ତୁଳସୀ କ୍ଷେତ୍ରର ପ୍ରସିଦ୍ଧ ଶ୍ରୀବଳଦେବଜୀଉ ମନ୍ଦିର

କେନ୍ଦ୍ରାପଡ଼ା ସହରର ୨ କି.ମି. ଦକ୍ଷିଣ ପଶ୍ଚିମ ଦିଗରେ ରହିଛି ଇଚ୍ଛାପୁର ଗାଁ । ଏହି ଗାଁରେ ପ୍ରତିଷ୍ଠିତ ହୋଇଛି ପ୍ରସିଦ୍ଧ ବଳଦେବଜୀଉ ମନ୍ଦିର। ଏହି ମନ୍ଦିରଟି ଓଡ଼ିଶାର ଐତିହାସିକ କିର୍ତ୍ତୀରାଜି ମାନଙ୍କ ଭିତରେ ଅନ୍ୟତମ । ଏହା ଅଷ୍ଟାଦଶ ଶତାବ୍ଦୀରେ ମରାଠା ଶାସନ କାଳରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ ।ନାଗପୁରର ରଘୁଜୀ ଭୋସଲେ ନାମକ ମରାଠା ଶାସକ ଏହାକୁ ଗଢ଼ିଥିଲେ ବୋଲି ପ୍ରମାଣ ମିଳେ ।

ଦୁଇଏକର ୬ ଡ଼େସିମିଲ ପରିମିତ ସ୍ଥାନରେ ଅବସ୍ଥିତ ଏଇ ମନ୍ଦିର ଦୁଇ ଭାଗରେ ବିଭକ୍ତ । ଗୋଟିଏ ପାଖରେ ବିଭିନ୍ନ ମନ୍ଦିର ରହିଛି ଓ ଅନ୍ୟ ପାଖଟି ଉଦ୍ୟାନ । ଏହି ମନ୍ଦିରର ପାଚେରୀ ଉଚ୍ଚତା ପାଖାପାଖି ୧୪ ଫୁଟ ଉଚ୍ଚ ଅଟେ ।

ମନ୍ଦିରର ଅରୁଣସ୍ତମ୍ଭଟି ୪୦ ଫୁଟ ଉଚ୍ଚତା ବିଶିଷ୍ଟ । ମୁଖ୍ୟ ମନ୍ଦିର (ଶ୍ରୀ ମନ୍ଦିର)ର ଉଚ୍ଚତା ୭୫ ଫୁଟ ଓ ଓସାର ୪୦ ଫୁଟ । ପୁରାତନ ସପ୍ତପାବଚ୍ଛ ନିର୍ମାଣ ଶୈଳୀର ଆଧାରରେ ଏହା ବଉଳମାଳିଆ ପଥର ବ୍ୟବହାର କରି ନିର୍ମାଣ କରାଯାଇଛି। ମନ୍ଦିରର ଚୂଡ଼ାରେ ରାମାନନ୍ଦୀ ଚିତା, ବ୍ରହ୍ମ ନୀଳଚକ୍ର ରହିଛି। ଏହାର ଶୀର୍ଷରେ ନୀଳଚକ୍ର ବାନା ଶୋଭାବର୍ଦ୍ଧନ କରୁଛି ।

ମନ୍ଦିରର ଗର୍ଭଗୃହରେ ଥିବା ରତ୍ନ ସିଂହାସନରେ ତିନି ମୂର୍ତ୍ତୀ ବିଜେ କରିଛନ୍ତି : ଶ୍ରୀ ବଳଦେବ ଜୀଉ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରା । ଏହି ସମସ୍ତ ବିଗ୍ରହ ମଣି ବିଗ୍ରହ ଅଟନ୍ତି। ମନ୍ଦିର ଗର୍ଭଗୃହରେ ଥିବା ଅନ୍ୟ ମୂର୍ତ୍ତୀମାନେ ହେଲେ,ଶ୍ରୀଗୋବିନ୍ଦ ଜୀଉ, ମହାଲକ୍ଷ୍ମୀ, ଶ୍ରୀସୁଦର୍ଶନ,ଶ୍ରୀବାଳଗୋପାଳ ଓ ଶାଳଗ୍ରାମ ।

