୁର୍ଗମ ଇଲାକାରେ ଥିବା ଅମଲିଖମନ ଗସ୍ତ କରିବା ସହିତ ପ୍ରାୟ ୪ ଏକର ଜମିରେ ନିର୍ମାଣାଧୀନ ହକି ଷ୍ଟାଡିଅମ୍ ବୁଲି ଦେଖିଛନ୍ତି । ଏହାକୁ ନେଇ ହକିପ୍ରେମୀଙ୍କ ଠାରୁ ଆରମ୍ଭ କରି ସବୁ ଗରିବ ଆଦିବାସୀ ଖେଳାଳୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।

ଭେଟେରାନ୍ ହକି ଖେଳାଳୀ ରାଜେନ୍ଦ୍ର କୁଜୁର ବେଶ୍ କିଛି ବର୍ଷ ହେଲା ଅମଲିଖମନ ଅଞ୍ଚଳରେ କିଛି ଛୋଟ ଛୋଟ ଝିଅଙ୍କୁ ନେଇ ମାଗଣାରେ ହକି ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ । ନିଜେ ହକିରେ ଜାତୀୟସ୍ତରରେ ପ୍ରତିଷ୍ଠିତ ହୋଇନପାରିବାର ଗ୍ଲାନିକୁ ଏହି ଛୋଟ ଛୋଟ ଗରିବ ଆଦିବାସୀ ଝିଅଙ୍କ ମାଧ୍ୟମରେ ସାକାର କରିବାକୁ ସେ ଅଣ୍ଟା ଭିଡିଥିଲେ । ପ୍ରଥମେ ୧୦ରୁ ୧୨ ଜଣ ଝିଅଙ୍କୁ ନେଇ ସେ ତାଲିମ ଆରମ୍ଭ କରିଥିଲେ । ହେଲେ ଏଥିପାଇଁ କୌଣସି ଭିତ୍ତିଭୂମି ନଥିଲା । ଫଳରେ ସେ ନିଜେ କାଠ ତଥା ବାଉଁଶରୁ ହକି ଷ୍ଟିକ୍ ତିଆରି କରି ଝିଅମାନଙ୍କୁ ପ୍ରଶିକ୍ଷଣ ଦେଉଥିଲେ । ତାଙ୍କ ସ୍ବଳ୍ପ ଆୟରୁ ଝିଅଙ୍କ ପାଇଁ କିଟ୍ କିଣି ଦେଉଥିଲେ । ତେବେ , ସେଥିରୁ କିଛି ଝିଅ ଜାତୀୟସ୍ତରର ପ୍ରତିଯୋଗିତାରେ ସାମିଲ ହେବା ପରେ ଏହି ଅମଲିଖମନ ଚର୍ଚ୍ଚାକୁ ଆସିଥିଲା । ଇତିମଧ୍ୟରେ ଝାରସୁଗୁଡା , ସୁନ୍ଦରଗଡ ଏବଂ ସମ୍ବଲପୁର ଜିଲ୍ଲାର ଶତାଧିକ ଝିଅ ଏଠାରେ ମାଗଣାରେ ପ୍ରଶିକ୍ଷଣ ନେଉଛନ୍ତି । ରାଜେନ୍ଦ୍ରଙ୍କ ଏହି ହକି ସ୍କୁଲ ଉପରେ ନିର୍ମିତ ବୃତ୍ତ ଚିତ୍ର “ଦ ମାଉଣ୍ଟେନ୍ ହକି” ଜର୍ମାନୀ ଓ ଦୁବାଇର ଆନ୍ତର୍ଜାତିକ ଫିଲ୍ମ ମହୋତ୍ସବରେ ପ୍ରଶଂସିତ ହୋଇସାରିଛି । ବର୍ତ୍ତମାନ ସୁଦ୍ଧା ୨୩ ଜଣ ଛାତ୍ରୀ ଜାତୀୟସ୍ତରରେ ଖେଳି ପୁରସ୍କୃତ ହୋଇସାରିଥିବା ବେଳେ ୧୨ ଜଣ କିସ୍ ସ୍କୁଲରେ ଯୋଗ ଦେଇ ସମସ୍ତେ ହକି ଟିମ୍‌ରେ ସାମିଲ ହୋଇସାରିଛନ୍ତି । ତେବେ , ଏଠାରେ ପ୍ରଶିକ୍ଷଣ ନେଉଥିବା ସମସ୍ତ ଝିଅଙ୍କ ପାଇଁ ଉନ୍ନତମାନର ହକି ଷ୍ଟାଡିଅମ୍ ନିର୍ମାଣ କରିବାକୁ ପ୍ରଶାସନ ଅଣ୍ଟା ଭିଡିଛି । ଏଥିପାଇଁ ୪ ଏକରର ଏକ ଜମି ଉପରେ ଷ୍ଟାଡିଅମ୍ ନିର୍ମାଣ କାମ ଆରମ୍ଭ ହୋଇଛି । ଏଠାରେ ସିନ୍ଥେଟିକ୍ ହକି ଟର୍ପ ପକାଯିବା ସହିତ ସମସ୍ତ ଝିଅଙ୍କୁ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାପାଳ ଶ୍ରୀ ସକ୍ସେନା ଇତିମଧ୍ୟରେ ଅମଲିଖମନ ଗସ୍ତ କରି ନିର୍ମାଣ କାମର ସମୀକ୍ଷା କରିଛନ୍ତି । କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ହେବାକୁ ଥିବା ଏହି ହକି ତାଲିମ କେନ୍ଦ୍ରକୁ ନେଇ ସମଗ୍ର ଅଞ୍ଚଳର ଆଦିବାସୀ ଅଧ୍ୟଷିତ ଝିଅଙ୍କ ଆଖିରେ ବର୍ତ୍ତମାନ ଆଖିଏ ସପ୍ନ ଉଙ୍କିମାରିଲାଣି । ପ୍ରଶାସନର ଏହି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Comments are closed.