ପୂର୍ଣ୍ଣାଙ୍ଗ ରୂପାନ୍ତରଣ ଆଡ଼କୁ ଆଉ ପାଦେ: ସ୍ମାର୍ଟ ସ୍କୁଲରେ ନିୟୋଜିତ ହେଲେ ୬୧୩୧ ଶିକ୍ଷାଦାତା

ଶିକ୍ଷାୟତନ କେବଳ ଯେ ସୁନ୍ଦର କୋଠାବାଡ଼ିକୁ ବୁଝାଏନି I ଆଦର୍ଶ ଶିକ୍ଷାନୁଷ୍ଠାନର ପ୍ରମୁଖ ଉପାଦାନ ମଧ୍ୟରେ ରହିଛି ଉତ୍ସାହରେ ଭରପୁର ତଥା ଶିକ୍ଷାଗ୍ରହଣ ପାଇଁ ଆଗ୍ରହୀ ଛାତ୍ରଛାତ୍ରୀ, ପିଲାଙ୍କ ତୁଳନାରେ ଯଥେଷ୍ଟ ସଂଖ୍ୟାରେ ଦକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ଯେଉଁମାନେ ଭବିଷ୍ୟତ ପିଢ଼ିକୁ ଉଚିତ୍ ମାର୍ଗଦର୍ଶନ ଦେବାକୁ ସକ୍ଷମ। ଏ ଦୁଇଟି ସଠିକ୍ ଥିଲେ ଡିଜିଟାଲ କ୍ଲାସ୍ ରୁମ୍, ମଡର୍ଣ୍ଣ ସାଇନ୍ସ ଲ୍ୟାବ୍‌, ଇ-ଲାଇବ୍ରେରୀ, ଉନ୍ନତ ଖେଳ ପଡ଼ିଆ, ସବୁଜିମା ଓ ଶିକ୍ଷଣୀୟ ଉପାଦାନରେ ଭରା ଶିକ୍ଷାୟତନର ସୁସଜ୍ଜିତ ପରିବେଶ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣର ବାତାବାରଣକୁ ବେଶ୍ ଉତ୍ତମ କରି ଗଢ଼ି ତୋଳିଥାଏ। ପରସ୍ପରକୁ ପରିପୂରକ ତଥା ପୂର୍ଣ୍ଣାଙ୍ଗ କରିଥାଏ। ଅର୍ଥାତ୍ ଶିକ୍ଷା ବ୍ୟବସ୍ଥାର ସାମଗ୍ରୀକ ରୂପାନ୍ତରଣ ପାଇଁ ଏସବୁ ଉପାଦାନର ନିଜ ସ୍ଥାନରେ ନିଜସ୍ଵ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ସମ୍ପ୍ରତି ଆମ ରାଜ୍ୟରେ ଚାଲିଥିବା ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ପ୍ରକ୍ରିୟାକୁ ଗଭୀର ଭାବେ ଅନୁଧ୍ୟାନ କଲେ ଏହାକୁ ଯଥାର୍ଥ ଭାବେ ହୃଦୟଙ୍ଗମ କରିବାରେ ତିଳେମାତ୍ରେ ସମସ୍ୟା ହେବନାହିଁ। ଆଉ ସେଥିରେ ଏକ ମହତ୍ତ୍ୱପୂର୍ଣ ଉପାଦାନକୁ ଅଧିକ ବ୍ୟାପକ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୬୧୩୧ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏମାନେ ଠିକ ଦିନକ ପରେ ହିଁ ନିଜେ ନିଯୁକ୍ତି ପାଇଥିବା ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ଆରମ୍ଭ କରିବେ। ଅର୍ଥାତ୍ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସମୃଦ୍ଧ କରିବାରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମହାନ୍ ବ୍ୟକ୍ତିମାନଙ୍କ ଭାଷାରେ କେବଳ ଲକ୍ଷ୍ୟ ସ୍ଥିର କରିଦେଲେ ଯଥେଷ୍ଟ ନୁହେଁ, ତାହାକୁ ହାସଲ କରିବା ପାଇଁ ମାର୍ଗ ମଧ୍ୟ ସମାନ ମହତ୍ତ୍ଵପୂର୍ଣ୍ଣ ଭାବେ ଧାର୍ଯ୍ୟ କରିବାକୁ ହେବ। ସେହି ପ୍ରକାରେ କେବଳ ଯୋଜନା ନୁହେଁ, ତାହାର କାର୍ଯ୍ୟକାରିତାକୁ ମଧ୍ୟ ସମାନ ଗୁରୁତ୍ଵ ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିପାଇଁ ତ ଦେଶରେ ପ୍ରଥମ କରି ନିଆରା ନଜିର ସୃଷ୍ଟି କରି ଆରମ୍ଭ ହୋଇଥିବା ୫-ଟି ବିଭାଗ ଏବଂ ସେଥିଅନ୍ତର୍ଗତ ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ଆଜି ସଫଳତାର ଏତେ ଶୀର୍ଷକୁ ଛୁଇଁଲାଣି ଯେ କେବଳ ରାଜ୍ୟ ନୁହେଁ, ଦେଶ ଏପରିକି ବିଦେଶରୁ ମଧ୍ୟ ଏଭଳି ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନକୁ ଉଚ୍ଚପ୍ରଶଂସା କରାଯାଉଛି। ୫-ଟି (ଟ୍ରାନ୍ସପରେନ୍ସି, ଟିମ୍ ଓ୍ବର୍କ, ଟେକ୍ନୋଲୋଜି, ଟାଇମ୍ ଓ ଟ୍ରାନ୍ସଫର୍ମେସନ୍) ଭିଜନ୍‌କୁ ଅକ୍ଷରେ ଅକ୍ଷରେ ବିଦ୍ୟାଳୟ ରୂପାନ୍ତରଣ ପ୍ରକ୍ରିୟାରେ ପ୍ରୟୋଗ କରାଯିବା କ୍ରମେ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରିଚାଲିଛି ଏବଂ ଉନ୍ନତରୁ ଉନ୍ନତ ତଥା ବ୍ୟବସ୍ଥିତରୁ ସୁବ୍ୟବସ୍ଥିତ ହୋଇ ଚାଲିଛି ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥା। ଗୁଣାତ୍ମକ ଶିକ୍ଷାକୁ ପ୍ରାଥମିକତା ଦେଇ ଭିତ୍ତିଭୂମି ନିର୍ମାଣ ବା ସଜାଡ଼ିବା ସାଙ୍ଗକୁ ମାନବ ସମ୍ବଳ ଜନିତ ଆବଶ୍ୟକତା ଉପରେ ମଧ୍ୟ ଫୋକସ୍ ଦିଆଯାଇଛି। ସବୁ କିଛି ସ୍ୱଚ୍ଛ ଓ ପାରଦର୍ଶୀ ପଦ୍ଧତିରେ କରାଯାଉଛି, ସମ୍ମିଳିତ ପ୍ରୟାସ ସାଙ୍ଗକୁ ପ୍ରଯୁକ୍ତି ବିଦ୍ୟା କୌଶଳର ପ୍ରୟୋଗ ପୂର୍ବକ ନିର୍ଦ୍ଧାରିତ ଓ ଉଚିତ ସମୟରେ କାମ ସମ୍ପନ୍ନ କରାଯାଉଛି। ଏସବୁର ସୁଫଳ ଏହା ମିଳୁଛି ଯେ ଏକ ଉନ୍ନତ ରୂପାନ୍ତରଣ ବ୍ୟବସ୍ଥା
ଦେଖିବାକୁ ମିଳୁଛି।