ମୁଖ୍ୟ ମନ୍ଦିର ଠାରୁ ମଝି ମନ୍ଦିରଟି ଟିକେ ସାନ ଯାହା ପଞ୍ଚ-ପାବଚ୍ଛୀ ନିର୍ମାଣ ଶୈଳୀରେ ଗଠିତ । ଗରୁଡ଼ ସ୍ତମ୍ଭଟି ଜଗମୋହନରେ ରହିଛି। ମନ୍ଦିରର ମୁଖ୍ୟ ଦ୍ୱାରସାମନାରେ ଦୁଇ ପାଖରେ ଗଜକୁ ସିଂହ ମାଡ଼ିବସିଥିବାର ଦୁଇ ବିଶାଳ ମୂର୍ତ୍ତି ରହିଛି । ଏହା ପରେ ସାତଟି ପବିତ୍ର ପାହାଚକୁ ଅତିକ୍ରମ କଲେ ମୁଖଶାଳାକୁ ପ୍ରବେଶ କରିବାକୁ ହୁଏ । ଏଠାରେ ନବଗ୍ରହଙ୍କର ମୂର୍ତ୍ତି ସହିତ ପତିତପାବନ ଓ କ୍ଷେତ୍ର ରକ୍ଷକ ହନୁମାନଙ୍କର ମୂର୍ତ୍ତୀ ରହିଛି। ଏଇ ପବିତ୍ର ସାତଟି ପାହାଚ ଅତିକ୍ରମ କରି ସାମନାକୁ ଦେଖିଲେ ସେଠାରେ ଉପବିଷ୍ଟା ତୁଳସୀ ଦେବୀଙ୍କର ଏକ ସୁନ୍ଦର ମୂର୍ତ୍ତୀ ରହିଛି ।

ମନ୍ଦିର ବେଢ଼ାରେ ଥିବା ଅନ୍ୟ ପ୍ରମୁଖ ମନ୍ଦିର ଗୁଡ଼ିକ ହେଲେ ଅଷ୍ଟଶମ୍ଭୁ ମନ୍ଦିର, ବୈକୁଣ୍ଠନାଥ ମନ୍ଦିର, କନକ ଦୁର୍ଗା ମନ୍ଦିର, ପାଦପଦ୍ମ ମନ୍ଦିର, ନବଗ୍ରହ ମନ୍ଦିର, ବାସୁଦେବ ମନ୍ଦିର, ଶ୍ରୀଗଣେଶ ମନ୍ଦିର, ରେବତୀ ମନ୍ଦିର, ତୁଳସୀ ମନ୍ଦିର, କଳ୍କୀ ମନ୍ଦିର, ଷଡ଼ଭୁଜ ଗୌରାଙ୍ଗ ମନ୍ଦିର ଓ ଶ୍ରୀରାମ ମନ୍ଦିର। ଝୁଲଣ ଗୃହ, ରତ୍ନଭଣ୍ଡାର, ସ୍ନାନ ମଣ୍ଡପ, ମୁକ୍ତି ମଣ୍ଡପ ଆଦି ଆଉ କିଛି ସଂରଚନା ମଧ୍ୟ ବେଢ଼ା ଭିତରେ ରହିଛି।

ବଳଦେବଜୀଉ ମନ୍ଦିରରେ ବର୍ଷରେ ବାରମାସରେ ତେର ପର୍ବ ପାଳିତ ହୋଇଥାଏ। ବିଶେଷ କରି ବଳଭଦ୍ର ଜନ୍ମ ଗହ୍ମା ପୂର୍ଣ୍ଣିମା, ପ୍ରଲମ୍ବାସୁର ବଦ୍ଧ ଏବଂ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଥାଏ। କୁହାଯାଏ ତୁଳସୀ କ୍ଷେତ୍ରର ରଥ ବିଶ୍ୱରେ ସର୍ଵ ବୃହତ୍ତମ ରଥ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହିତ ବଳଦେବଜୀଉ ମନ୍ଦିରର ରହିଛି ଏକ ଭାଵଗତ ସମ୍ପର୍କ।

Comments are closed.