ରାଜ୍ୟ ସାରା ଶୀତର ପ୍ରକୋପ

ଭୁବନେଶ୍ବର: ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି। ଆଉ ଥଣ୍ଡା କୋରାପୁଟ ଜିଲ୍ଲା ବାସିନ୍ଦାଙ୍କ ଦେହକୁ ଥରାଇ ଦେଉଛି। ସୁନ୍ଦରଗଡ଼ କୁହନ୍ତୁ କିମ୍ବା ପୁରୀ, ସାରା ରାଜ୍ୟରେ ଏବେ ଶୀତ ଲହରୀ ତାର ପ୍ରଭାବ ବିସ୍ତାର କରିଲାଣି। ସନ୍ଧ୍ୟା ଶୀଘ୍ର ନଇଁ ଆସୁଥିବା ବେଳେ ରାତି ଏବେ ଅପେକ୍ଷାକୃତ ଲମ୍ବା। ପାଣିପାଗ ବିଭାଗ ପୂର୍ବାନୁମାନ ମୁତାବକ ଆସନ୍ତା ୩-୪ ଦିନ ଶୀତୁଆ ପାଣିପାଗ ଜାଡ଼ର ପ୍ରକୋପ ଅନୁଭୂତି ଆଣିଦେବ।

କନ୍ଧମାଳ ଜିଲ୍ଲାରେ ଏବେ ପୂର୍ବାହ୍ଣ ୯ଟା ପର୍ଯ୍ୟନ୍ତ ଲୋକେ ଘରୁ ବାହାରିବାକୁ ପଛଘୁଞ୍ଚା ଦେଉଛନ୍ତି। କାରଣ ଦେହରେ ଶୀତବସ୍ତ୍ର ଆପାଦମସ୍ତକ ଘୋଡ଼ାଇ ରହିଥିଲେ ମଧ୍ୟ ଶୀତ କଲବଲ କରି ପକାଉଛି।

ଓଡ଼ିଶାର କାଶ୍ମୀର ଭାବେ ବିଖ୍ୟାତ ଦାରିଙ୍ଗବାଡ଼ିରେ ତାପମାତ୍ରା ୯.୫ ଡିଗ୍ରୀକୁ ଖସିଯାଇଛି। ଦିନକ ମଧ୍ୟରେ ପାରଦ ୩.୫ ଡିଗ୍ରୀ ତାପମାତ୍ରା ଖସିଛି। ରବିବାର ଏ ବର୍ଷର ଏଯାବତ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଥିଲା। ଆଗାମୀ ଦିନରେ ପାରଦ ଆହୁରି ତଳମୁହାଁ ହେବା ନିଶ୍ଚିତ। ଦିନକୁ ଦିନ ଶୀତର ପ୍ରକୋପ ବୃଦ୍ଧି ପାଉଛି। ଶୀତ ବଢୁଥିବାରୁ ସାଧାରଣ ଜୀବନଯାପନ ପ୍ରଭାବିତ ହୋଇଛି। କାଠ ଜାଳି ନିଆଁ ପୁଇଁବା, ଶୀତ ବସ୍ତ୍ର ପିନ୍ଧି ବୁଲିବା, ସନ୍ଧ୍ୟା ଟିକିଏ ବଢ଼ିଗଲେ ରାସ୍ତାଘାଟ କ୍ରମେ ଶୂନଶାନ ହୋଇ ପଡ଼ିବା, ଚାହା ଦୋକାନ ପାଖରେ ଭୋରରୁ ସନ୍ଧ୍ୟା ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ସୂଚାଇ ଦେଉଛିଯେ ଥଣ୍ଡା କିଭଳି ବଢ଼ି ଚାଲିଛି। ତେଣେ ଶୀତୁଆ ସକାଳେ ଲୋକେ ନିଜକୁ ସୁସ୍ଥ ରଖିବା ପାଇଁ ମର୍ଣ୍ଣିଂ ଓ୍ବାକରେ ବାହାରି ପଡୁଛନ୍ତି। ପ୍ରାତଃଭ୍ରମଣକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଆଉ ଏବେ ଓଡ଼ିଆ ମାନଙ୍କ ପବିତ୍ର ପୂଣ୍ୟ ଅର୍ଜନର ମାସ କାର୍ତ୍ତିକ। ତେଣୁ ଗାଁ ଗହଳିରେ ମହିଳା ମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ନିତ୍ୟକର୍ମ, ଗାଧୁଆ ପାଧୁଆ ସାରି ମନ୍ଦିର ଗମନ ଓ ପୂଜାର୍ଚ୍ଚନାରେ ମଜ୍ଜି ଯାଉଛନ୍ତି। ଶୀତକୁ ସେମାନଙ୍କ ଭୃକ୍ଷେପ ନଥାଏ।

