୨୪ ବର୍ଷ ପରେ ପୁଣି ବ୍ରଜରାଜନଗର ଦେଖିବ ଉପନିର୍ବାଚନ,  କିଶୋରଙ୍କ ବିକାଶ ଓ ନବୀନଙ୍କ ଲୋକପ୍ରିୟତା ବିଜେଡିର ପୁଞ୍ଜି

ଝାରସୁଗୁଡା : ଦୀର୍ଘ ୨୪ ବର୍ଷ ପରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଭୋଟର ଦ୍ବିତୀୟ ଥର ପାଇଁ ଉପନିର୍ବାଚନ ସାମ୍ନା କରିବାକୁ ଯାଉଛନ୍ତି। ବିଧାୟକ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗ ପରେ ଖାଲିଥିବା ଏହି ଆସନରେ ଆଗାମୀ ୬ ମାସ ମଧ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ନିର୍ବାଚନ ଅବଶ୍ୟମ୍ଭାବୀ। ତେବେ, ବିଜେପୁର ପରେ ପୁଣି ଥରେ ବ୍ରଜରାଜନଗରର ରାଜନୈତିକ ବାତାବରଣ ସରଗରମ ହେବାକୁ ଯାଉଥିବା ବେଳେ ଏହା ତିନି ପ୍ରମୁଖ ଦଳ ପାଇଁ ଏହି ଆସନ ସମ୍ମାନର ପ୍ରଶ୍ନ ଭାବେ ଉଭା ହେଲାଣି। ଏଭଳି ସ୍ଥିତିରେ ସବୁ ବେଳେ ବିରୋଧୀ ଦଳ ହାତରେ ରହି ଆସୁଥିବା ଏହି ଆସନରେ ଦୀର୍ଘ ବର୍ଷ ପରେ କିଶୋର ମହାନ୍ତି ଶାସକ ଦଳରୁ ନିର୍ବାଚିତ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଆଉ ଏହି ଅଢେଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ କିଶୋର ବାବୁ ଅଭୂତପୂର୍ବ ଲୋକ ସମର୍ଥନ ହାସଲ କରିବା ସହିତ ବିକାଶ ଧାରାକୁ ଏକ ଉଲ୍ଲେଖନୀୟ ରୂପ ଦେବାରେ ସଫଳ ହୋଇଥିଲେ। ଆଉ ଫଳସ୍ବରୂପ ତାଙ୍କ ଆକସ୍ମିକ ନିଧନ ପରେ ସମଗ୍ର ଜିଲ୍ଲାର ପୁରପଲ୍ଲୀରେ ପ୍ରତି ଗାଁ ଗାଁରେ ଲୋକେ ଶୋକସଭା କରି ନିଜର ପ୍ରିୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ପ୍ରସନ୍ନ ପଣ୍ଡାଙ୍କ ଦେହାନ୍ତ ସମୟରେ ବି ଏଭଳି ସ୍ଥିତି ଦେଖିବାକୁ ମିଳିନଥିଲା, ଯାହା କିଶୋରଙ୍କ ବିୟୋଗରେ ଦେଖିବାକୁ ମିଳୁଛି। ଲୋକେ ନିଜ ପରିବାର ସଦସ୍ୟଙ୍କୁ ହରାଇବା ଭଳି ଦୁଖ ଅନୁଭବ କରୁଛନ୍ତି। ତେବେ, ତାଙ୍କ ଅବର୍ତ୍ତମାନରେ ପୁଣି ଥରେ ହେବାକୁ ଥିବା ଉପ ନିର୍ବାଚନରେ କିଶୋରଙ୍କ ବିକାଶ ଓ ନବୀନଙ୍କ ଲୋକପ୍ରିୟତା ବିଜେଡି ପାଇଁ ବଡ ପୁଞ୍ଜି ବୋଲି ରାଜନୈତିକ ସମୀକ୍ଷକ ବର୍ତ୍ତମାନ ଠାରୁ ମତ ପ୍ରକାଶ କଲେଣି। ସେପଟେ, ବିଜେପି ଏବଂ କଂଗ୍ରେସ ପୁଣି ଥରେ ଜିଲ୍ଲା ବା ବାହାରୁ ପ୍ରାର୍ଥୀ ଆମଦାନୀ କରିବାର ପ୍ରଚେଷ୍ଟାରେ ଥିବା ନେଇ ଚର୍ଚ୍ଚ। ଜୋର ଧରିଲାଣି।

