ଡିସେମ୍ବର ୨ ରୁ ୪ ଯାଏଁ ରାଜ୍ୟରେ ସମ୍ଭାବ୍ୟ ଲଘୁଚାପ ବର୍ଷା, ବାତ୍ୟା ହେବା ନେଇ ସ୍ପଷ୍ଟ ସୂଚନା ନାହିଁ

ଭୁବନେଶ୍ୱର- ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଡିସେମ୍ବର ୨ତାରିଖରୁ ୪ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ, ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ , ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ସୃଷ୍ଟି ହେବାକୁ ଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହେବ ବୋଲି ସ୍ପଷ୍ଟ ହୋଇସାରିଛି ।

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ଲଘୁଚାପ କ୍ଷେତ୍ର ସାଇକ୍ଲୋନିକ ଡିଷ୍ଟର୍ବାନ୍ସରେ ପରିଣତ ହେବା ନେଇ ୩୩ରୁ ୬୭ ପ୍ରତିଶତ ସମ୍ଭାବନା ରହିଛି । ଯଦି ଏହା ବାତ୍ୟାର ରୂପ ନିଏ, ତାହା ହେଲେ କେଉଁ ଅଞ୍ଚଳ ଦେଇ ଅତିକ୍ରମ କରିବ, ତାହା ଏ ଯାଏ ସ୍ପଷ୍ଟ ହୋଇନାହିଁ । ଲଘୁଚାପ ସୃଷ୍ଟି ହେବା ପରେ ହିଁ ଏ ନେଇ ଜଣାପଡିବ । ଏଣେ ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସବୁ ପ୍ରକାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ହେବ ବୋଲି ସେ କହିଛନ୍ତି ।

Comments are closed.