ଶ୍ରୀକ୍ଷେତ୍ରର ଅନନ୍ୟ ପର୍ବ ଶ୍ରୀକ୍ଷେତ୍ର ପରିକ୍ରମା

ଲେଖକ: ଗୁରୁ ଚରଣ ଦାସ

ଶ୍ରୀକ୍ଷେତ୍ରର ଅନନ୍ୟ ପର୍ବ ହେଉଛି ଶ୍ରୀକ୍ଷେତ୍ର ପରିକ୍ରମା। ମାର୍ଗଶିର ଶୁକ୍ଲ ପଞ୍ଚମୀ ଶ୍ରୀକ୍ଷେତ୍ରରେ ପାଳିତ ହୁଏ ପଞ୍ଚତୀର୍ଥ ଓ ଶ୍ରୀକ୍ଷେତ୍ର ପରିକ୍ରମା । ଶ୍ରୀକ୍ଷେତ୍ର ପରିକ୍ରମା ତଥା ପଞ୍ଚତୀର୍ଥ ପରିକ୍ରମା ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ସମୟରୁ ଆରମ୍ଭ ହୋଇଛି । ଏହି ପବିତ୍ର ଧାମର ମାହାତ୍ମ୍ୟକୁ ଅନୁଭଵ କରି ଶ୍ରୀମନ ମହାପ୍ରଭୁ ରୂପଗୋସ୍ଵାମୀ ଓ ସନାତନ ଗୋସ୍ୱାମୀଙ୍କୁ ସଙ୍ଗରେ ଧରି ଏହି ଶ୍ରୀକ୍ଷେତ୍ର ପରିକ୍ରମାର ପୁନଃ ପ୍ରଚଳନ କରିଥିଲେ। ପୂର୍ବରୁ ଏହି ପରିକ୍ରମା ପଞ୍ଚକୋଶ ବ୍ୟାପି ଅନୁଷ୍ଠିତ ହେଉଥିଲା। ଅର୍ଥାତ ସ୍ୱର୍ଗଦ୍ୱାର ଠାରୁ ଆରମ୍ଭ ହୋଇ ଲୋକନାଥ ଅତିକ୍ରମ କରି ବେଳେଶ୍ୱର ମନ୍ଦିର ଦେଇ ପୁନଃ ସ୍ୱର୍ଗଦ୍ୱାରଏ ଶେଷ ହେଉଥିଲା। ସମୟକ୍ରମେ ବର୍ତ୍ତମାନ ଏହି ପରିକ୍ରମା ସଂକ୍ଷିପ୍ତ ହୋଇଛି। ଅଠର ନଳା ଦେଇ ସିଦ୍ଧ ମହାବୀର ଅତିକ୍ରମ କରି ସ୍ୱର୍ଗଦ୍ୱାର ଯାଉଛି।

ମହାକାର୍ତିକ ମାସ ପରେ ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରର ତୀର୍ଥପୁଷ୍କରିଣୀରେ ସ୍ନାନ କରି ମାର୍କଣ୍ଡ ପୁଷ୍କରିଣୀ କୂଳରୁ ଏହି ପରିକ୍ରମା ଆରମ୍ଭ କରାଯିବାର ପରମ୍ପରା ସ୍ଥାନୀୟ ବାସିନ୍ଦାଙ୍କ ରହିଛି। କିନ୍ତୁ ଗୌଡୀୟ ବୈଷ୍ଣବବୃନ୍ଦ ସିଂହଦ୍ଵାର ଅଥବା ସ୍ଵର୍ଗଦ୍ୱାର ଠାରୁ ଏହି ପରିକ୍ରମା ଆରମ୍ଭ କରିଥାନ୍ତି। ହରିନାମ ସଂକୀର୍ତ୍ତନ ସହ ସାଧୁ ସନ୍ଥ, ବୈଷ୍ଣବ ଓ ଶ୍ରଦ୍ଧାଳୁ ମାନେ ପଦଯାତ୍ରାରେ ସାମିଲ ହୋଇ ଶ୍ରୀକ୍ଷେତ୍ର ପରିକ୍ରମା କରନ୍ତି ।

