ଆଜିଠାରୁ ମାଟ୍ରିକ ପିଲାଙ୍କ ପ୍ରଥମ ସମ୍ମେଟିଭ ଆସେସସମେଂଟ୍ ପରୀକ୍ଷା, ୫୭୬୩୮୭ ଛାତ୍ରଛାତ୍ରୀ ଦେବେ ପରୀକ୍ଷା, କପି ଧରିବାକୁ ୧୧୨ଟି ସ୍କ୍ୱାଡ୍

କଟକ-ଆଜିଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ସମ୍ମେଟିଭ ଆସେସମେଂଟ୍ ପରୀକ୍ଷା ଆରମ୍ଭ ହେଉଛି । ମୋଟ ୫ ଲକ୍ଷ ୭୬ ହଜାର ୩୮୭ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । ୩ ହଜାର ୧୪୩ଟି କେନ୍ଦ୍ରରେ ପରୀକ୍ଷା ହେବ । ଆସନ୍ତା ୮ ତାରିଖ ଯାଏଁ ଚାଲିବାକୁ ଥିବା ଏହି ପରୀକ୍ଷାରେ ପ୍ରଥମ ତିନି ଦିନ ୨ଟି ସିଟିଂରେ ଲିଖିତ ଓ ଶେଷ ଦିନ କେବଳ ପ୍ରାକ୍ଟିକାଲ ପରୀକ୍ଷା ହେବ । ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୩୧୧ଟି ନୋଡାଲ୍ କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଥିବାବେଳେ କପି ଧରିବା ପାଇଁ ୧୧୨ଟି ସ୍କ୍ୱାଡ୍ ଗଠନ କରାଯାଇଛି ।

କୋରୋନା ସଂକ୍ରମଣ ଦୃଷ୍ଟିରୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ବ୍ୟାପକ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ଅଧୀକ୍ଷକଙ୍କୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ରୁମରେ ୨୪ ଜଣ ଲେଖାଏଁ ପିଲା ବସିବେ । ପରୀକ୍ଷାର୍ଥୀ ଏବଂ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଶିକ୍ଷକମାନଙ୍କ ମଧ୍ୟରୁ କେହି ବି ସଂକ୍ରମିତ ହେଲେ କିମ୍ବା ଲକ୍ଷଣ ପ୍ରକାଶ ପାଇଲେ, ସେମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ବୋର୍ଡ ପକ୍ଷରୁ ନୂଆ ମୂଲ୍ୟାଙ୍କନ ପଦ୍ଧତି ଅନୁଯାୟୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଥମ ସମ୍ମେଟିଭ ଆସେସମେଂଟ ପରୀକ୍ଷା କରାଯାଉଛି ।

କୌଣସି ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅନୁପସ୍ଥିତ ରହିଲେ ସେମାନଙ୍କର ପୂର୍ବରୁ ହୋଇଥିବା ଫର୍ମେଟିଭ ପରୀକ୍ଷାର ମାର୍କ ଆଧାରରେ ମୂଲ୍ୟାଙ୍କନ କରାଯିବ ।

Comments are closed.