ଯୁବ ପ୍ରତିଭାଙ୍କୁ ସୁଯୋଗ ଦେବ ଓଡ଼ିଶା ଆନ୍ତଃବିଶ୍ବବିଦ୍ୟାଳୟ ପ୍ରତିଯୋଗିତା

ବ୍ରହ୍ମପୁର: ରାଜ୍ୟର ଯୁବ ପ୍ରତିଭାଙ୍କ ପାଇଁ ସୁଯୋଗର ଅଭାବ ରହିବ ନାହିଁ। ସେ କ୍ରୀଡ଼ା ହେଉ କି ସାଂସ୍କୃତିକ ଅଥବା ସାହିତ୍ୟ… ପ୍ରତିଟି କ୍ଷେତ୍ରରେ ପରସ୍ପର ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ପ୍ରତିଦ୍ବନ୍ଦ୍ବିତା ଓ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ସେମାନଙ୍କୁ ଯଥେଷ୍ଟ ଅବସର ମିଳିବ। ଏହି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶରେ ରାଜ୍ୟରେ ଆୟୋଜିତ ହେଉଛି ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା। ଚଳିତ ବର୍ଷ ଏହାର ପ୍ରଥମ ସଂସ୍କରଣ ଆୟୋଜନ କରାଯାଉଥିବା ବେଳେ ପ୍ରଥମ ପ୍ରତିଯୋଗିତା (କ୍ରୀଡ଼ା) ଇଭେଣ୍ଟ ଆଜି ଠାରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଖେଳ ପଡ଼ିଆରେ ଆରମ୍ଭ ହେଉଛି।

୧ମ ଓଡ଼ିଶା ଇଣ୍ଟର ୟୁନିଭର୍ସିଟି କମ୍ପିଟିସନ୍ (ଓଆଇୟୁସି)ର ତିନୋଟି ପର୍ଯ୍ୟାୟରେ ଖେଳକୁଦ, ସାଂସ୍କୃତିକ ଓ ସାହିତ୍ୟିକ ପ୍ରତିଯୋଗିତା ଆୟୋଜିତ ହେବାର ସ୍ଥିର ହୋଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ଓଆଇୟୁସି କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବେ ୧୩ଟି ବିଶ୍ବବିଦ୍ୟାଳୟର ପ୍ରାୟ ୨୫୦ ପ୍ରତିଯୋଗୀ। ଏହି ତିନିଦିନିଆ କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ ବର୍ଗର ୧୬ଟି ଏବଂ ମହିଳା ବର୍ଗର ୧୦ଟି ଇଭେଣ୍ଟ୍ ଅନୁଷ୍ଠିତ ହେବ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡ଼ା ପରିଷଦ ସମ୍ପାଦକ ଡ. ଶେଷଦେବ ପାତ୍ରଙ୍କ ସୂଚନା ପ୍ରକାରେ ଉଦ୍‌ଘାଟନୀ ପର୍ବରେ ଅତିଥି ହେବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ବିଭାଗୀୟ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଏବଂ ଆର୍ମି ଏୟାର ଡିଫେନ୍ସ କଲେଜ କମାଣ୍ଡାଣ୍ଟ ଲ୍ୟୁଟନାଣ୍ଟ ଜେନେରାଲ ସତିନ୍ଦର ସିଂହ। ସେହିପରି ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗଦେବେ ବାରିପଦାର ଏମ୍ଏସ୍‌ସିବି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର କିଶୋର କୁମାର ବାସା, ପୂର୍ବତନ ଅଲିମ୍ପିଆନ୍ ଅନୁରାଧା ବିଶ୍ଵାଳ ଏବଂ ଅଲିମ୍ପିକ୍‌ରେ ଭାରତର ପ୍ରତିନିଧିତ୍ବ କରିଥିବା ରେଶମ ସହରର ବିଶିଷ୍ଟ ଭାରୋତ୍ତୋଳକ କେ. ରବି କୁମାର।

