ଭଗବାନ ଶ୍ରୀକୃଷ୍ଣଙ୍କ ଅନ୍ୟଏକ ନାମ ହେଉଛି ରଣଛୋଡଜୀ ! ଏପରି ନାମକରଣ ର କାରଣ କଣ ?

ଭଗବାନ ଶ୍ରୀକୃଷ୍ଣଙ୍କ ରହିଛି ଅନେକ ନାମ।ସିଏ ହେଉଛନ୍ତି ପୂର୍ଣ୍ଣ ପୁରୁଷୋତ୍ତମ। ତାଙ୍କ ଇଚ୍ଛାରେ ଏ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ପରିଚାଳିତ। ତାଙ୍କର ପ୍ରତ୍ୟେକଟି ମାନବୀୟ ଲୀଳା ଥିଲା ବଡ଼ ବିଚିତ୍ର।ସମସ୍ତ ସମର୍ଥବାନ ଏହି ଭଗବାନ କିନ୍ତୁ ଏଭଳି ଏକ ସମୟ ଆସିଥିଲା ଯେତେବେଳେ ଶ୍ରୀକୃଷ୍ଣଙ୍କୁ ରଣଭୂମି ଛାଡି ଚାଲିଯିବାକୁ ପଡିଥିଲା। ଯେଉଁ କାରଣରୁ ତାଙ୍କ ନାଁ ରଣଛୋଡ ରଖାଯାଇଥିଲା। ବାସ୍ତବରେ ଏହାପଛରେ ଏକ ରହସ୍ୟମୟ କାହାଣୀ ରହିଛି, ଯାହା ବିଷୟରେ ଅଧିକାଂଶ ଲୋକ ସମ୍ପୂର୍ଣ୍ଣ ଅଜ୍ଞ ।

ମହାଭାରତ କଥା ଆଧାର ରେ ଥରେ ମଗଧରାଜ ଜରାସଂଧ ଭଗବାନ ଶ୍ରୀକୃଷ୍ଣଙ୍କୁ ଯୁଦ୍ଧ ପାଇଁ ଆହ୍ଵାନ ଦେଇଥିଲେ । କିନ୍ତୁ ସେ ଶ୍ରୀକୃଷ୍ଣଙ୍କ ବିରୋଧରେ ଏହିଯୁଦ୍ଧ ପାଇଁ ଯବନ ଦେଶର ରାଜା କାଳଯବନଙ୍କୁ ମଧ୍ୟ ନିଜ ସହ ମିଶାଇଥିଲେ। ବାସ୍ତବରେ କାଳଯବନଙ୍କୁ ଏକ ବର ମିଳିଥିଲା। ବର ଟି ଥିଲା କୌଣସି ଚନ୍ଦ୍ରବଂଶୀ ହେଉ ଅବା ସୂର୍ଯ୍ୟବଂଶୀ ରାଜା ତାଙ୍କୁ ଯୁଦ୍ଧରେ ହରାଇ ପାରିବେ ନାହିଁ।ସେହଭିଳି ତାଙ୍କୁ କୌଣସି ହତିଆର ଏବଂ ବଳଦ୍ୱାରା ମଧ୍ୟ କେହି ହରାଇ ପାରିବେନାହିଁ । ଭଗବାନ ଶଙ୍କରଠାରୁ ଏହି ବରଦାନ କାଳ ଯବନ କୁ ପ୍ରାପ୍ତ ହୋଇଥିଲା ।

