ଦୟନୀୟ ସ୍ଥିତିରେ ଦେବଗଡ଼ ବିଜେପି: ସାଂସଦ , ବିଧାୟକଙ୍କ ଜିଲ୍ଲାରେ ଦଳର ଫ୍ଲଫ୍ ସୋକୁ ନେଇ ଚର୍ଚ୍ଚା 

ଦେବଗଡ : ଦେବଗଡ଼ ଜିଲ୍ଲାର ଏକମାତ୍ର ବିଧାନସଭା ଆସନକୁ ବିଜେପି ଗତ ସାଧାରଣ ନିର୍ବାଚନକୁ ଦଖଲ କରିଛି । ଲୋକସଭା ଆସନରେ ବି ଦଳୀୟ ନେତା ତଥା ପୂର୍ବତନ ବିଧାୟକ ତଥା ଦେବଗଡ଼ର ରାଜା ବିଜୟୀ ହୋଇଛନ୍ତି । ତଥାପି ଜିଲ୍ଲାରେ ନିର୍ବାଚନ ପରଠାରୁ ଦଳର ସାଂଗଠାନିକ ସ୍ଥିତି ସୁଦୃଢ଼ ହେବା ପରିବର୍ତ୍ତେ ଦୁର୍ବଳ ହେବାରେ ଲାଗିଛି । ଏକଥା ଖୋଦ୍ ବିଭିନ୍ନ ସମୟରେ ବିଭିନ୍ନ ଘଟଣାରୁ ସ୍ପଷ୍ଟ ହୋଇଆସିଛି । ତେବେ , ବର୍ତ୍ତମାନ ମମିତା ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେପି ରାଜ୍ୟବ୍ୟାପି ଆନ୍ଦୋଳନ କରି ନିଜର ଶକ୍ତି ପ୍ରଦର୍ଶନ କରିବାର ଚେଷ୍ଟା କରୁଛି । ହେଲେ ଅନେକ ଜିଲ୍ଲା ପରି ଦେବଗଡ଼ରେ ବି ଏହି ବିରୋଧ ପ୍ରଦର୍ଶନ ବେଳେ ଦଳର ଶୋଚନୀୟ ସ୍ଥିତି ତଥା ଗୋଷ୍ଠୀ କନ୍ଦଳର ସ୍ପଷ୍ଟ ପ୍ରତିଫଳନ ଦେଖିବାକୁ ମିଳିଛି । ଏହାକୁ ନେଇ ସୋସିଆଲ ମିଡିଆରେ ଘନ ଘନ ଚର୍ଚ୍ଚା ଦେଖିବାକୁ ମିଳୁଛି । ସାଂସଦ ଏବଂ ବିଧାୟକ ଉଭୟେ ଦଳରୁ ପ୍ରତିନିଧିତ୍ବ କରିବା ସତ୍ତ୍ଵେ ମାତ୍ର ୧୩ ଜଣିଆ କର୍ମକର୍ତ୍ତାଙ୍କ ଦ୍ବାରା ବିରୋଧ ପ୍ରଦର୍ଶନ ଦଳର ଦୁର୍ବଳ ସଂଗଠନକୁ ପଦାରେ ପକାଇଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ଦୁଇଦିନ ତଳେ ଦେବଗଡ଼ ଜିଲ୍ଲାରେ ବିଜେପି ମମିତା ହତ୍ୟାକାଣ୍ଡ ଘଟଣାରେ ବନ୍ଦ ଡାକରା ଦେବା ସହ ବିରୋଧ ପ୍ରଦର୍ଶନ କରିଥିଲା । ହେଲେ ସ୍ଥାନୀୟ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ନେତୃତ୍ବରେ ମାତ୍ର ୧୩ ଜଣ କର୍ମକର୍ତ୍ତା ରାଜରାସ୍ତାରେ ବ୍ୟାନର ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ଆଉ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାର କାରଣ ବି ବଳିଷ୍ଠ । କାରଣ , ଜିଲ୍ଲା ସାରା ଏହି ପ୍ରସଙ୍ଗକୁ ନେଇ ବିରୋଧର ସ୍ବର କାଣିଚାଏ ବି ଅନୁଭବ ହୋଇନଥିବା କଥା ସମସ୍ତଙ୍କୁ ଜଣା ।