ଯେତେବେଳେ ନୂଆ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଉଛି ସେଥିରେ ବି ଦେଖିବାକୁ ମିଳୁଛି ୫-ଟି ଝଲକ। କମ୍ପ୍ୟୁଟର ବେସ୍‌ଡ୍ ଟେଷ୍ଟ (ସିବିଟି) ଜରିଆରେ ନିଯୁକ୍ତି ପାଇଁ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରାଯାଇ ଥିଲା। ଅର୍ଥାତ୍ କାହାରି ପ୍ରତି କାହାଦ୍ଵାରା ପକ୍ଷପାତିତା କରାଯିବାର କୌଣସି ଅବକାଶ ନଥିଲା। ଯୁଦ୍ଧକାଳୀନ ଭିତ୍ତିରେ ମାତ୍ର ୩ ମାସ ମଧ୍ୟରେ ପରୀକ୍ଷା ହୋଇ ଫଳ ପ୍ରକାଶ ପାଇଛି। ସେଥିପାଇଁ ତ ଓଡ଼ିଶା ଇତିହାସରେ ପ୍ରଥମ ଥର ଏତେ ସଂଖ୍ୟାରେ ଟିଚର୍ ଏକା ଥରକେ ନିଯୁକ୍ତ ହେଲେ। ଆହୁରି ମଧ୍ୟ ନିଯୁକ୍ତିପତ୍ର ପାଇବା ପରଦିନ ଠାରୁ ସ୍କୁଲରେ ସେମାନେ ଆରମ୍ଭ କରିବେ ଶିକ୍ଷାଦାନ। ଅର୍ଥାତ୍ ନିର୍ଦ୍ଧାରିତ ସମସ୍ତ ମଧ୍ୟରେ କାମ ସାରି ସମୟର ଅପଚୟ ବିନା କାର୍ଯ୍ୟାରମ୍ଭ କରିବାର ଦୃଢ଼ତା ସ୍ପଷ୍ଟ ପରିଲକ୍ଷିତ। କାରଣ ହାତଗଣତି କେଇଟା ଦିନ ପରେ ମ୍ୟାଟ୍ରିକ ପିଲାଙ୍କ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଯିବ। ସେଥିପାଇଁ ସେମାନଙ୍କୁ ଆବଶ୍ୟକ ପ୍ରାକ୍-ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଇଛି। ପୁରୁଣା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ବିଭିନ୍ନ ବିଷୟର ନୂଆ ଟିଚର୍‌ମାନେ ପିଲାଙ୍କୁ ପାଠ ପଢାଇ ସେମାନଙ୍କ କ୍ୟାରିୟର ଗଠନରେ ସହାୟକ ହେବେ। ନିଯୁକ୍ତିପତ୍ର ପ୍ରଦାନ ବେଳେ ସେମାନଙ୍କୁ ଟିମ୍ ୱର୍କ ବା ସମ୍ମିଳିତ ପ୍ରୟାସର ଟିପ୍‌ସ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେହେତୁ ବର୍ତ୍ତମାନ ସମୟର ଏମାନେ ଶିକ୍ଷକ ଶିକ୍ଷୟିତ୍ରୀ ଏଣୁ ଯୁଗପଯୋଗୀ ଜ୍ଞାନକୌଶଳ ସହ ଅଧିକ ପରିଚିତ, ବୈଷୟିକ କ୍ଷେତ୍ରରେ ଅଧିକ ପାରଙ୍ଗମ। ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ଅନ୍ତର୍ଗତ ରୂପାନ୍ତରିତ ବିଦ୍ୟାଳୟରେ ବ୍ୟବହୃତ ଅଡିଓ- ଭିଜୁଆଲ ଟିଟିଂ, ଇ-ଲାଇବ୍ରେରୀ ଜରିଆରେ ଶିକ୍ଷାଦାନକୁ ସହଜ ଓ ବାସ୍ତବ କରାଇବାରେ ଏମାନେ ସହାୟକ ହେବେ ତାହା ନିଃସନ୍ଦେହ। ସେହିପରି କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ପିଲାଏ ହେବେ ଫିଟ୍ ଏଣ୍ଡ ବେଷ୍ଟ୍। ସର୍ବୋପରି ରାଜ୍ୟର ଏଯାବତ ରୂପାନ୍ତରିତ ୧୦୭୦ ଉଚ୍ଚବିଦ୍ୟାଳୟମାନଙ୍କରେ ଏବେ ଯଥେଷ୍ଟ ମାତ୍ରାରେ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟ କରି ପିଲାଙ୍କ ଭବିଷ୍ୟତକୁ ଉନ୍ନତ ଭାବେ ଗଢିବାର ମାଧ୍ୟମ ସାଜିବେ। ଏହା ହିଁ ହେବ ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍‌ର ବାସ୍ତବ ଲକ୍ଷ୍ୟପୂରଣ।

କିଛି ନିନ୍ଦୁକ, ଅବାସ୍ତବ ସମାଲୋଚକଙ୍କ ମୁହଁରୁ ଶୁଣିବାକୁ ମିଳୁଥିଲା ଯେ- ରାଜ୍ୟ ସରକାର ବହୁ ଅର୍ଥ ବ୍ୟୟ କରି କେବଳ କୋଠାବାଡି ଚକାଚକ୍ କରିଦେଲେ କଣ ହେବ। ପିଲାଙ୍କୁ ପଢାଇବାକୁ ତ ଶିକ୍ଷକ ନାହାନ୍ତି। ପିଲାଏ ସ୍କୁଲକୁ ଆସିବେ ବା କାହିଁକି।… ବୋଧହୁଏ ଡିସେମ୍ବର ୧୬ ପରେ ସେମାନେ ଏ ପ୍ରଶ୍ନ ଦ୍ଵିତୀୟବାର କରିବାକୁ ସାହାସ ଜୁଟାଇ ପାରିବେ ନାହିଁ। କାରଣ ଗୋଟିଏ ଦିନରେ ଏତେ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେଇ ମିଥ୍ୟା ଅପବାଦ ଓ ଅପପ୍ରଚାରର ଓ୍ବିକେଟକୁ ସିଧାସଳଖ କ୍ଲିନ୍ ବୋଲ୍ଡ କରି ଦେଇଛନ୍ତି ସେ। ପୁଣି କରୋନା ମହାମାରୀ ସଙ୍କଟ ସତ୍ତ୍ଵେ ଶିକ୍ଷା ବ୍ୟବସ୍ଥାକୁ ପୂର୍ବାପେକ୍ଷା ଅଧିକ ମହତ୍ତ୍ୱ ଦେଇ ମିଶନ୍‌ ମୋଡ୍‌ରେ ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଇଛି। ବିଦ୍ୟାଳୟ ପରିବେଶର ଏଭଳି ଆଖି ଝଲସାଇ ଦେବା ଭଳି ପରିବର୍ତ୍ତନ ଦେଖି ପିଲାଏ ନିତ୍ୟ ନିୟମିତ ଆଗ୍ରହ ମନରେ ସ୍କୁଲ କ୍ୟାମ୍ପସ୍‌କୁ ଛୁଟି ଆସୁଛନ୍ତି। ଅଭିଭାବକ ମଧ୍ୟ ଏବେ ନିଶ୍ଚିତ ଯେ- ସେମାନଙ୍କ ପିଲାଙ୍କ ଭବିଷ୍ୟତ ଏଭଳି ସରକାରୀ ବିଦ୍ୟାଳୟରେ ଉତ୍ତମ ରୂପେ ଗଢିହେବ। ଆଉ ଏବେ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଯୁକ୍ତି ପରେ ତ ତିଳେମାତ୍ରେ କୌଣସି ସନ୍ଦେହ ନାହିଁ ଯେ- ପିଲାଏ ନୂଆ ପରିବେଶରେ ଉନ୍ନତ ଓ ଉତ୍ତମ ଶିକ୍ଷାଗ୍ରହଣ କରି ଆଗାମୀ ଦିନରେ ଦେଶର ସୁନାଗରିକ ଭାବେ ନିଜକୁ ଦକ୍ଷ କରି ସମସ୍ତ ଆହ୍ବାନର ଉଚିତ ମୁକାବିଲା କରିବାକୁ ତୟାର ହେବେ।

Comments are closed.