୧୯୬୧ ମସିହାରେ ଗଠିତ ଏହି ନିର୍ବାଚନ ମଣ୍ଡଳୀ ରାଜ୍ୟର ରାଜନୈତିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ବ ବହନ କରି ଆସିଛି। ଏଠାରେ ଦୀର୍ଘ ୩୦ ବର୍ଷ ଧରି ବିଭିନ୍ନ ପର୍ଯ୍ୟ।ୟରେ ସିପିଆଇ ନେତା ପ୍ରସନ୍ନ ପଣ୍ଡା ବିଧାୟକ ରହି ଆସିଥିବା ବେଳେ କଂଗ୍ରେସ ନେତା ଉପେନ୍ଦ୍ର ଦୀକ୍ଷିତ ୩ ଥର ବିଧାୟକ ହୋଇଥିଲେ। ତେବେ, ଶେଷ ଥର ପାଇଁ ୧୯୯୭ ମସିହାରେ ପ୍ରସନ୍ନ ପଣ୍ଡା ବିଧାୟକ ଥିବା ସମୟରେ ସେହିବର୍ଷ ଡିସେମ୍ବର ୨୬ ତାରିଖରେ ତାଙ୍କ ଦେହାନ୍ତ ହୋଇଥିଲା। ଆଉ ଏହାପରେ ଅନୁଷ୍ଠିତ ପ୍ରଥମ ଉପନିର୍ବାଚନରେ କଂଗ୍ରେସ ନେତା କେଶବ ସାହୁ ଅଳ୍ପ ବ୍ୟବଧାନରେ ବିଜୟୀ ହୋଇଥିଲେ। ଆଉ ୨୦୦୦ ମସିହାରୁ କ୍ରମାଗତ ୩ ଥର ଧରି କଂଗ୍ରେସ ନେତା ଅନୁପ ସାଏ ଏଠାରୁ ବିଧାୟକ ହେବାର ଗୌରବ ଅର୍ଜନ କରିଥିଲେ। ତେବେ, ଗତ ୨୦୧୪ରେ ଅନୁପ ଦଳ ପରିବର୍ତ୍ତନ କରି ବିଜେଡିରୁ ଲଢିଥିବା ବେଳ ତାଙ୍କୁ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡାଙ୍କ ଠାରୁ ପରାସ୍ତ ହେବାକୁ ପଡିଥିଲା।

ଆଉ ଗତ ୨୦୧୯ରେ ଏଠାରୁ ବିଜେଡି କିଶୋର ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ଏଠାରୁ ପ୍ରାୟ ୧୦ ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ। ତେବେ, ଏହା ପୂର୍ବରୁ ଯଦିଓ କିଶୋର ବିଧାନସଭାକୁ ୪ ଥର ନିର୍ବାଚିତ ହୋଇଥିଲେ, ତଥାପି ବ୍ରଜରାଜନଗରରେ କେବେ ବି ଛିଡା ହୋଇନଥିଲେ। କିନ୍ତୁ, ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ପ୍ରତିଟି ଗାଁରୁ ଆରମ୍ଭ କରି ସହରାଞ୍ଚଳ ଯାଏ ତାଙ୍କ ସମର୍ଥକ ଦଶନ୍ଧି ଦଶନ୍ଧି ଧରି ତାଙ୍କ ସହ ଯୋଡି ହୋଇଆସିଥିଲେ। ଆଉ ସେମାନେ ହିଁ କିଶୋରଙ୍କୁ ବିଜୟର ମୁକୁଟ ପିନ୍ଧାଇବାରେ ସଫଳ ହୋଇଥିଲେ।

ତେବେ, ଏହି ସୀମିତ ସମୟ ମଧ୍ୟରେ କିଶୋର ସମଗ୍ର ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ପାଇଁ ଅନେକ ପ୍ରକଳ୍ପ ହାତକୁ ନେଇଥିବା ବେଳେ ବହୁ କାମ ଶେଷ ପର୍ଯ୍ୟ।ୟରେ ପହଞ୍ଚି ଯାଇଥିଲା। ଆଉ ଏହାହିଁ ତାଙ୍କୁ ଲୋକପ୍ରିୟତା ଶୀର୍ଷରେ ପହଞ୍ଚାଇଥିଲା। ଜଳସେଚନ, ସ୍ବାସ୍ଥ୍ୟ, ଗମନାଗମନ ସାଙ୍ଗକୁ ଲଖନପୁର ବ୍ଲକର ଛତିଶଗଡ ସୀମାନ୍ତ ଅଞ୍ଚଳବାସୀଙ୍କ ସମସ୍ୟା ହେଉ ଅବା ଏମସିଏଲ୍ ବିସ୍ଥାପିତଙ୍କ ସମସ୍ୟା ସବୁଥିରେ ସେ ଜଣେ ଆଗ ଧାଡିର ସୈନିକ ଭାବେ ଲଢେଇ କରୁଥିଲେ।