ଗତ ୨୦୧୪ରେ ଦେବଗଡ଼ ବିଧାନସଭା ଆସନକୁ ବିଜେଡି ଦଖଲ କରିବା ସହିତ ସାଂସଦ ପଦକୁ ବି ଶଂଖ କବଜାକୁ ନେଇଥିଲା । ହେଲେ ଗତ ୨୦୧୯ରେ ରାଜନୀତି କଡ଼ ଲେଉଟାଇଥିଲା । ଆଉ ଉଭୟ ବିଧାୟକ ଏବଂ ସାଂସଦ ପଦରେ ବିଜେପି କ୍ଷମତାସୀନ ହେଲା । କିନ୍ତୁ , ଦଳୀୟ ସଂଗଠନ ସୁଦୃଢ଼ ହେବା ପରିବର୍ତ୍ତେ ଅଧିକ ଦୁର୍ବଳ ହୋଇ ଚାଲିଥିବା ଚର୍ଚ୍ଚା ହୋଇଆସୁଛି । ଏପରିକି ସାଂସଦ ନିତେଶ ଗଙ୍ଗଦେବ ଏବଂ ବିଧାୟକ ସୁବାସ ପାଣିଗ୍ରାହୀ ସମାନ୍ତରାଳ ଭାବେ ତାଙ୍କ ସଂଗଠନ ଚଲାଉଥିବା ନେଇ ରାଜନୈତିକ ମହଲରେ ସବୁ ବେଳେ ଆଲୋଚନା ହୋଇଆସୁଛି । ଦଳର ଅନେକ ଗୁରୁତ୍ବପୂର୍ଣ କାର୍ଯ୍ୟକ୍ରମରେ ଉଭୟ ନେତାଙ୍କୁ ଏକାଠି ପ୍ରାୟତଃ ଦେଖିବାକୁ ମିଳୁନଥିବା ବେଳେ ସୁବାସଙ୍କ କୌଣସି କାର୍ଯ୍ୟକ୍ରମରେ ନିତେଶଙ୍କ ଅନୁଗତଙ୍କ ଦେଖା ମିଳୁନାହିଁ । ସେହିପରି ନିତେଶଙ୍କ ଉପସ୍ଥିତି ଥିବା କାର୍ଯ୍ୟକ୍ରମରେ ସୁବାସ କିମ୍ବା ତାଙ୍କ କୌଣସି ଅନୁଗତଙ୍କ ଦେଖା ମିଳୁନାହିଁ ।

ଏହି ପରିପ୍ରେକ୍ଷୀରେ ଦେବଗଡ଼ ଜିଲ୍ଲାରେ ବିଜେପି ସଂଗଠନର ଦୟନୀୟ ସ୍ଥିତି ଏବେ ରାଜ୍ୟ ନେତୃତ୍ବ ପାଇଁ ଚିନ୍ତାର କାରଣ ହେଲାଣି । ଏହି ପରିପ୍ରେକ୍ଷୀରେ ବିଜେପି ବର୍ତ୍ତମାନ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ଫାଇଦା ନେବାକୁ ଲକ୍ଷ୍ୟ ରଖିଛି । ହେଲେ ଦେବଗଡ଼ ଭଳି ଅନେକ ଜିଲ୍ଲାରେ ଗୋଷ୍ଠୀ କନ୍ଦଳ ଯୋଗୁଁ ଦଳ ଫାଇଦା ପରିବର୍ତ୍ତେ ହାନିର ସମ୍ମୁଖୀନ ହେବାରେ ଲାଗିଛି । ଦୁଇଦିନ ତଳେ ଦେବଗଡ଼ରେ ବିରୋଧ ପ୍ରଦର୍ଶନ ବେଳେ ସୁବାସଙ୍କୁ ମିଶାଇ ମାତ୍ର ୧୩ ଜଣ କର୍ମକର୍ତ୍ତାଙ୍କ ଯୋଗଦାନ ଦଳର ଏହି କନ୍ଦଳ ତଥା ଦୁର୍ବଳ ସଂଗଠନ କଥାକୁ ପଦାରେ ପକାଇ ଦେଇଛି ।

Comments are closed.