ନବୀନ-ଜଗନ ଆଲୋଚନା : ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବେ ଦୁଇ ରାଜ୍ୟ, ଗଠନ ହେବ ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନମୋହନ ରେଡ୍ଡୀ । ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଏକ ପ୍ରେସ ରିଲିଜ ଜାରି କରାଯାଇଛି । ଉଭୟଙ୍କ ମଧ୍ୟରେ ଆଲୋଚନା ବେଶ ଗଠନମୂଳକ ହୋଇଛି । ଦୁଇ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଆପୋଷ ଆଲୋଚନା ଜରିଆରେ କରିବାକୁ ଦୁଇ ମୁଖ୍ୟମନ୍ତ୍ରୀ ରାଜି ହୋଇଛନ୍ତି । ଏଥିପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଛି । ଏଥିରେ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀ ସାମିଲ ହେବେ । କୋଟିଆ ଗ୍ରାମପୁଞ୍ଜ, ନେରେଡି ବ୍ୟାରେଜ, ଝଞ୍ଜାବତୀ ଜଳଭଣ୍ଡାର, ପୋଲାଭରମ ଓ ବାହୁଦା ନଦୀରୁ ଜଳ ଛାଡିବା ଭଳି ସମସ୍ୟାର ସମାଧାନ କରିବା ପାଇଁ ଦୁଇ ରାଜ୍ୟ ରାଜି ହୋଇଛନ୍ତି । ବାମ ଉଗ୍ରବାଦ ଦମନ ଓ ଗଞ୍ଜେଇ ଚାଷ ନଷ୍ଟ କରିବା ପାଇଁ ଦୁଇ ରାଜ୍ୟ ମିଳିତ ଭାବେ କାମ କରିବେ । ଶ୍ରୀକାକୁଲମ ବିଶ୍ୱବିଦ୍ୟାଳୟରେ ଏକ ଓଡିଆ ଚେୟାର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତେଲେଗୁ ଚେୟାର ପ୍ରତିଷ୍ଠା ଦିଗରେ ଦୁଇ ରାଜ୍ୟ କାମ କରିବେ ବୋଲି କହିଛନ୍ତି । ଏହାଛଡା ଦୁଇ ରାଜ୍ୟର ସୀମାନ୍ତ ଅଂଚଳରେ ଥିବା ସ୍କୁଲଗୁଡିକରେ ଓଡିଆ ଓ ତେଲେଗୁ ଭାଷା ଶିକ୍ଷକ ନିଯୁକ୍ତି କରାଯିବ ।

Comments are closed.