ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ଦେଲା ନୂଆ ଜୀବନ, ବିଶାଖାପାଟଣାରେ ମାଗଣା ଚିକିତ୍ସା ପାଇଲେ କିଡନି ରୋଗୀ

ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ସାଧୁବାଦ

ଭବାନୀପାଟଣା : କିଡନି ପରି ରୋଗରେ ଯଦି କୌଣସି ଗରିବ ଲୋକ ଆକ୍ରାନ୍ତ ହୁଅନ୍ତି , ତାହେଲେ ସେହି ପରିବାର ଉପରେ କେତେ ବଡ ବିପଦ ଆସିଥାଏ ତାହା କଳ୍ପନା କରିବା ମୁସ୍କିଲ । ମୁଖ୍ୟମନ୍ତ୍ରୀ ଏଭଳି ସମସ୍ତ ପ୍ରକାରର ରୋଗର ଚିକିତ୍ସାରୁ ଯେପରି କୌଣସି ଲୋକ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲା ବୁଲି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରୁଛନ୍ତି । ଏହାଦ୍ବାରା ରାଜ୍ୟର ୨ ଶହରୁ ଉର୍ଦ୍ଧ ବଡ ବଡ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା ଉପଲବ୍ଧ ହୋଇପାରୁଛି । ତେବେ , ବିରୋଧୀ ଏହି ସ୍ମାର୍ଟ କାର୍ଡ ବିରୋଧରେ ଚଲାଇଥିବା ଏକ ଅପପ୍ରଚାରକୁ ଶକ୍ତ ଜବାବ ଦେଇଛନ୍ତି କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଖମାରହଲଦି ପଞ୍ଚାୟତ ଆମ୍ବଗୁଡାର ୭୫ ବର୍ଷିଆ ବୃଦ୍ଧା ଭାନୁମତୀ ସରାଫ । କିଡନି ରୋଗରେ ଆକ୍ରାନ୍ତ ଥିବା ଭାନୁମତି ବିଏସ୍‌କେୱାଇ ସ୍ମାର୍ଟ କାର୍ଡ ଦ୍ବାରା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ମାଗଣାରେ ଚିକିତ୍ସିତ ହୋଇପାରିଛନ୍ତି। ଏହି ଘଟଣା ପରେ କେବଳ ରାଜ୍ୟରେ ନୁହେଁ ରାଜ୍ୟ ବାହାରେ ବି ବିଏସ୍‌କେୱାଇ ସ୍ମାର୍ଟ କାର୍ଡ ଲୋକଙ୍କ ଜୀବନ ରକ୍ଷାକାରୀ କବଚ ଭାବେ ଉଭା ହୋଇଥିବା ସ୍ପଷ୍ଟ ହୋଇଛି ।

ମୁଖ୍ୟମନ୍ତ୍ରୀ ରାଜ୍ୟ ସମସ୍ତ ଗରିବ ଲୋକଙ୍କୁ ଡାକ୍ତରଖାନାରେ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରି ମାଗଣାରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରୁଛନ୍ତି । ସ୍ୱାସ୍ଥ୍ୟ ସେବା ପାଇଁ କୌଣସି ଗରିବ ଘରର ପିଲାଙ୍କ ପାଠପଢା ବନ୍ଦ ନ ହେଉ , ଘରଦ୍ବାର ବନ୍ଧା ନ ପଡୁ ସେଥିପାଇଁ ଏହି କାର୍ଡ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସବୁଠି ଲୋକଙ୍କୁ ଆଶ୍ୱାସନା ଦେଇ ଆସୁଛନ୍ତି । ତେବେ , ମୁଖ୍ୟମନ୍ତ୍ରୀଙ୍କ ଏହି ଆଶ୍ୱାସନା ପ୍ରମାଣିତ ବି ହୋଇସାରିଛି । ଏହାର ଏକାଧିକ ପ୍ରମାଣ ବି ପ୍ରତିଦିନ ସାମ୍ନାକୁ ଆସୁଛି । ଏମିତିକି ଏହି କାର୍ଡରେ କେବଳ ଓଡିଶାରେ ନୁହେଁ , ଓଡିଶା ବାହାରେ ମଧ୍ୟ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ବି ମିଳୁଛି । କଳାହାଣ୍ଡି ଜିଲ୍ଲାର ଉପାନ୍ତ ଗୋଲାମୁଣ୍ଡା ବ୍ଲକ ଆମ୍ବଗୁଡା ଗାଁର ଶରତ ସରାଫଙ୍କ ମାଁ ଭାନୁମତୀ ( ୭୫ ) କିଡନି ଭଳି ବ୍ୟୟବହୁଳ ଚିକିତ୍ସା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ହୋଇପାରିଛନ୍ତି। ଭାନୁମତି ( ୭୫ ) କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ । ଅନେକ ଡାକ୍ତରଖାନାରେ ଚିକିତ୍ସିତ କରାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଡାକ୍ତର ତାଙ୍କୁ ବିଶାଖାପାଟଣାର ଏକ ବେସରକାରୀ ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ଅଧିକ ପଇସା ଖର୍ଚ୍ଚ ହେଉଥିବାରୁ ପରିବାର ଲୋକେ ଏହି ଖର୍ଚ୍ଚ ତୁଳାଇବାକୁ ଅକ୍ଷମ ଥିଲେ । ଆଉ ତାଙ୍କ ଚିକିତ୍ସା ଖର୍ଚ୍ଚ କେମିତି ତୁଳାଇବେ ତାହାକୁ ନେଇ ଚିନ୍ତାରେ ପଡିଯାଇଥିଲେ । ଏହି ସମୟରେ ଜୁନାଗଡ଼ ବିଧାୟକ ତଥା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମନ୍ତ୍ରୀ ଶ୍ରୀ ମିଶ୍ର ବିଏସ୍‌କେୱାଇ ସ୍ମାର୍ଟ କାର୍ଡ ଜରିଆରେ ସେଠାରେ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ । ପରେ ଶ୍ରୀ ସରାଫ ଡାକ୍ତରଖାନାରେ ଏହି ସ୍ମାର୍ଟ କାର୍ଡ ଦେଖାଇ ତାଙ୍କ ମାଁଙ୍କ ଚିକିତ୍ସା ଆରମ୍ଭ କରାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି କାର୍ଡ ଜରିଆରେ ପ୍ରାୟ ଚାରି ଲକ୍ଷରୁ ଅଧିକ ଟଙ୍କାର ମାଗଣା ସ୍ବାସ୍ଥ୍ୟ ସୁବିଧା ପାଇ ପାରିଥିବାରୁ ଶ୍ରୀ ସରାଫ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ୍ ଜଣାଇଛନ୍ତି । ସେହିପରି ଭାନୁମତି ମଧ୍ୟ ଏହି ସୁବିଧା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।

Comments are closed.