ପୌଷମାସ ଧନୁସଂକ୍ରାନ୍ତିର ଧନୁମୁଆଁ

ପୌଷମାସ ଧନୁ ସଂକ୍ରାନ୍ତି ଅବସରରେ ଧନୁ ମୁଆଁର ଆଦର ପ୍ରତି ଓଡ଼ିଆଙ୍କ ଘରେଘରେ ଦେଖିବାକୁ ମିଳିଥାଏ। କେବଳ ଗୁଡ଼ିଆଘର ପ୍ରସ୍ତୁତ ଖଇ ଓ ଗୁଡ଼ର ଧନୁମୁଆଁ ବ୍ୟତୀତ ଆଜିକାଲି ବିଭିନ୍ନ କିସମର ପ୍ରସ୍ତୁତ ଧନୁମୁଆଁ ବଜାରରେ ଉପଲବ୍ଧ। ଧନୁସଂକ୍ରାନ୍ତିର ପବିତ୍ର ତିଥି ଅବସରରେ ଓଡ଼ିଆ ଚଳଣୀର ଘରେ ଘରେ ବେଶ ଆଦର ଥିବା ଧନୁମୁଆଁର ଶ୍ରଦ୍ଧା ବେଶ୍ ନିଆରା ।

କୃଷିଭିତ୍ତିକ ଉକ୍ରଳୀୟ ପରମ୍ପରା ଓ ପର୍ବପର୍ବାଣୀର ସ୍ଥାନସ୍ୱତନ୍ତ୍ର । ମାର୍ଗଶୀର ମାସରେ ଲକ୍ଷ୍ମୀପୂଜା ବା ମାଣବସା ପରେ ପୌଷମାସର ଆରମ୍ଭରେ ଚାଷୀ ମାନେ ପରମ ଆନନ୍ଦରେ ମା’ଲକ୍ଷ୍ମୀ ଠାକୁରାଣୀଙ୍କୁ ଖଳାବାଡ଼ିରୁ ସଯତ୍ନେ ଗୃହପ୍ରାଙ୍ଗଣକୁ ନେଇଥାନ୍ତି । ସଂଯୋଗ ବଶତଃ ଏହି ସମୟରେ ଆଖୁ ଅମଳ ମଧ୍ୟ ସରିଥାଏ । ତେଣୁ ସର୍କରାଯୁକ୍ତ ମିଶ୍ରିତ ପଦାର୍ଥରେ ତିଆରି ହୋଇଥିବା ମୁଆଁ ବା ଉଖୁଡ଼ା ଗୃହର ଆରଧ୍ୟଦେବତା ଓ ଧନଲକ୍ଷ୍ମୀଙ୍କ ପାଖରେ ନୈବେଦ୍ୟ ଅର୍ପଣ କରାଯାଇଥାଏ । ଅମାବାସ୍ୟା ଓ ପୂର୍ଣ୍ଣିମାକୁ ଧରି ଚନ୍ଦ୍ରଙ୍କ କଳାର କ୍ଷୟ ବୃଦ୍ଧି ସହିତ ଚାନ୍ଦ୍ରମାନ ଓ ସଂକ୍ରାନ୍ତି କଳାରେ ଓ ସୌରମାନ ମାସ ଆମର ପଞ୍ଜିକାରେ ଅନ୍ତର୍ଭୁକ୍ତ ।

”ଧନୁ ମାସ ହେଲା ହନୁ ନଚଳିଲା କହିବାକୁ ବଡ଼ ଲାଜ, ମୁଁ ଆଁ କରିଅଛି, ମୁଆଁ ଖାଇବାକୁ ଆଜ୍ଞା ହେଉ ମହାରାଜ ।”

ଉକ୍ରଳଘଣ୍ଟ ହାସ୍ୟରସ କବି ଯଦୁମଣିଙ୍କର ରାଜନଙ୍କୁ ଏ ଉକ୍ତି ସୂଚୀତ କରେ, ଧନୁ ବା ପୌଷ ମାସରେ ଧନୁ ମୁଆଁ ଖାଇବା ସତେ ଯେପରି ଏକ ବୈଧାନିକ ବ୍ୟବସ୍ଥା, ଏବଂ ତହିଁରେ ବ୍ୟତିକ୍ରମ ହେତୁ କବିଙ୍କର ଏ ଖେଦ ! ପୁଷ ମାସରେ ଧାନ ଅମଳ ପରେ “ଉଖୁଡ଼ା’ ବା “ମୁଆଁ’ର ପ୍ରସ୍ତୁତି ଓଡ଼ିଶୀ ଚଳଣିର ଏକ ବିଶେଷତ୍ୱ ଧନୁ ସଂକ୍ରାନ୍ତୀର ପ୍ରସିଦ୍ଧ ମୁଆଁ ଭୋଗ ।

ଏହି ଦିବସଠାରୁ ପୁରୀ ଶ୍ରୀମନ୍ଦିରେ ଶ୍ରୀ ଜଗନ୍ନାଥଙ୍କ ପହିଲିଭୋଗ ଆରମ୍ଭ ହୋଇ ଉତ୍ତରାୟଣ ସଂକ୍ରାନ୍ତି ବା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିଥାଏ ।