ଭଗବାନ ଶ୍ରୀକୃଷ୍ଣ କାଳଯବନ ସହିତ ଯୁଦ୍ଧ କାଳରେ ଯୁଦ୍ଧ ମଝିରୁ ସିଏ ପଳାୟନ କରି ଏକ ଗୁମ୍ଫା ଭିତରେ ପଶି ଯାଇଥିଲେ। ଶ୍ରୀକୃଷ୍ଣ ଯେଉଁ ଗୁମ୍ଫାରେ ଯାଇ ଲୁଚି ଥିଲେ, ସେଠାରେ ପୂର୍ବରୁ ହିଁ ଇକ୍ଷାକୁ ନରେଶ ମାଂଧାତାଙ୍କ ପୁତ୍ର ଏବଂ ଦକ୍ଷିଣ କୋଷଳର ରାଜା ମୁଚକୁନ୍ଦ ଗଭୀର ନିଦରେ ଶୋଇଥିଲେ। ବାସ୍ତବରେ ସେମାନେ ଅସୁର ସହ ଯୁଦ୍ଧ କରି ଦେବତାଙ୍କୁ ବିଜୟି କରିଥିଲେ ଏହା ପରେ ବାରମ୍ବାର କିଛି ଦିନ ପର୍ଯ୍ୟନ୍ତ ସିଏ ଯୁଦ୍ଧକରିବା ପରେ ଥକି ଯାଇଥିଲେ।ଏହିକାରଣରୁ ଭଗବାନ ଇନ୍ଦ୍ର ତାଙ୍କୁ ଶୋଇବା ପାଇଁ ଆଗ୍ରହ କରିଥିଲେ। ଏଥିସହ ତାଙ୍କୁ ଯିଏ ବି ନିଦ୍ରାରୁ ଜାଗ୍ରତ କରିବ ସେ ଜଳି ଭସ୍ମ ହୋଇଯିବ ବୋଲି ଭଗବାନ ଇନ୍ଦ୍ର ମୁଚକୁନ୍ଦଙ୍କୁ ବରଦାନ ଦେଇଥିଲେ।

ରାଜା ମୁଚକୁନ୍ଦଙ୍କୁ ମିଳିଥିବା ବରଦାନ ବିଷୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଆଗରୁ ଜଣା ଥିଲା। ସେ କାଳଯବନଙ୍କୁ ନିଜ ପଛେପଛେ ସେହି ଗୁମ୍ଫା ପର୍ଯ୍ୟନ୍ତ ନେଇଆସିଥିଲେ। ଏହାପରେ ଶ୍ରୀକୃଷ୍ଣ କାଳଯବନଙ୍କୁ ଭ୍ରମିତ କରିବା ପାଇଁ ନିଜର ପିତାମ୍ବରକୁ ରାଜା ମୁଚକୁନ୍ଦଙ୍କ ଉପରେ ପକାଇ ଦେଇଥିଲେ। କାଳୟବନ ସେହି ପିତାମ୍ବର ବସ୍ତ୍ରକୁ ଦେଖି ଶ୍ରୀକୃଷ୍ଣ ଭୟରେ ଲୁଚି ଗୁମ୍ଫାରେ ଶୋଇଥିବା ଭାବିଥିଲେ। ଏହାପରେ କାଳଯବନ ରାଜା ମୁଚକୁନ୍ଧଙ୍କୁ ଶ୍ରୀକୃଷ୍ଣ ଭାବି ନିଦରୁ ଉଠାଇଥିଲେ। ଯାହାଫଳରେ ରାଜା ମୁଚକୁନ୍ଦ ନିଦରୁ ଜାଗ୍ରତ ହେବାପରେ କାଳଯବନ ସେଠାରେ ହିଁ ଜଳି ଭସ୍ମ ହୋଇଗଲେ। ପ୍ରକୃତରେ ଏହା ଶ୍ରୀକୃଷ୍ଣ ଙ୍କର ଏକ ନୀଳା ଥିଲା। ଭଗବାନ ଶ୍ରୀକୃଷ୍ଣ ମହାଭାରତର ଯୁଦ୍ଧରେ ଗୀତାର ଉପଦେଶ ଦେବା ସହ କହିଥିଲେ, ସୃଷ୍ଟିରେ ଯାହା କିଛି ବି ହୋଇଥାଏ, ତାହା ତାଙ୍କ ଇଛା ଅନୁସାରେ ହୋଇଥାଏ। ଏନେଇ କାଳଯବନଙ୍କ ଅନ୍ତ ମଧ୍ୟ ତାଙ୍କ ଇଛା ଅନୁଯାୟୀ ହୋଇଥିଲା।

ଭଗବାନ ଶ୍ରୀକୃଷ୍ଣ ଏହି ଯୁଦ୍ଧ ବା ରଣ ମଝିରୁ ଛାଡି ପଳାଇ ଥିବାରୁ ତାଙ୍କ ଅନ୍ୟ ଏକ ନାମ ରଣଛୋଡଜୀ ରଖାଗଲା। ଭକ୍ତର ସ୍ମୃତିକୁ ବହନ କରି ଭଗବାନ ଏହି ନାମକୁ ଅଙ୍ଗୀକାର କରିନେଲେ।

Comments are closed.