କୋଭିଡ୍ ଟିକାକରଣର ଅଗ୍ରଦୂତ: ବୁଝାସୁଝା କରି ଆଦିବାସୀ, ବସ୍ତିବାସିନ୍ଦାଙ୍କ କରୁଛନ୍ତି ଟିକାକରଣ

ପାରଳାଖେମୁଣ୍ଡି: ଦେଶରେ ଓମିକ୍ରୋନ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ସହ କରୋନା ତୃତୀୟ ଲହର ଆଶଙ୍କା କ୍ରମେ ଅଧିକ ହେବାରେ ଲାଗିଛି। ଏହାର ମୁକାବିଲା ପାଇଁ ସବୁସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ସରକାର ତଥା ରାଜ୍ୟର ପ୍ରଶାସନିକ ଅଧିକାରୀମାନେ ଏ ଦିଗରେ ତତ୍ପରତାର ସହ କାର୍ଯ୍ୟ କରି ଆସୁଛନ୍ତି। ତେବେ କେବଳ କୋଭିଡ୍ ମୁକାବିଲାରେ ସୀମିତ ରହି ଯାଇନି ସେମାନଙ୍କ ପ୍ରୟାସ, ବରଂ ଏବେ ଚାଲିଥିବା କରୋନା ପ୍ରତିଷେଧକ ଟିକାକରଣ କ୍ଷେତ୍ରରେ ମଧ୍ୟ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ହେତୁ ମିଳୁଛି ଉତ୍ତମ ସୁଫଳ। ଗଜପତି ଜିଲ୍ଲାରେ ଏହାର ନଜିର ନିକଟରେ ଦେଖିବାକୁ ମିଳିଛି।

ଟିକା ନେଲେ କାଳେ ଲୋକେ ଅଚେତ ହୋଇ ପଡୁଛନ୍ତି… କରୋନା କଣ ହେବ, ଓଲଟି ଖାଲି ଦେହରେ ତାତି ଆସି ମୁଣ୍ଡବ୍ୟଥା ହୋଇ ଗୁରୁତର ଅସୁସ୍ଥ ହୋଇ ପଡୁଛନ୍ତି… ଏଭଳି କିଛି ଅମୂଳକ ବିଶ୍ବାସ ମନରେ ବାନ୍ଧି ରଖିଥିଲେ ଗୋଷାଣି ବ୍ଲକ୍ ଉପଲଡ଼ା ହରିଜନ ବସ୍ତିର ଲୋକ। ସେଥିପାଇଁ ଜିଲ୍ଲାରେ ଟିକାକରଣ ଆରମ୍ଭ ହେବାର ପ୍ରାୟ ୧୦ ମାସରୁ ଅଧିକ କାଳ ବିତି ସାରିଥିଲେ ବି ସେମାନଙ୍କ ମଧ୍ୟରୁ କେହି ବି ଗୋଟିଏ ଡୋଜ୍ ଟିକା ମଧ୍ୟ ଗ୍ରହଣ କରି ନଥିଲେ। ଅନ୍ଧବିଶ୍ବାସ ହେତୁ ବସ୍ତିବାସିନ୍ଦା କୋଭିଡ୍ ଟିକାକୁ ଛି ଛି କହୁଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ କୋଭିଡ୍ ଟିକାକରଣ ମୋବାଇଲ୍ ଭ୍ୟାନ୍ ଉକ୍ତ ବସ୍ତିକୁ ମଧ୍ୟ ଯାଇଥିଲା। ତେବେ କୌଣସି ସୁଫଳ ବିନା ଫେରି ଆସିଥିଲା। ହେଲେ କଥାରେ ଅଛି ନିଷ୍ଠାପର ପ୍ରୟାସ କେବେ ବିଫଳ ଯାଏନି। ବସ୍ତିର ଅଶିକ୍ଷିତ ବା କମ୍ ଶିକ୍ଷିତ ଲୋକଙ୍କୁ ବୁଝାଇବାକୁ ବାରମ୍ବାର ଚେଷ୍ଟା କରି ଆସୁଥିଲେ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜନସ୍ବାସ୍ଥ୍ୟ ଅଧିକାରିଣୀ (ପିଏଚ୍‌ଓ) ମମତା ପାଢ଼ୀ। ସେ ବସ୍ତିର ମହିଳା, ଯୁବକ, ବୃଦ୍ଧ, କିଶୋର ଆଦି ବିଭିନ୍ନ ବୟସ ବର୍ଗର ଲୋକଙ୍କୁ ସାକ୍ଷାତ କରି ସେମାନଙ୍କ ସାଙ୍ଗରେ କଥା ହୋଇଥିଲେ। କୋଭିଡ୍ ଟିକା ଦ୍ଵାରା ମହାମାରୀରୁ କିପରି ଜୀବନରକ୍ଷା ହୋଇପାରିବ, କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହେବ ନାହିଁ ତାହା ବିସ୍ତୃତ ଭାବେ ଥରେ ନୁହେଁ, ବାରମ୍ବାର ବୁଝାଇଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟ ସରକାର ମାଗଣାରେ କୋଭିଡ୍ ଟିକା ଦେଉଥିବା ବୁଝାସୁଝା କରିଥିଲେ। ଶେଷରେ ସଚେତନତା ସୃଷ୍ଟି ପାଇଁ ତାଙ୍କ ପ୍ରଚେଷ୍ଟା ବାସ୍ତବ ରୂପ ନେଇଛି। ୧୦ ମାସ କାଳ ମନା କରିବା ପରେ ଶେଷରେ ଏହି ହରିଜନ ବସ୍ତିବାସିନ୍ଦା କୋଭିଡ୍ ପ୍ରଥମ ଡୋଜ୍ ଟିକା ଗ୍ରହଣ କରିଛନ୍ତି। ପ୍ରଥମ ଥରରେ ୪୦ ଜଣ ବସ୍ତିବାସିନ୍ଦା କୋଭିଡ୍ ଟିକା ନେଇଛନ୍ତି। ଆଗକୁ ଅନ୍ୟ ବସ୍ତିବାସିନ୍ଦାଙ୍କ ମଧ୍ୟ ପ୍ରଥମ ଡୋଜ୍ ତଥା ସମସ୍ତଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ କରାଯିବ ବୋଲି କହିଛନ୍ତି ପିଏଚ୍ଓ ମମତା ପାଢ଼ୀ।