ସ୍ୱର୍ଗଦ୍ୱାର, ଶ୍ରୀଲୋକନାଥ ମନ୍ଦିର, ଅଠରନଳା ଦେଇ ପରିକ୍ରମା କରୁଥିବା ଭକ୍ତମାନେ ସିଦ୍ଧମହାବୀରଙ୍କ ମନ୍ଦିରରେ ପହଁଚିଥାନ୍ତି। ହଜାର ହଜାର ଶ୍ରଦ୍ଧାଳୁ ମହାବୀରଙ୍କୁ ଦର୍ଶନ କରିବା ସହ ପ୍ରିୟ ରସଗୋଲା ଭୋଗ କରନ୍ତି । ପଞ୍ଚତୀର୍ଥ ପାଇଁ ସମଗ୍ର ସିଦ୍ଧ ମହାବୀର ଅଞ୍ଚଳ ଲୋକାରଣ୍ୟ ହୋଇ ଉଠେ । ବର୍ଷକରେ ଗୋଟିଏ ଦିନ ଶ୍ରଦ୍ଧାଳୁମାନେ ମହାବୀରଙ୍କୁ ସ୍ପର୍ଶ କରିବା ସହ ଆଶିଷ କାମନା କରିଥାଆନ୍ତି । ପ୍ରତ୍ୟଷରୁ ସିଦ୍ଧମହାବୀରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହେ । ଏହି ଅବସରରେ ସିଦ୍ଧ ମହାବୀରଙ୍କୁ ନାଗାବେଶରେ ସଜିତ କରାଯାଏ । ପଞ୍ଚତୀର୍ଥ ପାଇଁ ପୁର୍ବ ରାତିରୁ ସିଦ୍ଧମହାବୀରଙ୍କ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳଆଳତି କରାଯିବା ପରେ ସ୍ନାନ, ଭୋଗ କରାଯାଇ ରାତ୍ରିରୁ ମହାବୀରଙ୍କୁ ନାଗାବେଶରେ ସଜ୍ଜିତ କରାଯାଏ । ଭୋରରୁ ସର୍ବ ସାଧାରଣ ଦର୍ଶନ ଆରମ୍ଭ ହୁଏ। ଶ୍ରଦ୍ଧାଳୁ ମାନେ ଧାଡ଼ିରେ ମହାବୀରଙ୍କ ଦର୍ଶନ କରିବା ସହ ରସଗୋଲା । ଭୋଗ କରିନ୍ତି । ଏହାପରେ ପରିକ୍ରମର୍ଥୀ ମାନେ ସଂକୀର୍ତ୍ତନ ସହିତ ବେଡି ହନୁମାନ, ସୁନାର ଗୌରାଙ୍ଗ ଓ ଚକ୍ରତୀର୍ଥ ଦର୍ଶନ କରିଥାନ୍ତି।ପରିଶେଷରେ ସ୍ୱର୍ଗଦ୍ୱାର ହୋଇ ଶ୍ରୀମନ୍ଦିର ସିଂହଦ୍ଵାର ରେ ପରିକ୍ରମା ଶେଷ ହୋଇଥାଏ। ଶ୍ରୀକ୍ଷେତ୍ର ପରିକ୍ରମାର ମାହାତ୍ମ୍ୟ ସ୍କନ୍ଦ ପୁରାଣ ପୁରୁଷୋତ୍ତମ ମହତ୍ମ୍ୟରେ ବର୍ଣ୍ଣିତ ହୋଇଛି।

