ଓମିକ୍ରନ ଆତଙ୍କ ଯୋଗୁଁ ସତର୍କତା : ବଡଦିନରୁ ଜାନୁଆରୀ ୨ ଯାଏଁ ରାଜ୍ୟରେ କଟକଣା ଜାରି

ଭୁବନେଶ୍ୱର- ଓମିକ୍ରନ ଆତଙ୍କ ମଧ୍ୟରେ ସଂକ୍ରମଣକୁ ରୋକିବା ପାଇଁ ବଡଦିନ ଓ ନୂଆବର୍ଷ ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଆସନ୍ତାକାଲିଠାରୁ ଜାନୁଆରୀ ୨ ତାରିଖ ଯାଏଁ କଟକଣା ଜାରି କରାଯାଇଛି । ବଡଦିନ ପାଳନକୁ କେବଳ ଚର୍ଚ୍ଚ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ବାଧିକ ୫୦ ଜଣ ବଡଦିନ ଉତ୍ସବରେ ଉପସ୍ଥିତ ରହିପାରିବେ । ଏଥିପାଇଁ କୋଭିଡ ପ୍ରଟୋକଲ ମାନିବାକୁ ପଡିବ । ଏହାଛଡା ଜିଲ୍ଲା ପ୍ରଶାସନ ବା ମ୍ୟୁନିସିପାଲିଟି ପକ୍ଷରୁ ଯଦି କିଛି ନିୟମ ହୋଇଥିଲେ,ତାହା ମାନିବାକୁ ପଡିବ ।

ନୂଆବର୍ଷକୁ ସ୍ୱାଗତ ପାଇଁ ଜିରୋ ନାଇଟ ସେଲିବ୍ରେସନକୁ ବାରଣ କରାଯାଇଛି । ହୋଟେଲ, କ୍ଲବ୍ ଓ ରେଷ୍ଟୁରାଂଟରେ କୌଣସି ପ୍ରକାର ସେଲିବ୍ରେସନକୁ ବାରଣ କରାଯାଇଛି । ସମବେତ ଭୋଜି ଉପରେ କଟକଣା ଜାରି କରାଯାଇଛି । କାଲିଠାରୁ ଜାନୁଆରୀ ୨ ତାରିଖ ମଧ୍ୟରେ ସମସ୍ତ ପ୍ରକାର ରାଲି, ନାଚ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସଂପୂର୍ଣ୍ଣ ବାରଣ କରିଛନ୍ତି ରାଜ୍ୟ ସରକାର । କେବଳ ପୂର୍ବ ନିର୍ଦ୍ଧାରିତ ବିବାହ ପାଇଁ ଅନୁମତି ମିଳିବ । ନିୟନ କଡାକଡି କରିବାକୁ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.