କୁଶଳୀ ମାନବ ସମ୍ବଳ ପ୍ରସ୍ତୁତିର ମୂଳଦୁଆ ବ୍ରହ୍ମପୁର ଆଇଟିଆଇ: ଡ. ଗୋପବନ୍ଧୁ ଦାସ

ବ୍ରହ୍ମପୁର: ସାରା ଦେଶ ଓ ବିଶ୍ୱକୁ ଏବେ କୁଶଳୀ ମାନବ ସମ୍ବଳ ଲୋଡ଼ା। ବର୍ତ୍ତମାନ ଯେଉଁ ପରିବର୍ତ୍ତନର ଧାରା ଚାଲିଛି ତାହାକୁ ଆଖିରେ ରଖି ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କିଲ ଇନ୍ ଓଡ଼ିଶା ଅଭିଯାନ ଆରମ୍ଭ କରିଥିଲେ। ଏବେ ତାହାର ସୁଫଳ ଦେଖିବାକୁ ମିଳୁଛି। ସରକାରୀ ଆଇଟିଆଇ ପ୍ରଶିକ୍ଷାର୍ଥୀମାନେ ଦେଶ ବିଦେଶର ନାମୀଦାମୀ କମ୍ପାନୀରେ ନିଯୁକ୍ତି ପାଇ କେବଳ ନିଜର ଓ ପରିବାର ଆର୍ଥିକ ସମୃଦ୍ଧି କରୁନାହାନ୍ତି, ବରଂ ରାଜ୍ୟ ଓ ଦେଶ ତଥା ଅନୁଷ୍ଠାନ ପାଇଁ ସୁନାମ ଆଣୁଛନ୍ତି। ଏଣୁ ବ୍ରହ୍ମପୁର ଆଇଟିଆଇ କୁଶଳୀ ମାନବ ସମ୍ବଳ ପ୍ରସ୍ତୁତିର ମୂଳଦୁଆ ପାଲଟିଛି। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡ. ଗୋପବନ୍ଧୁ ଦାସ। ସେ ବ୍ରହ୍ମପୁର ଆଇଟିଆଇରେ ଆୟୋଜିତ ପ୍ରଶିକ୍ଷାର୍ଥୀଙ୍କୁ ଅଫର ଲେଟର୍ ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ। ଆଇଟିଆଇରେ ସପ୍ତାହେବ୍ୟାପୀ ଅନୁଷ୍ଠିତ ପ୍ଲେସମେଣ୍ଟ କାର୍ଯ୍ୟକ୍ରମରେ ଦେଶର ୨୦ରୁ ଊର୍ଦ୍ଧ୍ଵ ନାମୀଦାମୀ କମ୍ପାନୀ ଯୋଗ ଦେଇ ୧୪୦୩ ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇଁ ଚୟନ କରିଥିଲେ।

ଡ ଦାସ ବ୍ରହ୍ମପୁର ସରକାରୀ ଆଇଟିଆଇର ଉଚ୍ଚ ପ୍ରଶଂସା କରିବା ସହ ରାଜ୍ୟ ସରକାରଙ୍କ ବୈଷୟିକ ଶିକ୍ଷା ନୀତି ଉପରେ ଆଲୋକପାତ କରି କହିଥିଲେ ଯେ- ନଷ୍ଟ ସାମଗ୍ରୀରୁ ଶ୍ରେଷ୍ଠ ଜିନିଷ ତିଆରି କରିବା, ଯନ୍ତ୍ରପାତି ମରାମତି ଓ ଶିଖିଥିବା ଜ୍ଞାନ କୌଶଳ ପ୍ରୟୋଗରେ ନିଆରା ମେସିନ୍ ପ୍ରସ୍ତୁତ କରିବାରେ ଆଇଟିଆଇ ପିଲାମାନଙ୍କ ଭୂମିକା ବେଶ୍ ମହତ୍ତ୍ଵପୂର୍ଣ୍ଣ। ନିଜ କର୍ମକ୍ଷେତ୍ରରେ ସେମାନେ ନୂତନତ୍ତ୍ବ ଭରିଦେବାକୁ ବେଶ୍ ସକ୍ଷମ ଯାହା ମୁଖ୍ୟମନ୍ତ୍ରୀଙ୍କ ବୈଷୟିକ ଶିକ୍ଷା ନୀତିର ଉପଯୁକ୍ତ ପ୍ରତିଫଳନ ବୋଲି କହିଥିଲେ ଡ ଦାସ।

ଆଇଟିଆଇ ଅଧ୍ୟକ୍ଷ ଡ ରଜତ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଆଞ୍ଚଳିକ ସହ ନିର୍ଦ୍ଦେଶକ ଆର୍.ଏମ୍.କିଲାନା, ରଙ୍ଗେଇଲୁଣ୍ଡା ବିଡିଓ ପ୍ରସନ୍ନ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଥିଲେ। ଉଲ୍ଲେଖଯୋଗ୍ୟ ଯେ ରବିବାର ନିଜ ଗଞ୍ଜାମ ଜିଲ୍ଲା ଗସ୍ତ କାଳରେ ହିଞ୍ଜିଳିକାଟୁ ଠାରେ ଏକ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ସରକାରୀ ଆଇଟିଆଇର ୩ ଜଣ ପିଲାଙ୍କୁ ଅଫର୍ ଲେଟର୍ ପ୍ରଦାନ କରି ଏହାର ଶୁଭାରମ୍ଭ କରିଥିଲେ।

Comments are closed.