କୋଭିଡ ତୃତୀୟ ଲହର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପର, ଜିଲ୍ଲାପାଳଙ୍କ ପ୍ରସ୍ତୁତି ସମୀକ୍ଷା, ଡବ୍ଲୁଏସଏଚଜିକୁ ମିଳିବ ଗୁରୁଦାୟିତ୍ୱ

ଛତ୍ରପୁର – କୋଭିଡର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ବିଭିନ୍ନ ବିଭାଗର ମୁଖ ପଦାଧିକାରୀଙ୍କ ସହ ଭିସି ଜରିଆରେ ଆଲୋଚନା କରିଛନ୍ତି । କୋଭିଡ ମୁକାବିଲା ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜନସାଧାରଣ ସତର୍କ ରହିବା ସହ ସମସ୍ତ କୋଭିଡ ନିୟମକୁ ପାଳନ କରିବା ଏବଂ ‘ମୋ ସ୍ୱାସ୍ଥ୍ୟ, ମୋ ଦାୟିତ୍ୱ’ ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲାପାଳ । କୋଭିଡର ଗତ ଦୁଇ ଲହରରେ ପଂଚାୟତ ପ୍ରତିନିଧିମାନେ ଭଲ କାମ କରିଥିଲେ । ତେବେ ଆଗକୁ ପଂଚାୟତ ନିର୍ବାଚନ ରହିଥିବାରୁ ପଂଚାୟତ ପ୍ରତିନିଧିମାନେ ଆଗ ଅପେକ୍ଷା କାମ କରିପାରିବେ ନାହିଁ ବୋଲି ମନେ ହେଉଛି । ସେଥିପାଇଁ ଏବେ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀମାନଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇ ଲୋକଙ୍କୁ କୋଭିଡ ଓ ଓମିକ୍ରନ ସଂପର୍କରେ ସଚେତନ କରାଯିବ । ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଦୋକାନୀମାନେ କୋଭିଟ ଟିକା ନେଇଥିବା ପ୍ରମାଣପତ୍ର ଦୋକାନ ଆଗରେ ଝୁଲାଇବେ । ମାସ୍କ ନେଇ ନିୟମିତ ଯାଂଚ କରାଯିବ । ବିବାହ ଓ ଅନ୍ୟ କାର୍ଯ୍ୟକ୍ରମ କଟକଣା ମଧ୍ୟରେ ହେବ । ଏଥିପାଇଁ ଉପଜିଲ୍ଲାପାଳଙ୍କ ଅନୁମତି ବାଧ୍ୟତାମୂଳକ । ସରକାରୀ ଓ ବେସରକାରୀ ବୈଠକରେ ନୋ ମାସ୍କ, ନୋ ମିଟିଂ ନିୟମ ପାଳନ କରାଯିବ ବୋଲି ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି ।

ଜିଲ୍ଲାରେ ଆଜିଠାରୁ ପିକନିକ୍ ସ୍ଥାନଗୁଡିକରେ ଭୋଜିଭାତକୁ ବାରଣ କରାଯାଇଛି । ମନ୍ଦିରଗୁଡିକରେ ମଧ୍ୟ ଭୋଜିଭାତ ମନା ହୋଇଛି ।ବିବାହ ଉତ୍ସବରେ ପ୍ରଥମ ୫ ମିନିଟ କୋଭିଡ ଉପରେ ସଚେତନତା କରିବାକୁ ପଡିବ ।

ଲୋକଙ୍କ ଟିକାକରଣ ଲକ୍ଷ୍ୟ ପୂରଣ ପାଇଁ କ୍ୟାଂପେନ ମୋଡରେ କାମ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ୧୫ରୁ ୧୮ ବର୍ଷ ପିଲାମାନଙ୍କ ଟିକାକରଣ ଉପରେ ପ୍ରାଥମିକତା ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

କୋଭିଡ ମୁକାବିଲା ପାଇଁ ଜିଲ୍ଲାର ସରକାରୀ ଓ ବେସରକାରୀ କୋଭିଡ ହସପିଟାଲକୁ ପ୍ରସ୍ତୁତ ରଖିବାକୁ କହିଛନ୍ତି ଜିଲ୍ଲାପାଳ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍ ଓ ପ୍ରିୟରଂଜନ ପୃଷ୍ଟି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବିଏମସି କମିଶନର ଡକ୍ଟର ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସମେତ ଜିଲ୍ଲାର ଅଧିକାରୀମାନେ ଭିସି ମାଧ୍ୟମରେ ଯୋଡି ହୋଇଥିଲେ ।

Comments are closed.