ଆଜି ମୋକ୍ଷଦା ଏକାଦଶୀ, ମୋକ୍ଷଦା ଏକାଦଶୀ ବ୍ରତ ଦ୍ବାରା ଜୀବର ମୋକ୍ଷପ୍ରାପ୍ତି ହୋଇଥାଏ

ମାର୍ଗଶୀର ମାସ ଶୁକ୍ଳପକ୍ଷ ଏକାଦଶୀକୁ ମୋକ୍ଷଦାୟିନୀ ଏକାଦଶୀ ଅଥବା ମୋକ୍ଷଦା ଏକାଦଶୀ କୁହାଯାଇଥାଏ । ଧର୍ମଶାସ୍ତ୍ର ଅନୁସାରେ ମୋକ୍ଷଦାୟିନୀ ଏକାଦଶୀ ପିତୃପୁରୁଷଙ୍କୁ ମୋକ୍ଷ ପ୍ରଦାନକାରୀ ଏକାଦଶୀ ରୂପରେ ଜଣାଯାଏ । ଶାସ୍ତ୍ରରେ ବର୍ଣ୍ଣିତ ରହିଛି ଯେ ଏହି ଏକାଦଶୀ ବଡ ବଡ ବିପତ୍ତିକୁ ମଧ୍ୟ ନାଶ କରିଥାଏ । ଏହି ଦିନ ଯେଉଁମାନେ ଶ୍ରଦ୍ଧା ଏବଂ ବିଧିବିଧାନ ଅନୁସାରେ ଏହି ଏକାଦଶୀ ବ୍ରତ କରିଥାନ୍ତି ସେମାନଙ୍କର ମୋକ୍ଷ ପ୍ରାପ୍ତି ହୋଇଥାଏ ।

ପୌରାଣିକ ମତ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ମୋକ୍ଷଦାୟିନୀ ଏକାଦଶୀର ମହତ୍ତ୍ବ ବୁଝାଇ କହିଥିଲେଯେ ମୋକ୍ଷଦା ଏକାଦଶୀ ପରମ ପୂଣ୍ୟଦାୟୀ।ଯେଉଁମାନେ ଏଦିଦିନ ଶ୍ରଦ୍ଧାର ସହିତ ଭକ୍ତିପୂତ ଭାବରେ ପୂଜା ଆରାଧନା କରିଥାନ୍ତି ସେମାନଙ୍କର ସମସ୍ତକଷ୍ଟ ଦୂର ହୋଇ ଥାଏ । ଏହା ଜୀବକୁ ମୋକ୍ଷ ପ୍ରାପ୍ତି କରାଇଥାଏ ।

ଅନ୍ୟ ଏକ ପୌରାଣିକ କଥାବସ୍ତୁ ଅନୁସାରେ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ଗୀତାର ଉପଦେଶ ଦେଇଥିଲେ । ତେଣୁ ଭାରତ ବର୍ଷର ଅନେକ ସ୍ଥାନରେ ଆଜି ଗୀତା ଜୟନ୍ତୀ ପାଳିତ ହୋଇଥାଏ। ଅବଶ୍ୟ ସ୍ଥାନ ବିଶେଷରେ ଭିନ୍ନ ଦିନ ଏହା ପାଳନ କରାଯାଇଥାଏ। ଯେପରି ଉତ୍କଳ ପ୍ରାନ୍ତରେ ତ୍ରୟୋଦଶୀ ତିଥିରେ ଗୀତା ଜୟନ୍ତୀ ପାଳିତ ହୋଇଥାଏ। ଭଗବାନ ଶ୍ରୀକୃଷ୍ଣଙ୍କ ଉପଦେଶ ପରେ ଅର୍ଜୁନ ମହାଭାରତ ଯୁଦ୍ଧରେ ନିଜକୁ ନିୟୋଜିତ କରିଥିଲେ ଏବଂ ଏହାପରେ ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥିଲା ।

ମୋକ୍ଷଦା ଏକାଦଶୀର ପୂଜା ବିଧି :- ସକାଳୁ ସ୍ନାନଆଦି ଶେଷକରି ପୂଜା ଗୃହ କିମ୍ବା ମନ୍ଦିରର ମାର୍ଜନା କରନ୍ତୁ ।ଏହାପରେ ଶାଳଗ୍ରାମ ବିଷ୍ଣୁଶିଳା ଅଥବା ବିଷ୍ଣୁ ବିଗ୍ରହଙ୍କୁ ଗଙ୍ଗାଜଳରେ ସ୍ନାନକରାନ୍ତୁ । ତାପରେ ଭଗବାନଙ୍କୁ ସୁବାସିତ ଚନ୍ଦନ ଓ ଫୁଲରେ ଶୃଙ୍ଗାର କରାନ୍ତୁ। ଏହାପରେ ତୁଳସୀ ମଞ୍ଜରୀ ଦ୍ୱାରା ୧୦୮ ବା ସାଧ୍ୟମତେ ବିଷ୍ଣୁ ମନ୍ତ୍ରରେ ଅର୍ଚ୍ଚନା କରନ୍ତୁ। ଅର୍ଚ୍ଚନାନ୍ତେ ଭୋଗ ନିବେଦନ ପୁର୍ବକ ଆରତୀ ଓ ପୁପ୍ସାଞ୍ଜଳି ପ୍ରଦାନ କରି ଆତ୍ମନିବେଦନ କରନ୍ତୁ। ତାପରେ ଭଗବାନ ଗଣେଶଙ୍କ ଆରତୀ କରନ୍ତୁ । ଏହାପରେ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ ପୁନଃ ଆରତୀ କରନ୍ତୁ । ଏହାପରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରିବା ସହିତ ନିଜେ ନିର୍ଜଳା ଉପବାସ ପାଳନ କରନ୍ତୁ।ନିର୍ଜଳା ଉପବାସ କରିବାରେ ଅସମର୍ଥ ହେଲେ ଶାସ୍ତ୍ରୀୟ ବିଧାନରେ ଅନୁକଳ୍ପ ପାଳନ କରନ୍ତୁ। ଏହି ସମୟ ରେ ଦୁଗ୍ଧ, ମିଶ୍ରି ପଣା ବା ଫଳମୂଳ ଗ୍ରହଣ କରିପାରନ୍ତି। ସନ୍ଧ୍ୟାରେ ଜାଗର ଜାଳି ହରି ସ୍ମରଣ ରେ ରୁହନ୍ତୁ।

Comments are closed.