ସେହିପରି କାଶୀନଗର ବ୍ଲକ୍ ପ୍ରଶାସନ ମଧ୍ୟ ଏ ଦିଗରେ ଆଉ ଏକ ସଫଳତାର କାହାଣୀ ଲେଖିଛି। ଏହି ବ୍ଲକ୍ ପାର୍ତ୍ତାଡ଼ା ପଞ୍ଚାୟତରେ ବହୁ ଆଦିବାସୀ ଗ୍ରାମ ରହିଛି। କିନ୍ତୁ ଆଦିବାସୀମାନେ ଶିକ୍ଷା ଓ ସଚେତନତା ଠାରୁ ଦୂରରେ ରହିଥିବା କାରଣରୁ ପ୍ରଶାସନିକ କଳ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ବାରମ୍ବାର ଚେଷ୍ଟା ସତ୍ତ୍ବେ ଟିକା ନେବାକୁ ରାଜି ହେଉ ନଥିଲେ। ତେବେ ବିଡିଓ ଲକ୍ଷ୍ମୀପ୍ରସାଦ ସାହୁ ହାର୍ ମାନିବା ଲୋକ ନଥିଲେ। ସେ ନିଜେ ଉକ୍ତ ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇଥିଲେ। ଲୋକଙ୍କୁ ପ୍ରତ୍ୟକ୍ଷ ଭାବେ ଭେଟି ବୁଝାଇଥିଲେ ଯେ ଟିକା ନେଲେ କିଭଳି ଏହି ମହାମାରୀରେ ମୃତ୍ୟୁ ଠାରୁ ସୁରକ୍ଷିତ ରହିହେବ। କିଭଳି ସାରା ବିଶ୍ୱର ଲୋକେ ଟିକା ନେଉଛନ୍ତି ଏବଂ ଆଦିବାସୀମାନେ ଟିକା ଗ୍ରହଣ କଲେ ନିଜେ ଓ ନିଜ ପରିବାର ଲୋକଙ୍କୁ କିପରି ସୁରକ୍ଷିତ ରଖିପାରିବେ ତାହା ବୁଝାସୁଝା କରିଥିଲେ। ଶେଷରେ ତାଙ୍କ ସଚେତନତା ପ୍ରୟାସରୁ ସୁଫଳ ମିଳିଛି। ଡାକ୍ତରୀ ଟିମ୍, ସିଡିପିଓ, ଅଙ୍ଗନବାଡ଼ି କର୍ମୀଙ୍କୁ ସାଙ୍ଗରେ ନେଇ ବିଡିଓ ଉକ୍ତ ପଞ୍ଚାୟତରେ ପହଞ୍ଚି ଲୋକଙ୍କୁ ବୁଝାଇ, ସେମାନଙ୍କ ଅନ୍ଧବିଶ୍ଵାସ ଦୂର କରି ଟିକାକରଣ ପାଇଁ ରାଜି କରାଇଥିଲେ। ଆଦିବାସୀମାନେ ଶେଷକୁ ଟିକା ନେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ- ଗଜପତି ଜିଲ୍ଲାରେ ମୋଟ ୯୭୧୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୯୬୩୩ ଜଣ ସୁସ୍ଥ ହୋଇ ସାରିଲେଣି। ୮୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ମାତ୍ର ୨ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଅର୍ଥାତ୍ ପଜିଟିଭଶୂନ୍ୟ ଜିଲ୍ଲା ହେବାକୁ ବସିଲାଣି ଗଜପତି। ଗତ କିଛି ଦିନ ଏମିତି ବି ଯାଇଛି ଯେଉଁଦିନ ଜିଲ୍ଲାରେ କେହି ଜଣେ ବି ନୂଆ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି। ଜିଲ୍ଲାରେ ଡିସେମ୍ବର ମାସ ପ୍ରଥମ ସପ୍ତାହ ବେଳକୁ ଦୈନିକ ପ୍ରାୟ ୫୦୦ ଜଣଙ୍କ ନମୁନା ସଂଗ୍ରହ କରାଯାଉଥିଲେ ହେଁ ପରୀକ୍ଷଣରୁ କେହି ରୋଗୀ ବାହାରୁ ନାହାନ୍ତି। ଅର୍ଥାତ୍ ଜିଲ୍ଲାରେ ପଜିଟିଭିଟି ରେଟ୍ ଶୂନ ପ୍ରତିଶତ ହୋଇ ଆସୁଛି। ଜିଲ୍ଲାରେ ୩ ଲକ୍ଷ ୧୧ ହଜାର ୭୩୨ ଜଣ ପ୍ରଥମ ଡୋଜ୍ ଓ ୧ ଲକ୍ଷ ୭୩ ହଜାର ୨୪୩ ଜଣ ଦ୍ବିତୀୟ ଡୋଜ୍ ଟିକା ନେଇ ମହାମାରୀ ଠାରୁ ନିଜକୁ ସୁରକ୍ଷିତ କରିବାକୁ ସକ୍ଷମ ହୋଇପାରିଛନ୍ତି।

Comments are closed.