ତୃତୀୟ ଲହରର ଭୟଙ୍କର ଗତି ଜାରି, ୨୪ ଘଣ୍ଟାରେ ଆସିଲା ୧,୪୧,୯୮୬ ମାମଲା, ୨୮୫ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ତୃତୀୟ ଲହରର ଭୟଙ୍କର ଗତି ଜାରି ରହିଛି । ଏହା ସହିତ ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ଦେଶରେ ଏକ ଲକ୍ଷ ୪୧ ହଜାର ୯୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ କ୍ରମାଗତ ଦ୍ବିତୀୟ ଦିନ ପାଇଁ ଲକ୍ଷେରୁ ଊର୍ଦ୍ଧ୍ବ ମାମଲା ରିପୋର୍ଟ ହୋଇଛି। ଦିନକରେ ଏହି ରୋଗରେ ଆଉ ୨୮୫ ଜଣଙ୍କର ମୃତ୍ୟୁ ହୋଇଛି। ଏଯାବତ୍ ଦେଶରେ ଓମିକ୍ରନର ୩୦୭୧ ଟି ମାମଲା ରେକର୍ଡ କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୪ ଲକ୍ଷ ୭୨ ହଜାର ୧୬୯ କୁ ବୃଦ୍ଧି ପାଇଛି। ଏହି ମହାମାରୀରେ ଏପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୮୩ ହଜାର ୪୬୩ ଲୋକଙ୍କ ମୃତ୍ୟୁ ହୋଇଛି। ତଥ୍ୟ ଅନୁଯାୟୀ ଗତକାଲି ୪୦ ହଜାର ୪୮୫ ଜଣ ଲୋକ ଆରୋଗ୍ୟ ଲାଭ କରିଥିଲେ, ଯାହା ପରେ ଏପର୍ଯ୍ୟନ୍ତ ୩ କୋଟି ୪୪ ଲକ୍ଷ ୧୨ ହଜାର ୭୪୦ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୫୦ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ୯୦ ଲକ୍ଷ ୫୯ ହଜାର ୩୬୦ ଡୋଜ ଦିଆଯାଇଥିଲା ।

ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୩୦୭୧କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧୨୦୩ ରୋଗୀ ସୁସ୍ଥ ହୋଇଛନ୍ତି । ଦେଶରେ ଏହି ନୂଆ ଭାରିଆଣ୍ଟ ୨୭ଟି ରାଜ୍ୟରେ ପହଞ୍ଚିଛି। ମହାରାଷ୍ଟ୍ର ଏବଂ ରାଜଧାନୀ ଦିଲ୍ଲୀରେ ସର୍ବାଧିକ ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି।

Comments are closed.