ଶ୍ରୀମନ୍ଦିରରେ ନବାଙ୍କ ବେଢ଼ା ଓ ମକର ସଂକ୍ରାନ୍ତି ବିନା ଭକ୍ତରେ ପାଳିତ 

ନବାଙ୍କ ବେଢ଼ା ଓ ପବିତ୍ର ମକର ସଂକ୍ରାନ୍ତି ଶ୍ରୀମନ୍ଦିରରେ ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛି। ବିଗତବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ଏହା ଅନୁଷ୍ଠିତ ହୋଇଥିଲା। ମକର ସଂକ୍ରାନ୍ତି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜୀଉମାନଙ୍କର ପଟା ପହରଣ ଲାଗି କରାଯାଇ ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥିଲା।ଏହାପରେ କର୍ପୂର ଲାଗିହୋଇ ଶ୍ରୀବିଗ୍ରହମାନଙ୍କର ବେଶ ବଢ଼ିଥିଲା। ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ,ମହାସ୍ନାନ,ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି,ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ବଢ଼ିଥିଲା। ଘଣ୍ଟ, ଛତା,କାହାଳୀ ପଟୁଆର ସହିତ ତଳିଚ୍ଛୁ ଓ ପ୍ରଧାନୀ ସେବକଙ୍କ ହାତପୈଠ ହୋଇ ରୋଷଘରଠାରୁ ଭୋଗ ଶ୍ରୀଛାମୁକୁ ଆସିଥିଲା। ଭୋଗଟେରା ବନ୍ଧାହେବା ପରେ ଦିଗପାଳବଳି ନୀତି ଶେଷ ହୋଇଥିଲା।ଭୋଗ ବଢ଼ିବାପରେ ପାଣିପଡ଼ି ଧୋପଖାଳ ହୋଇ ଟେରା ବନ୍ଧାଯାଇଥିଲା।

ଇତି ମଧ୍ୟରେ ମକର ଚାଉଳ ପ୍ରସ୍ତୁତି ନିମନ୍ତେ ରୋଷଘରକୁ ଗୋଦାମରୁ ନଡ଼ିଆ,ଘିଅ, ମିଠା, ମସଲା ଓ ଦୁଧ ସରମାନ ଅଣାଯାଇ ହାଣ୍ଡି କୁଡ଼ୁଆ ଇତ୍ୟାଦି ପ୍ରସ୍ତୁତ କରା ଯାଇଥିଲା। ସୁଦୁ ସୁଆର ସେବକ ଉପରୋକ୍ତ ଦ୍ରବ୍ୟଗୁଡ଼ିକରେ ମକରଚାଉଳ ପ୍ରସ୍ତୁତକରି ଥିଲେ। ଏହାପରେ ପୂର୍ବଦିନରୁ ଭୋଗମଣ୍ଡପ ଘରେ ଶୁଦ୍ଧପୂତ ଭାବେ ଅଧିବାସ ହୋଇ ରଖାଯାଇଥିବା ମକର ଚାଉଳକୁ ପତ୍ରିବଡ଼ୁ/ପନ୍ତିବଡ଼ୁ ସେବକମାନେ ମୁହଁରେ ବାଘମୁହାଁ ବାନ୍ଧି ଘଣ୍ଟ,ଛତା, କାହାଳୀ ପଟୁଆରରେ ତଳିଚ୍ଛୁଙ୍କ ସହ ମୁଖ୍ୟ ମନ୍ଦିରକୁ ତିନିଥର ପରିକ୍ରମା କରି ଶ୍ରୀଛାମୁରେ ପନ୍ତି ବାଢ଼ିଥିଲେ। ହଡ଼ପ ନାୟକ ସେବକ ହଡ଼ପ ଘରଠାରୁ ଘଣ୍ଟ, ଛତା, କାହାଳୀ ପଟୁଆରରେ ମୁଖ୍ୟମନ୍ଦିର ଭିତର ବେଢ଼ାକୁ ଏକଥର ବୁଲି ଭୋଗ ବାଢ଼ିବା ନିମନ୍ତେ ମହାସୁଆରକୁ ଦେଇ ଥିଲେ। ମୁଦିରସ୍ତ ପ୍ରସାଦଲାଗି କରିବାପରେ ତିନି ବାଡ଼ରେ ତିନି ପୂଜାପଣ୍ଡା ପଞ୍ଚୋପଚାରରେ ମଣୋହି ସାରିଥିଲେ। ଭୋଗ ସରିବାପରେ ଶ୍ରୀଜିଉମାନଙ୍କୁ ବନ୍ଦାପନା କରାଯାଇଥିଲା।

