ସାକାର ହେଲା ବରଗଡ଼ବାସୀଙ୍କ ସ୍ୱପ୍ନ, କ୍ୟାନସର ହସପିଟାଲ ପାଇଁ ଟେଣ୍ଡର ପ୍ରକାଶିତ

ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା- ‘ ମୁଁ ବହୁତ ଖୁସି ’

ବରଗଡ଼ : ବରଗଡ଼ବାସୀଙ୍କ ଦୀର୍ଘ ବର୍ଷର ସପ୍ନ ସାକାର ରୂପ ନେବାକୁ ଯାଉଛି । ଏହି ପ୍ରକଳ୍ପ ପାଇଁ ଇତିମଧ୍ୟରେ ୭୧ କୋଟି ୧୪ ଲକ୍ଷ ଟଙ୍କାର ନିର୍ମାଣ ସକାଶେ ଟେଣ୍ଡର ବି ପ୍ରକାଶିତ ହୋଇସାରିଛି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରି ମୁଁ ବହୁତ ଖୁସି ବୋଲି ପ୍ରକାଶ କରିଛନ୍ତି । ସେପଟେ , ଏହି ପ୍ରକଳ୍ପକୁ ନେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ଖୁସିର ଲହରୀ ଖେଳିଯାଇଛି । କ୍ୟାନସର ହସପିଟାଲ ପାଇଁ ସଂଘର୍ଷ କରୁଥିବା କ୍ୟାନସର୍ ଫାଇଟର୍ସ ଗ୍ରୁପ୍ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଦେଇଛି ।

ପଶ୍ଚିମ ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଗତ ପ୍ରାୟ ୨ ଦଶନ୍ଧି ହେଲା କ୍ୟାନସର ରୋଗ ଚିନ୍ତାଜନକ ଭାବେ ବ୍ୟାପିବାରେ ଲାଗିଛି । ସମଗ୍ର ପଶ୍ଚିମ ଓଡ଼ିଶାର ଅଧାରୁ ଅଧିକ ରୋଗୀ କେବଳ ବରଗଡ ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ସଂପୂର୍ଣ କ୍ୟାନସର ରୋଗର ଚିକିତ୍ସା ପାଇଁ ପଶ୍ଚିମ ଓଡ଼ିଶାରେ ସ୍ୱତନ୍ତ୍ର ଭାବେ କୌଣସି ସୁବିଧା ନଥିବାରୁ ଗରିବ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଆସୁଛନ୍ତି । ମଧ୍ୟବିତ୍ତ ଲୋକେ କୌଣସିମତେ ମୁମ୍ବାଇ ଟାଟା ମେମୋରିଆଲ୍ ଭଳି ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଫେରୁଥିବା ବେଳେ ଗରିବ ଲୋକେ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ର ଯିବାକୁ ବି ସକ୍ଷମ ହୋଇପାରୁନାହାନ୍ତି ।

ଏଥିପାଇଁ ବେଶ୍ କିଛି ବର୍ଷ ହେଲା ବରଗଡରେ ଏକ କ୍ୟାନସର୍ ହସପିଟାଲ ସ୍ଥାପନ ପାଇଁ ଦାବି ହୋଇଆସିଛି । ତେବେ , ଲୋକଙ୍କ ଦାବିକୁ ଦେଖି ମୁଖ୍ୟମନ୍ତ୍ରୀ ବରଗଡ଼ରେ ଏକ କ୍ୟାନସର୍ ହସପିଟାଲ ସ୍ଥାପନ ପାଇଁ ଘୋଷଣା କରିଥିଲେ । ଆଉ ବିଭିନ୍ନ ପର୍ଯ୍ୟାୟରେ ବୈଷୟିକ ଟିମ୍ ପଠାଇ ବରଗଡ଼ରେ ସ୍ଥାନ ଚିହ୍ନଟ କରାଯାଇଥିଲା । ଆଉ ଶେଷରେ ୯ ତାରିଖରେ ଏଥିପାଇଁ ୭୧ କୋଟି ୧୪ ଲକ୍ଷ ୮୦ ହଜାର ୩୯୪ ଟଙ୍କାର ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକାଶିତ ହୋଇଛି ।

ତେବେ , ୬ ମାସ ପୂର୍ବରୁ ଏହି ପ୍ରକଳ୍ପ ପାଇଁ ପ୍ରଶାସନିକ ଅନୁମୋଦନ ମିଳିଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର କୋଠା ନିର୍ମାଣ ପାଇଁ ୭୧ କୋଟି ୧୪ ଲକ୍ଷ ୩୯୪ ଟଙ୍କାର ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ହୋଇଛି । ସେହିପରି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଗସ୍ତ ବେଳେ ଏହି ଅତ୍ୟାଧୁନିକ କ୍ୟାନସର ହସପିଟାଲ ପାଇଁ ଶିଳାନ୍ୟାସ ଦେଇଛନ୍ତି । ଆଉ ଏହି ପ୍ରକଳ୍ପର ଶୁଭ ଦେଇ ସେ ବହୁତ ଖୁସି ବୋଲି କହିଛନ୍ତି । ଅପରପକ୍ଷେ , ଗତକାଲି ଏହି ହସପିଟାଲର ଶୁଭ ପଡିବା ପରେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏହାକୁ କ୍ୟାନସର୍‌ ଫାଇଟର୍ସ ଗ୍ରୁପ୍ ମଧ୍ୟ ସ୍ବାଗତ କରିଛି । ବିଶେଷ କରି କ୍ୟାନସର୍ ଆକ୍ରାନ୍ତ ମାନେ ଏହି ହସପିଟାଲକୁ ନେଇ ବହୁତ୍ ଆଶାବାଦୀ ହୋଇଉଠିଛନ୍ତି ।

ସୂଚନାଯୋଗ୍ୟ ଯେ , ଏହି ପ୍ରକଳ୍ପର ନିର୍ମାଣ କାମକୁ ଆସନ୍ତା ୨ ବର୍ଷ ମଧ୍ୟରେ ଚୂଡାନ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ହେଲେ ଏଠାରେ କ୍ୟାନସର୍ ରୋଗର ସମସ୍ତ ଅତ୍ୟାଧୁନିକ ଚିକିତ୍ସା ବରଗଡରେ ହିଁ ଉପଲବ୍ଧ ହେବ । ଆଉ ସମସ୍ତ ରୋଗୀ ମାଗଣାରେ ଏହି ଚିକିତ୍ସା ପାଇପାରିବେ ବୋଲି ଜଣାପଡିଛି ।

Comments are closed.