କୋରାପୁଟରେ ମଧ୍ୟ ପାରଦ ଏକା ଥରକେ ୩ ଡିଗ୍ରୀ ତଳକୁ ଖସିଛି। ଆଜି କୋରାପୁଟରେ ତାପମାତ୍ରା ୧୨.୫ ଡିଗ୍ରୀକୁ ହ୍ରାସ ପାଇଛି। ଏମିତିରେ ତ ଗତ କିଛିଦିନ ହେଲା କୋରାପୁଟ ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ପାରଦ ପ୍ରାୟ ୧୫ ଡିଗ୍ରୀ ପାଖାପାଖି ରହି ଆସୁଥିଲା। ଶନିବାର ରାତିର ତାପମାତ୍ରା ହଠାତ୍ ଆହୁରି କମି ଯାଇଥିଲା। ଫଳରେ କୋରାପୁଟରେ ଆଜି ସକାଳୁ ପ୍ରବଳ କୁହୁଡି ପଡିଥିଲା। ଥଣ୍ଡାରୁ ରକ୍ଷା ପାଇବା ପାଇଁ ସକାଳୁ କିଏ ନିଆଁର ସାହାରା ନେଉଛି ତ ଆଉ କେହି ଗରମ ପାନୀୟ ଜଳ ବ୍ୟବହାର ସହ ଶୀତବସ୍ତ୍ରକୁ ଦେହରୁ ବାହାର କରୁନାହାନ୍ତି।

ତେବେ ଅଚାନକ ଥଣ୍ଡାର ପ୍ରଭାବ ବୃଦ୍ଧି ପାଇବା ଯୋଗୁଁ ଅନେକ ଲୋକ ହନ୍ତସନ୍ତ ହେଉଛନ୍ତି। କାମ ଧନ୍ଦାକୁ ସଠିକ ସମୟରେ ଯାଇପାରୁ ନାହାଁନ୍ତି। ବୃଦ୍ଧବୃଦ୍ଧା, ଗରିବମାନେ ଶୀତକୁ ସହ୍ୟ ନକରି ଅସୁବିଧା ଭୋଗୁଛନ୍ତି। ତେଣେ ଶୀତ ପର୍ଯ୍ୟଟନ ପସରା ମେଲାଇ ଦେଇଛି। ଜାଡ଼ ବଢୁଥିବାରୁ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି। ପ୍ରତି ଦିନ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଶୀତର ମଜା ନେବା ପାଇଁ ଦାରିଙ୍ଗବାଡ଼ି ଆସୁଛନ୍ତି। ଅପେକ୍ଷା କେବେ ପ୍ରଥମ ଥର କାକରର ଧଳା ଚାଦର ଓଡ଼ିଶାର ଏହି ଆକର୍ଷଣୀୟ ଭ୍ରମଣସ୍ଥଳକୁ ତାର ବାହୁ ମେଲାଇ କୋଳେଇ ନେବ। ଆଉ ପର୍ଯ୍ୟଟକ ସେହି ନୈସର୍ଗିକ ପ୍ରକୃତିର ବୈଚିତ୍ର୍ୟକୁ ଭରପୁର ଉପଭୋଗ କରିପାରିବେ। ସେଥିପାଇଁ ତ ଶୀତ ଯେତେ ବଢୁଛି ଟୁରିଷ୍ଟ ଙ୍କ ସଂଖ୍ୟା ବି ସେମିତି ବୃଦ୍ଧି ପାଉଛି। ବିଭିନ୍ନ ପାର୍କ, ଜଳପ୍ରପାତ, ଆଉ ଖୁବ ଶୀଘ୍ର ଆରମ୍ଭ ହେବାକୁ ଥିବା ଇକୋ ରିଟ୍ରିଟ୍ କ୍ୟାମ୍ପ ସତେ ଯେମିତି ପ୍ରକୃତିରେ ନିଜକୁ ହଜାଇ ଦେବାକୁ ଭ୍ରମଣକାରୀଙ୍କୁ ହାତ ଠାରି ଡାକୁଛି।

Comments are closed.