ପାଞ୍ଚ ରାଜ୍ୟରେ ଜାନୁୟାରୀ ୨୨ ଯାଏଁ ବଢ଼ିଲା ରାଲି ଉପରେ କଟକଣା

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ହେବାକୁ ଥିବା ପାଞ୍ଚଟି ରାଜ୍ୟରେ ରାଲି ଉପରେ କଟକଣାକୁ ନିର୍ବାଚନ ଆୟୋଗ ଜାନୁୟାରୀ ୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ସମୟରେ ରାଜନୈତିକ ଦଳମାନଙ୍କୁ କେବଳ ଭର୍ଚୁଆଲ୍ ରାଲି କରିବାକୁ ଅନୁମତି ଦିଆଯାଇଛି। ଦେଶରେ କରୋନାର ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁର ରାଜ୍ୟରେ ନିର୍ବାଚନ ଆୟୋଗ ସର୍ବସାଧାରଣ ସଭା, ରୋଡ୍ ସୋ ଏବଂ ବାଇକ୍ ରାଲି ଉପରେ କଟକଣା ଲଗାଇଛନ୍ତି। ଗୋଆ, ମଣିପୁର, ପଞ୍ଜାବ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ରାଜନୈତିକ ଦଳମାନଙ୍କୁ ନିର୍ବାଚନ ଆୟୋଗ ମଧ୍ୟ କିଛି ଛାଡ଼ କରିଛନ୍ତି। ଏହି ରାଜ୍ୟଗୁଡିକରେ ବିଧାନସଭା ନିର୍ବାଚନ ଫେବୃଆରୀ ୧୦ ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ |

ଆୟୋଗ ରାଜନୈତିକ ଦଳମାନଙ୍କୁ ସର୍ବାଧିକ ୩୦୦ ଜଣ ବ୍ୟକ୍ତି କିମ୍ବା ହଲ୍ ‌ରେ କ୍ଷମତାର ୫୦% ସହିତ ଇନଡୋର ବୈଠକ କରିବାକୁ ଅନୁମତି ଦେଇଥିଲେ | ଏହା ବ୍ୟତୀତ ନିର୍ବାଚନ ଆୟୋଗ ସବୁ ଦଳକୁ ଆଦର୍ଶ ଆଚରଣ ବିଧି ଏବଂ କୋଭିଡ୍ ଉପରେ ବିସ୍ତୃତ ଗାଇଡଲାଇନ୍ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଦର୍ଶ ଆଚରଣ ବିଧି ଏବଂ କୋଭିଡ୍ ସମ୍ବନ୍ଧୀୟ ଗାଇଡଲାଇନ୍ ର ଅନୁପାଳନ ନିଶ୍ଚିତ କରିବାକୁ ନିର୍ବାଚନ ଆୟୋଗ ରାଜ୍ୟ / ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି |

ଏହାପୂର୍ବରୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଏବଂ ମଣିପୁରରେ ନିର୍ବାଚନ ତାରିଖ ଘୋଷଣା କରିବା ବେଳେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ଜାନୁୟାରୀ ୧୫ ପର୍ଯ୍ୟନ୍ତ ରାଲି ତଥା ସାଧାରଣ ସଭା ଉପରେ କଟକଣା ଲଗାଇଥିଲେ।

Comments are closed.