ଧନତେରାସରେ ସମ୍ବଲପୁର ଜିଲ୍ଲାବାସୀଙ୍କୁ ୧୫୫୪ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ, ବିଏସକେୱାଇ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ

କୁଚିଣ୍ଡା – ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗସ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି । କୁଚିଣ୍ଡାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ସ୍ମାର୍ଟକାର୍ଡ ବଂଟନର ଶୁଭାରମ୍ଭ କରିବା ସହ ଜିଲ୍ଲାବାସୀଙ୍କ ଲାଗି ୧ ହଜାର ୫୫୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରର ପ୍ରାୟ ୨୦୦ ହସପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ ସ୍ମାର୍ଟ କାର୍ଡ ଜରିଆରେ ଉନ୍ନତମାନର ଚିକିତ୍ସା ପାଇପାରିବେ । ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଏହି କାର୍ଡରେ ରହିଛି । ଏଭଳି ସୁବିଧା ଦେବାରେ ସାରାଦେଶରେ ଓଡିଶା ପ୍ରଥମ । ଏହିବର୍ଷ ଅଗଷ୍ଟ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହାସିକ ପଦକ୍ଷେପ ସଂପର୍କରେ ଘୋଷଣା କରିଥିଲେ । ସେପଟେମ୍ବର ମାସରେ ପ୍ରଥମେ ମାଲକାନଗିରି ଜିଲ୍ଲାରେ ଏହି କାର୍ଡ ବଂଟନର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ପରେ ସୁନ୍ଦରଗଡ, ବଲାଙ୍ଗିର, ଦେବଗଡ, ପୁରୀ, ଗଜପତି, ମୟୂରଭଞ୍ଜ ଆଦି ଜିଲ୍ଲାରେ ଏହି ସ୍ମାର୍ଟ କାର୍ଡ ବଂଟନ ଆରମ୍ଭ ହୋଇଛି ।

Comments are closed.