ଶ୍ରୀନଗର ଆତଙ୍କୀ ଆକ୍ରମଣରେ ଆହତ ଆଉ ଜଣେ ଯବାନ ସହିଦ୍, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ନୂଆଦିଲ୍ଲୀ: ସୋମବାର ଶ୍ରୀନଗରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି। ସୋମବାର ଦିନ ଡାକ୍ତରଖାନାରେ ଦୁଇଜଣ ଆହତ ପୋଲିସଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଆଉ ଜଣେ ଗୁରୁତର ଯବାନଙ୍କ ମଧ୍ୟ ମୃତ୍ୟୁ ହୋଇଥିବା କୁହାଯାଇଛି। ଏବେ ଅନ୍ୟ ୧୧ ଜଣ ଆହତ ଯବାନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏଥିମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି।

କାଶ୍ମୀର ଜୋନର ପୋଲିସ ଅଧିକାରୀଙ୍କ କହିବାନୁସାରେ, ସୋମବାର ଦିନ ଶ୍ରୀନଗର ଉପକଣ୍ଠରେ ଥିବା ଜୁଆନସ୍ଥିତ ପନ୍ଥା ଛକ ଠାରେ ଆତଙ୍କବାଦୀମାନେ ଏକ ପୋଲିସ ବସ୍ ଉପରକୁ ଗୁଳି ଚଳାଇଥିଲେ ।

ଉକ୍ତ ଅଞ୍ଚଳକୁ ସିଲ୍ କରାଯାଇଛି ଏବଂ ସର୍ଚ୍ଚ ଅପରେସନ ଚାଲିଥିବା ପୋଲିସ ଅଧିକାରୀ କହିଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣ ଏପରି ଏକ ସମୟରେ ଘଟିଛି ଯେତେବେଳେ ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ସହିଦ ସୁରକ୍ଷା କର୍ମଚାରୀଙ୍କୁ ଦେଶ ଶ୍ରଦ୍ଧାଞ୍ଜଳି ଜଣାଉଥିଲା | ସଂସଦ ଉପରେ ଡିସେମ୍ବର ୧୩, ୨୦୦୧ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୯ ଜଣ ସୁରକ୍ଷା କର୍ମୀ ସହିଦ୍ ହୋଇଥିଲେ। ସୁରକ୍ଷା ବାହିନୀର ଜବାବୀ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସମସ୍ତ ପାଞ୍ଚ ଆତଙ୍କବାଦୀ ନିହତ ହୋଇଥିଲେ।

Comments are closed.