ଖେଳକୁଦ ଇଭେଣ୍ଟ୍ ମଧ୍ୟରେ ରହିଛି ବିଭିନ୍ନ ଦୂରତାର ଦୌଡ଼, ସଟପୁଟ୍ ଥ୍ରୋ, ଲମ୍ବା ଡିଆଁ, ରିଲେ ରେସ୍, ଉଚ୍ଚ ଡିଆଁ, ଡିସକସ୍ ଥ୍ରୋ, ହାମର୍ ଥ୍ରୋ, ଟ୍ରିପଲ୍ ଜମ୍ପ୍, ଜାଭେଲିନ୍ ଥ୍ରୋ ଆଦି (ପୁରୁଷ ଓ ମହିଳା)। ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ବିଜେତା କ୍ରୀଡ଼ାବିତ୍‌ଙ୍କୁ ଯଥାକ୍ରମେ ୩୦୦୦୦, ୨୫୦୦୦ ଏବଂ ୨୦୦୦୦ ଟଙ୍କା ଆର୍ଥିକ ପୁରସ୍କାର, ପଦକ ଓ ମାନପତ୍ର ମଧ୍ୟ ପ୍ରଦାନ କରାଯିବ। ପ୍ରଥମ କରି ରାଜ୍ୟରେ ହେଉଥିବା ଏଭଳି ସମ୍ମାନଜନକ ପ୍ରତିଯୋଗିତାର ଆୟୋଜକ ଭାବେ ଦାୟିତ୍ଵ ମିଳିଥିବାରୁ ଏହାକୁ ନେଇ ଖୁବ୍ ଉତ୍ସାହିତ ଥିବା କହିଛନ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଜେ.ଚକ୍ରପାଣି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ କ୍ରୀଡ଼ାର ହବ୍ କରିବାକୁ ସତେଯେମିତି ସଂକଳ୍ପବଦ୍ଧ। ବିଶ୍ଵବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ାର ବିକାଶ ଜରିଆରେ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତା ସକାଶେ ଅଭ୍ୟାସର ବ୍ୟାପକ ସୁଯୋଗ ଦେବା, ଅଧିକ ଉତ୍ତମ ଓ ଦକ୍ଷ କରି ଗଢ଼ି ତୋଳିବା ପାଇଁ ଅନେକ ଯୋଜନା ମଧ୍ୟରେ ନୂଆ କରି ଆରମ୍ଭ କରାଯାଉଥିବା ଓଡ଼ିଶା ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଯେ ବେଶ୍ ଲୋକପ୍ରିୟ ତଥା ସଫଳ ହେବ ସେଥିରେ କୌଣସି ଦ୍ଵିମତ ନାହିଁ। ଏହାଦ୍ଵାରା ଜାତୀୟସ୍ତରର ଆନ୍ତଃବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟରୁ ଅଧିକ ଦକ୍ଷ ଓ ପ୍ରତିଭାସମ୍ପନ୍ନ କ୍ରୀଡ଼ାବିତ୍‌ମାନଙ୍କୁ ଭାଗ ନେବାର ସୁଯୋଗ ମିଳିପାରିବ।

ଶିକ୍ଷା କ୍ଷେତ୍ରରେ ମାନସିକ ସହ ଶାରୀରିକ ସୁସ୍ଥତାର ଯଥେଷ୍ଟ ଆବଶ୍ୟକତା ରହିଛି। ଏଥିପାଇଁ କ୍ରୀଡ଼ାର ଭୂମିକା ଅତି ମହତ୍ତ୍ୱପୂର୍ଣ୍ଣ ଖେଳକୁଦ ଶିକ୍ଷାର୍ଥୀଙ୍କୁ ସୁସ୍ଥ ସବଳ ରଖିବା ସହ ସେମାନଙ୍କ ମଧ୍ୟରେ ଶୃଙ୍ଖଳା ଜ୍ଞାନ, ଧୈର୍ଯ୍ୟ, ଦଳଗତ ମନୋଭାବ ଆଦି ବୃଦ୍ଧି କରିଥାଏ। ବନ୍ଧୁତ୍ଵ ଏବଂ ସୌହାର୍ଦ୍ଦ୍ୟ ସୃଷ୍ଟିରେ କ୍ରୀଡ଼ାର ଭୂମିକା ଉଲ୍ଲେଖନୀୟ। ରାଜ୍ୟରେ ତୃଣମୂଳସ୍ତରରୁ କ୍ରୀଡ଼ାକୁ ଗୁରୁତ୍ବ ଦେବା ପାଇଁ ଏବଂ ଲୁକ୍କାୟିତ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପ ବେଶ୍ ପ୍ରଶଂସନୀୟ ବୋଲି ମତ ଦେଉଛି ରାଜ୍ୟର କ୍ରୀଡ଼ାବିତ୍ ମହଲ।

Comments are closed.