କେବଳ ସେତିକି ନୁହେଁ, ପୌଷମାସର ଶୀତ ପ୍ରଭାତରେ ପ୍ରଭାତୀ ଧୂପ ଖେଚୁଡ଼ୀର ବ୍ୟବସ୍ଥା କେବଳ ଶ୍ରୀକ୍ଷେତ୍ରସ୍ଥ ଶ୍ରୀମନ୍ଦିର କାହିଁକି ଓଡ଼ିଶାର ପ୍ରସିଦ୍ଧ ଦେବସ୍ଥଳୀ ଓ ମଠ ମନ୍ଦିର ମାନଙ୍କରେ ଖଞ୍ଜା ଯାଇଛି । ଜଗନ୍ନାଥ ତ ଆମ ଓଡ଼ିଆ ସଂସ୍କୃତିର ପ୍ରତୀକ । ସେ ବଡ଼ ଭୋଜନପ୍ରିୟ । ପ୍ରସାଦର ଉପଭୋଗକୁ ଆମେ “ଭୋଗ’ କହିଥାଉଁ । ଏହି ଖାଦ୍ୟଦ୍ରବ୍ୟ ପ୍ରତି ଗୁରୁତ୍ୱ ଦେବା ମୂଳରେ ଉପନିଷଦର “ଅନ୍ନ ହିଁ ବ୍ରହ୍ମ’ ବାଣୀ ଯେ ଉଦ୍ଘୋଷିତ ଏଥିରେ ସନ୍ଦେହ ନାହିଁ । କାରଣ ଓଡ଼ିଆ ଭାଗବତରେ ଉଲ୍ଲେଖ ରହିଛି –
”ଅନ୍ନ ବିହୁନେ ହଂସ ହାନି, ଯୋଗ ସାଧିବୁ କାହା ଘେନି ।”
”ଅନ୍ନର ମୂଳେ ଏ ଜଗତ, ସର୍ବଦା ହୋଏ ଆତଯାତ”

ଭାଗବତର ଏହିଉକ୍ତି ପ୍ରଣିଧାନ ଯୋଗ୍ୟ । ଏବଂ ଏଥିଯୋଗୁଁ ଧନୁମୁଆଁର ଗୁରୁତ୍ୱ ବର୍ଷକ ମଧ୍ୟରେ ଧନୁସଂକ୍ରାନ୍ତିକୁ ହିଁ ସ୍ମରଣୀୟ କରି ରଖିଛି। କେବଳ ଧନୁ ସଂକ୍ରାନ୍ତି ଅବସରରେ ପ୍ରସ୍ତୁତ ଧନୁମୁଆଁର ସ୍ୱତନ୍ତ୍ରତା ରହିଛି। ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ପସନ୍ଦ ଏହି ମୁଆଁ। ମୁଆଁ ତିଆରିରେ ନଡ଼ିଆ ସହ ଜୁଆଣୀ ରହୁଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଉପଯୋଗୀ । ଆଜି ପରିଣତ ବୟସରେ ବି କେବଳ ଧନୁ ମୁଆଁ ନୁହେଁ ମୁଢ଼ିରେ ପତଳା ମୁଗର ଦାନା ସହ ଗୁଡ଼ର ମୁଆଁ ବି ଅନେକଙ୍କ ପ୍ରିୟ । ତେବେ ଓଡ଼ିଆଙ୍କର ବାରମାସର ତେରପରବ ଭିତରେ ଯେଉଁ ରୀତିନୀତିକୁ ନେଇ ଓଡ଼ିଆ ଘରର ନାରୀ ବେଶ୍ ଗର୍ବିତ ମନେ କରିଥାନ୍ତି ସେ ସବୁ ପ୍ରସ୍ତୁତି ଭିତରେ ଧନୁ ମୁଆଁ ସମସ୍ତଙ୍କର ପ୍ରିୟ ଜିନିଷଟିଏ । ଧନୀ ହେଉ ବା ଗରିବ ମଫସଲ ହେଉ ବା ସହର, ମଠ ମନ୍ଦିର ସବୁଠି ଧନୁ ସଂକ୍ରାନ୍ତିର ଅପୂର୍ବ ମହନୀୟତା ମୁଆଁ ସହିତ ସମ୍ପର୍କିତ ହୋଇଥାଏ । ଆଜିର ପାଶ୍ଚାତ୍ୟ ବିପଣୀର ପସରା ବା ଚାଇନା ବଜାରର ଇନ୍ଦ୍ରଜାଲର ଭେଳିକି ସଉଦା ଭିତରେ ଧନୁ ମୁଆଁ କିନ୍ତୁ ହଜି ଯାଇନାହିଁ । ଧନୁ ସଂକ୍ରାନ୍ତିର ପବିତ୍ର ଅବସର ଆମ ପ୍ରିୟ ଓଡ଼ିଆ ଘରର ପାଟି ସୁଆଦ ମୁଆଁଟିକୁ ନ ହଜାଇ ବରଂ ଆମ ପୂର୍ବସୁରୀଙ୍କ ହାତ ପ୍ରସ୍ତୁତି ସହ ସେମାନଙ୍କ ଅପୂର୍ବ ଖାଦ୍ୟ ପ୍ରସ୍ତୁତିର ପରିପାଟିକୁ ଯେ ଉଜ୍ଜୀବିତ କରୁଛି ଏଥିରେ ସନ୍ଦେହ ନାହିଁ।

Comments are closed.