ବିଶେଷ କରି ଏହା ପୂର୍ବରୁ ଡିଏମ୍ଏଫ୍ ପାଣ୍ଠି ପ୍ରଦାନରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀକୁ ଅବହେଳା କରାଯାଉଥିବା ବେଳେ କିଶୋର ବିଧାୟକ ହେବା ପରେ ସ୍ଥିତି ସଂପୂର୍ଣ ବଦଳି ଯାଇଥିଲା। ଡିଏମ୍ଏଫ୍ ପାଣ୍ଠିରୁ ଏହି ଅଢେଇ ବର୍ଷ ମଧ୍ୟରେ ବିପୁଳ ଟଙ୍କାର ଅନୁଦାନ ଦିଆଯାଇଥିବା ବେଳେ ଏଥିରେ ଅନେକ ବିକାଶ ପ୍ରକଳ୍ପ ହାତକୁ ନିଆଯାଇଛି। ତେବେ, ସେ ହାତକୁ ନେଇଥିବା ଅନେକ ପ୍ରକଳ୍ପ ତାଙ୍କ ଆକସ୍ମିକ ନିଧନ ପରେ ଆଗକୁ ନେବା ବର୍ତ୍ତମାନ ପରବର୍ତ୍ତୀ ବିଧାୟକଙ୍କ ପାଇଁ ବଡ ଆହ୍ବାନ ଭାବେ ପରିଣତ ହେବ।

ଆଉ ଏଭଳି ସ୍ଥିତିରେ ଆଗକୁ ହେବାକୁ ଥିବା ଉପ ନିର୍ବାଚନରେ କିଶୋରଙ୍କ ଅବଦାନ ହିଁ ବିଜେଡିକୁ ବିଜୟ ପାଇଁ ସୁହାଇବ ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରେ ଆଲୋଚନା ଆରମ୍ଭ ହୋଇଛି। ସେପଟେ, କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ ସଙ୍କଟର ସମ୍ମୁଖୀନ ହେଉଥିବା ଚର୍ଚ୍ଚ। ଜୋର ଧରିଲାଣି। ବିଶେଷ କରି ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ତାଙ୍କ ବିଧାୟକ କାର୍ଯ୍ୟକାଳ ମଧ୍ୟରେ ଖୋଦ୍ ଦଳ ମଧ୍ୟରୁ ବିରୋଧର ସମ୍ମୁଖୀନ ହୋଇଆସିଥିବା ବେଳେ ବର୍ତ୍ତମାନ ମଧ୍ୟ ତାଙ୍କ ଛବି ସୁଧୁରି ପାରିନଥିବା ଆଲୋଚନା ହେଉଛି। ଫଳରେ ଦଳ ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ ଆମଦାନୀ କରିବା ସ୍ଥିତିରେ ଥିବା ଚର୍ଚ୍ଚ। ଜୋର ଧରିଲାଣି। ସେପଟେ, କଂଗ୍ରେସର ମଧ୍ୟ ସମାନ ସ୍ଥିତି।

ନବ ଦାସ ବିଜେଡିକୁ ଯିବା ପରେ ଜିଲ୍ଲାରେ କଂଗ୍ରେସ ସଂଗଠନ ଏକପ୍ରକାର ଅସ୍ତିତ୍ବ ସଙ୍କଟ ଦେଇ ଗତି କରୁଛି। ସେମିତିବି ସୁନ୍ଦରଗଡର ବରିଷ୍ଠ କଂଗ୍ରେସ ନେତା କିଶୋର ପଟେଲ ମଧ୍ୟ ବ୍ରଜରାଜନଗରକୁ ତାଙ୍କୁ ରାଜନୈତିକ କ୍ଷେତ୍ର ଭାବେ ପରିଣତ କରି ଗତ ନିର୍ବାଚନରେ ପରାସ୍ତ ହୋଇସାରିଛନ୍ତି। ଆଉ ଏବେ ପୁଣି ତାଙ୍କ ପୁଅ ଏଠାରୁ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଅଣ୍ଟା ଭିଡୁଥିବା ଚର୍ଚ୍ଚ। ଜୋର ଧରିଲାଣି। ମୋଟ୍ ଉପରେ ବର୍ତ୍ତମାନ ସୁଦ୍ଧା ବ୍ରଜରାଜନଗରବାସୀ କୌଣସି ଜିଲ୍ଲା ବାହାରର ପ୍ରାର୍ଥୀଙ୍କୁ ସମର୍ଥନ ଦେଇନଥି। ବେଳେ ଆଗାମୀ ଉପନିର୍ବାଚନ ପାଇଁ ଜିଲ୍ଲା ଭିତରୁ ପ୍ରାର୍ଥୀ ଯୋଗାଡ କଂଗ୍ରେସ ଏବଂ ବିଜେପି ପାଇଁ ବଡ ଆହ୍ବାନ ଭାବେ ଉଭା ହେଲାଣି।

Comments are closed.