ବିଷ୍ଣୁ ଧର୍ମୋତ୍ତର ପୁରାଣ ଅନୁସାରେ ମହାବିଷ୍ଣୁଙ୍କର ଚାରି ହାତରେ ରହିଥିବା ଚାରି ଆୟୁଧ ଯଥା ଶଙ୍ଖ, ଚକ୍ର, ଗଦା, ପଦ୍ମକୁ ନେଇ ଓଡ଼ିଶାର ଚାରିଗୋଟି ସ୍ଥାନରେ ଚାରୋଟି କ୍ଷେତ୍ର ସୃଷ୍ଟି ହୋଇଛି। ସେଥି ମଧ୍ୟରୁ ଶ୍ରୀକ୍ଷେତ୍ର ପୁରୀ ଧାମ ଶଙ୍ଖକ୍ଷେତ୍ର ଭାବେ ପରିଚିତ । ଭୌଗଳିକ ସ୍ଥିତି, ଶ୍ରୀମନ୍ଦିରର ଅବସ୍ଥିତି ତଥା ଅନ୍ୟାନ୍ୟ ତୀର୍ଥସ୍ଥଳୀ ଗୁଡ଼ିକର ଆଧାରରେ ପୁରୀକୁ ଶଙ୍ଖକ୍ଷେତ୍ର ଭାବେ ନାମିତ କରିବା ଯୁକ୍ତିଯୁକ୍ତ । ପୌରାଣିକ କିମ୍ବଦନ୍ତୀ ଅନୁସାରେ ଏହି କ୍ଷେତ୍ର ହେଉଛି ଅତି ପାବନ କ୍ଷେତ୍ର। ଯାହା ମହା ପ୍ରଳୟ କାଳରେ ନାଶ ହୋଇ ନଥାଏ। ଏହା ନିତ୍ୟ ଶାଶ୍ୱତ କ୍ଷେତ୍ର ଯେଉଁଥି ପାଇଁ ନୀଳାଦ୍ରିନାଥ ସ୍ୱୟଂ ଦାରୁବ୍ରହ୍ମ ରୂପରେ କଳିରେ ବିରାଜିତ। ଏହା ଚିନ୍ମୟ ଭୂମି। ଏହି ଭୂମୀର ପ୍ରତ୍ୟେକଟି ଧୂଳିକଣ ରେ ପୁରୀ ରହିଛି ଆଧ୍ୟାତ୍ମିକ ତାର ସ୍ପନ୍ଦନ। ଜନ୍ମ ଜୀବନକୁ ସାର୍ଥକ କରିବାକୁ ହେଲେ ଆତ୍ମ ଚିନ୍ତନ, ଆତ୍ମ ପରିକ୍ରମଣ ଆବଶ୍ୟକତା ନିହାତି ରହିଛି। ଶ୍ରୀକ୍ଷେତ୍ର ପରିକ୍ରମା ଆତ୍ମ ପରିକ୍ରମଣର ଏକ ଧାରା। ଯାହାଦ୍ୱାରା ଆମେ ସେଇ ନିତ୍ୟ ଶାଶ୍ୱତ ର ଅମୃତକୁ ସ୍ଵ ଦେହରେ ପାନକରି ଏ ମନୁଷ୍ୟ ଜୀବନକୁ ସାର୍ଥକ କରିବା।

ଆଜି ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଶିଳାନ୍ୟାସ ଉତ୍ସବ ମହା ଆଡମ୍ବରରେ ସମାହିତ ହେବାକୁ ଯାଉଛି। ଏହି ଭବ୍ୟ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଗଜପତି ମହାରାଜ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଉତ୍ସବର ମହତ୍ୱକୁ ପ୍ରତିପାଦିତ କରିବାକୁ ଯାଉଛନ୍ତି। କହିବାର କଥା ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅହେତୁକି କୃପାରୁ ଏବଂ ଦୈବୀ ସଂଯୋଗ ବଶତଃ ପୁରାଣ ବର୍ଣ୍ଣିତ ଶ୍ରୀକ୍ଷେତ୍ର ପରିକ୍ରମା ଦିବସରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଅୟମାରମ୍ଭ ପର୍ବ ଅଵସରରେ ଆୟୋଜିତ ଯଜ୍ଞର ପୂର୍ଣାହୁତି କାର୍ଯ୍ୟ ସମ୍ପାଦିତ ହେବ। ରାଜ୍ୟ ଶାସନର ମୁଖ୍ୟ ଜଗନ୍ନାଥଗତ ପ୍ରାଣ ନବୀନ ପଟ୍ଟନାୟକ ଏହି ପବିତ୍ର ଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିବେ। ସମଗ୍ର ଘଟଣାବଳିକୁ ତର୍ଜମା କଲେ ଆଜିପରି ପୁଣ୍ୟ ତିଥିରେ ପୁଣ୍ୟ କାର୍ଯ୍ୟ ରାଜ୍ୟ ତଥା ଶ୍ରୀଜଗନ୍ନାଥ ପ୍ରେମୀଙ୍କ ପାଇଁ ନିଶ୍ଚିତ ମଙ୍ଗଳପ୍ରଦ ହେବା ସହ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ରାଜ୍ୟର ଯଶ ବୄଦ୍ଧି କରିବା ।

Comments are closed, but trackbacks and pingbacks are open.