ଏଥର ଏମିତି ହେବ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି

ଭୁବନେଶ୍ୱର : ଆସନ୍ତାକାଲି ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ହେବ। ୨୮ ତାରିଖ ଯାଏଁ ଚାଲିବ ଗଣତି । ଚଳିତ ବର୍ଷ ବୁଥ୍‌ ସ୍ତରରେ ଗଣତି ନ ହୋଇ ବ୍ଲକ୍‌ ସ୍ତରରେ ଏକକାଳୀନ ଭୋଟ ଗଣତି ହେବ।

ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍‌ ଗଣତି । ଭୋଟ୍‌ ଗଣତି ପାଇଁ ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍‌କୁ ତିନିଟି ଭାଗରେ ବିଭକ୍ତ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ୨୬ ତାରିଖରେ ୩୧୮ଟି ଜୋନ୍‌ର ଭୋଟ୍‌ ଗଣତି ହେବ। ୨୭ତାରିଖରେ ୩୦୭ଟି ଓ ୨୮ତାରିଖରେ ବାକି ୨୨୯ଟି ଜୋନ୍‌ର ଫଳାଫଳ ପ୍ରକାଶ ପାଇବ।

ପ୍ରଥମେ ୱାର୍ଡ ମେମ୍ବର ଆସନ ପାଇଁ ଭୋଟ୍‌ ଗଣତି ହେବ। ଏହା ପରେ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଆରମ୍ଭ ହେବ ଗଣତି। ଶେଷରେ ଜିଲ୍ଲା ପରିଷଦ ଜୋନ୍‌ର ପ୍ରାର୍ଥୀଙ୍କ ଫଳାଫଳ ପ୍ରକାଶ କରାଯିବ।

ଜିଲ୍ଲା ପରିଷଦ ଆସନ ପାଇଁ ୧ ନମ୍ବର ଜୋନ୍‌ରୁ ହିଁ ଗଣତି ହେବ। କ୍ରମିକ ଅନୁସାରେ ୨ ନମ୍ବର, ୩ ନମ୍ବର- ଏମିତି ପର୍ଯ୍ୟାୟ କ୍ରମେ ଗଣତି କରାଯିବ। ତେବେ ୧୫ଟି ବ୍ଲକରେ ଗୋଟିଏ ଲେଖାଏଁ ଜୋନ୍‌ ଥିବାରୁ ଗୋଟିଏ ଦିନରେ ହିଁ ଗଣତି ଶେଷ କରାଯିବ। ସେହିପରି ୨୨୬ଟି ବ୍ଲକରେ ୨ଟି ଲେଖାଏଁ ଜୋନ୍‌ ରହିଛି। ସେହି ସ୍ଥାନରେ ଦୁଇ ଦିନରେ ଗଣତି ଶେଷ ହେବ। ୩ଟି ଜୋନ୍ ଥିବା ୧୧୫ଟି ବ୍ଲକ୍‌ରେ ପ୍ରତିଦିନ ଗୋଟିଏ ଲେଖାଏ ଜୋନ୍‌ର ଗଣତି କରାଯିବ।

୩ରୁ ଅଧିକ ଅର୍ଥାତ୍ ୪ଟି ଜୋନ୍‌ ଥିବା ୫୦ଟି ବ୍ଲକ୍‌ରେ ଗଣତି ପାଇଁ ନୂଆ ଫର୍ମୁଲା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ପ୍ରଥମ ଓ ଦ୍ୱିତୀୟ ଦିନରେ ଗୋଟିଏ ଲେଖାଏଁ ଜୋନ୍‌ର ଗଣତି ହେବ। ତୃତୀୟ ଦିନରେ ଅର୍ଥାତ୍ ୨୮ ତାରିଖରେ ବାକି ୨ଟି ଜୋନ୍‌ର ଗଣତି କରାଯିବ।

୫ଟି ଜୋନ୍‌ ଥିବା ୭ଟି ବ୍ଲକରେ ମଧ୍ୟ ଗଣତି ପାଇଁ ଏଭଳି ଉପାୟ ଆପଣାଇଛନ୍ତି କମିଶନ। ଏଠା ସହରେ ପ୍ରଥମ ଦିନରେ ଗୋଟିଏ ଜୋନ୍‌ ଓ ବାକି ୨ଟି ଦିନରେ ଦୁଇଟି ଲେଖାଏଁ ଜୋନ୍‌ରେ ଭୋଟ୍‌ ଗଣତି କରାଯିବ। ତେବେ ୬ଟି ଜୋନ୍‌ ଥିବା ବ୍ଲକ୍‌ ଗୁଡିକରେ ପ୍ରତି ଦିନ ଅର୍ଥାତ୍ ଫେବୃଆରୀ ୨୬ରୁ ୨୮ ପ୍ରର୍ଯ୍ୟନ୍ତ ତିନି ଦିନ ଧରି ୨ଟି ଲେଖାଏଁ ଜୋନ୍‌ର ଗଣତି କରାଯିବ।

Comments are closed.