ପେନ୍‌ସିଲ୍ ଆର୍ଟରେ ‘ମହାଭାରତ’ : ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ମନସ୍ବିନୀ

ସାନଖେମୁଣ୍ଡି: ସେ ଜଣେ ସାଧାରଣ ଅଙ୍ଗନବାଡ଼ି କର୍ମୀଙ୍କ ଝିଅ। ହେଲେ କିଛି ଅସାଧାରଣ କରି ଦେଖାଇଛନ୍ତି। ଆଉ ଓଡ଼ିଶା ରାଜ୍ୟ ତଥା ଗଞ୍ଜାମ ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି। ସେ ହେଉଛନ୍ତି ସାନଖେମୁଣ୍ଡି ବ୍ଲକ୍‌ ତୁଳସୀପଦର ଗ୍ରାମର ମନସ୍ବିନୀ ନାହାକ I ପୁରାଣ ପ୍ରସିଦ୍ଧ ମହାଭାରତ ଯୁଦ୍ଧର ବଡ଼ ବଡ଼ ପେନସିଲ୍ ଆର୍ଟକୁ ଅତି ସହଜ, ସୁନ୍ଦର ଓ ଆକର୍ଷଣୀୟ ଢଙ୍ଗରେ ଆଙ୍କି ପାରିଛନ୍ତି ମନସ୍ଵିନୀ। ଆଉ ସେଥିପାଇଁ ତାଙ୍କ ନାମ ଏବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସାମିଲ୍ କରାଯାଇଛି। ତାଙ୍କ ଟାଇଟଲ୍‌କୁ ସୁନିଶ୍ଚିତ କରି ରେକର୍ଡ ବୁକ୍ କର୍ତ୍ତୃପକ୍ଷ ମନସ୍ୱନୀଙ୍କ ନିକଟକୁ ପ୍ରମାଣପତ୍ର, ବ୍ୟାଜ୍, ମେଡାଲ୍ ଓ ରେକର୍ଡ ବୁକ୍‌ର କପି ଖଣ୍ଡେ ପଠାଇଛନ୍ତି।

ତୁଳସୀପଦର ଗ୍ରାମର ସାଧୁ ନାହାକଙ୍କ ବଡ଼ ଝିଅ ମନସ୍ଵିନୀ। ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜରୁ ଯୁକ୍ତ ତିନି ପାସ୍‌ କରିବା ପରେ ଚିତ୍ରକଳା ପ୍ରତି ମନ ବଳାଇଥିଲେ ଏହି ଯୁବତୀଜଣକ। ଉଚ୍ଚଶିକ୍ଷା ଜାରି ରଖିବା ସହିତ ବିରତି ସମୟରେ ଚିତ୍ରାଙ୍କନ, କଲରିଂ ଆଦି ସାଙ୍ଗକୁ ମେହେନ୍ଦୀ ଡିଜାଇନ୍‌ କରୁଥିଲେ। ସୋସିଆଲ୍ ମିଡିଆରେ ସକ୍ରିୟ ରହୁଥିବା ମନସ୍ଵିନୀଙ୍କ ନିଜସ୍ବ ୟୁ-ଟ୍ୟୁବ୍ ଆକାଉଣ୍ଟ୍ ମଧ୍ୟ ରହିଛି। ସେଥିରେ ସେ ନିୟମିତ ବ୍ୟବଧାନରେ ନୂତନ କୌଶଳରେ ଭଳିକି ଭଳି ଡିଜାଇନ୍ ପ୍ରସ୍ତୁତ କରି ପୋଷ୍ଟ୍ କରୁଛନ୍ତି। କାଳକ୍ରମେ ତାଙ୍କ ୟୁ-ଟ୍ୟୁବ୍ ଆକାଉଣ୍ଟ୍ ପ୍ରତି ଦର୍ଶକଙ୍କ ଲାଇକ୍ ଓ ସେୟାର ବଢ଼ି ଚାଲିଥିଲା। ଏହାପରେ କିଛି ଭିନ୍ନ କରିବା ଆଶାରେ ସେ ମହାଭାରତ ଯୁଦ୍ଧର ଦୃଶ୍ୟାବଳୀକୁ ପେନ୍‌ସିଲ ଆର୍ଟ କରି ୟୁ-ଟ୍ୟୁବ୍ ଆକାଉଣ୍ଟରେ ପୋଷ୍ଟ୍ କରିଥିଲେ। ତାଙ୍କର ସେହି ଆର୍ଟ, ଡ୍ରଇଁକୁ ମିଳିଥିଲା ଭରପୁର ଦର୍ଶକଙ୍କ ଉଚ୍ଚ ପ୍ରଶଂସା। ସେଥିରେ ଉତ୍ସାହିତ ହୋଇ ମନସ୍ଵିନୀ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ନିମନ୍ତେ ଆବେଦନ କରିଥିଲେ। ଖୁସିର କଥା ରେକର୍ଡସ୍ ବୁକ୍ କର୍ତ୍ତୃପକ୍ଷ ମନସ୍ବିନୀଙ୍କ କଳାକୃତିକୁ ସ୍ବୀକୃତି ଦେଇଛନ୍ତି।

ଟାଇଟଲ୍ ହାସଲ ପରେ ନିଜେ ଓ ସମସ୍ତ ପରିବାର ଖୁସି ଥିବା କହିଛନ୍ତି ମନସ୍ଵିନୀ। ତାଙ୍କ ମା’ ସାନଖେମୁଣ୍ଡି ବ୍ଲକ୍‌ ତୁଳସୀପଦର ଗ୍ରାମରେ ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟରତ। ହେଲେ ଘରର ବଡ଼ ଝିଅ ଏବେ ପାଠ ପଢ଼ି ଦୁନିଆ ଆଗରେ କିଛି ନିଆରା କରି ଦେଖାଇ ପାରିଛନ୍ତି। ଅଞ୍ଚଳବାସୀ ମଧ୍ୟ ଏଥିରେ ବେଶ୍‌ ଖୁସି।

Comments are closed.