ଏ ସଂପର୍କରେ ସ୍କନ୍ଦପୁରାଣର ବିଷ୍ଣୁଖଣ୍ଡରେ ଉଲ୍ଲେଖ ରହିଛି ଯେ ମହର୍ଷି କଶ୍ୟପ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରୀତିନିମନ୍ତେ ଶ୍ରୀମନ୍ଦିରରେ ଏହିମହୋତ୍ସବ ପାଳନ କରିଥିଲେ।ଏହିନୀତି ସମ୍ପାଦନ ସମୟରେ ଘଣ୍ଟ,ଛତା,କାହାଳୀର ମହାର୍ଘ ପଟୁଆରରେ ହଜାର ହଜାର ଭକ୍ତ ମନ୍ଦିର ପ୍ରଦକ୍ଷିଣ କରିବାର ବିଧି ରହିଛି। ବିଶେଷଭାବେ ଜଗମୋହନରେ ଶ୍ରୀଜିଉଙ୍କର ଅର୍ପିତ ମକରଚାଉଳ ବା ମକର ଭୋଗ ପାଇବା ନିମନ୍ତେ ଭକ୍ତ ମାନଙ୍କଠାରେ ପ୍ରବଳ ଆଗ୍ରହ ରହିଥାଏ। ହିନ୍ଦୁ ଧର୍ମ ବିଶ୍ବାସ ଅନୁସାରେ ମକର ସଂକ୍ରାନ୍ତି ଦିନ ଜଗନ୍ନାଥଙ୍କ ଦର୍ଶନକଲେ ରାଜସୂୟ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ। ଯେଉଁଭକ୍ତ ମହାପ୍ରଭୁଙ୍କୁ ଦର୍ଶନକରି ବିଧିପୂର୍ବକ ବେଢ଼ା ପ୍ରଦକ୍ଷିଣ କରନ୍ତି ସେମାନେ ପୁଣ୍ୟଲାଭ କରିବା ସହିତ ମୁକ୍ତିଲାଭ କରିଥାଆନ୍ତି ବିଶ୍ୱାସ ରହିଅଛି।

ଏହି ଦିନରେ ଶ୍ରୀଜଗନ୍ନାଥ ମକର ଚଉରାଶି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି।ଜଗନ୍ନାଥ ହେଉଛନ୍ତି ସୂର୍ଯ୍ୟଙ୍କ ଭଳି ସକଳ ଶକ୍ତିର ଆଧାର ଓ ସେ ହେଉଛନ୍ତି ଚଉରାଶି ଲକ୍ଷ ଯୋନି ଜୀବଙ୍କ ପାଳକ।ତେଣୁ ସେହି ପ୍ରାଣୀମାନଙ୍କ ମଙ୍ଗଳ ପାଇଁ ମହାପ୍ରଭୁଙ୍କ ପାଖରେ ପବିତ୍ର ମକର ସଂକ୍ରାନ୍ତିରେ ୮୪ ପ୍ରକାର ବ୍ୟଞ୍ଜନ ପ୍ରସାଦ ଲାଗି ହୋଇଥାଏ।ଯାହାକୁ ମକର ଚଉରାଶି ଭୋଗ ବୋଲି କୁହାଯାଏ।

ଶ୍ରୀଜୀଉ ମାନେ ମକର ଚଉରାଶି ବେଶରେ ଗେଣ୍ଡୁ ଫୁଲ ମାଳରେ ସଜ୍ଜିତ ହୋଇଥିଲେ। ଏହି ବେଶରେ ମହାପ୍ରଭୁ ସୋଲ ଓ ଫୁଲରେ ନିର୍ମିତ ଆୟୁଧକୁ ଧାରଣ କରିଥିଲେ।ଏହା ସହ ଶ୍ରୀମନ୍ଦିର ଅଁଳା ବେଢାରେ ଚୂନ ଓ ଗେରୁ ଲେପନ କରାଯାଇ ଶ୍ରୀଚିତା ଅଙ୍କନ ଚୁନରା ସେବକ ଙ୍କ ଦ୍ଵାରା କରାଯାଇଥିଲା। ପୂର୍ବ ଉକ୍ତ ମାଳଚୂଳ ସହିତ ଶ୍ରୀ ମଦନମୋହନକୁ ଶ୍ରୀମନ୍ଦିର ରତ୍ନ ସିଂହାସନ କୁ ସାଢ଼େ ଚାରିଥର ଓ ଶ୍ରୀମନ୍ଦିରକୁ ସାଢ଼େ ଚାରିଥର ଏହିପରି ନଅଥର ବେଢ଼ା ବୁଲିବା ସହିତ ପବିତ୍ର ମକର ସଂକ୍ରାନ୍ତି ତିଥିରେ ତିନିଥର ବେଢ଼ା ପରିକ୍ରମା କରି ମକର ବେଢ଼ା ସମାପନ କରିଥିଲେ।

Comments are closed.