ଆଜିଠୁ ମୋହାଲିରେ କୋହଲିଙ୍କ ୧୦୦ତମ ଟେଷ୍ଟ

ମୋହାଲି: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ଶୁକ୍ରବାର ଠାରୁ ଏଠାରେ ଆରମ୍ଭ ହେଉଛି । ଭାରତୀୟ ଦୃଷ୍ଟିକୋଣରୁ ଏହି ଟେଷ୍ଟ ଏକାଧିକ କାରଣ ପାଇଁ ଏକ ମାଇଲଖୁଣ୍ଟ ମ୍ୟାଚ୍ ହେବ । ଏହି ଫର୍ମାଟରେ ସୁପରଷ୍ଟାର ବିରାଟ କୋହଲିଙ୍କ ଏହା ହେବ ୧୦୦ତମ ଟେଷ୍ଟ । ଭାରତର ୧୨ତମ ଖେଳାଳି ଭାବେ କୋହଲି ଏହି ମାଇଲଖୁଣ୍ଟ ଛୁଇଁବେ । ଏହାଛଡା ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ଏହା ଡେବ୍ୟୁ ଟେଷ୍ଟ ହେବ ।

କ୍ରିକେଟ୍ ର ପାରମ୍ପାରିକ ଫର୍ମାଟକୁ ସର୍ବଦା ପ୍ରାଧାନ୍ୟ ଦେଉଥିବା ବିରାଟ କୋହଲି ନିଜର ୧୦୦ ତମ ଟେଷ୍ଟ ମ୍ୟାଚକୁ ସ୍ମରଣୀୟ କରିବାକୁ ପ୍ରୟାସ କରିବେ | ଅନ୍ୟପକ୍ଷରେ ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ୩୫ ତମ ଟେଷ୍ଟ ଅଧିନାୟକ ଭାବରେ ନିଜର ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଶ୍ରୀଲଙ୍କା ଦଳ ଭାରତରେ ଏପର୍ଯ୍ୟନ୍ତ କୌଣସି ଟେଷ୍ଟ ମ୍ୟାଚ୍ ଜିତି ନାହିଁ। ଭାରତରେ ଖେଳିଥିବା ୨୦ ଟି ଟେଷ୍ଟରେ ଦଳ ୧୧ ଟିରେ ପରାଜୟ ବରଣ କରିଥିବା ବେଳେ ୯ ଟି ମ୍ୟାଚ୍ ଡ୍ର କରିଛି |

୧୯୩୨ ମସିହାରେ ନିଜର ପ୍ରଥମ ଟେଷ୍ଟ ଖେଳିବା ପରେ ଭାରତୀୟ କ୍ରିକେଟରେ ଅନେକ କିମ୍ବଦନ୍ତୀ ଖେଳାଳିଙ୍କ ଆବିର୍ଭାବ ହୋଇଛି ଯେଉଁମାନେ ମହାନତାର ନୂଆ ଶିଖର ଛୁଇଁ ଛନ୍ତି | ସେ ସୁନୀଲ ଗାଭାସ୍କରଙ୍କ ୧୦,୦୦୦ ରନ୍ ହେଉ କିମ୍ବା ସଚିନ ତେନ୍ଦୁଲକରଙ୍କ ଭାବପ୍ରବଣ ବିଦାୟ | ଏବେ ସମସ୍ତ ନଜର କୋହଲିଙ୍କ ଉପରେ ଅଛି, ଯାହାଙ୍କ ୧୦୦ ତମ ଟେଷ୍ଟ ଚର୍ଚ୍ଚାର ବିଷୟ ହୋଇଛି |

ଏହି ୧୦୦ ତମ ଟେଷ୍ଟ ମ୍ୟାଚରେ ଏକ ଶତକୀୟ ପାଳିରେ ଲମ୍ବା ଅପେକ୍ଷାର ଅନ୍ତ ଘଟାଇ କୋହଲି ଏହାକୁ ସ୍ମରଣୀୟ କରିବାକୁ ଚାହିଁବେ | ସେ ଦୁଇ ବର୍ଷରୁ ଅଧିକ ସମୟ ଧରି ତିନି ଅଙ୍କ ସ୍କୋର୍ କରିପାରି ନାହାଁନ୍ତି | ସୁରଙ୍ଗା ଲକମଲ, ଲାହିରୁ କୁମାରା କିମ୍ବା ଲାସିଥ ଏମ୍ବୁଲଡେନିଆଙ୍କ ଭଳି ବୋଲରଙ୍କୁ ନେଇ ଶ୍ରୀଲଙ୍କା ଆକ୍ରମଣର ସାମ୍ନା କରିବାରେ କୋହଲିଙ୍କୁ କୌଣସି ଅସୁବିଧା ହେବ ନାହିଁ। ସେ ନିଜ କଭର ଡ୍ରାଇଭ, ଡ୍ରାଇଭ, ଫ୍ଲିକ୍ସ ଏବଂ ପୁଲ୍ ସଟ୍ ସହ ତାଙ୍କ ପ୍ରଶଂସକଙ୍କୁ ଆକର୍ଷିତ କରିବା ନିଶ୍ଚିତ |

ଏହି ଟେଷ୍ଟ ମ୍ୟାଚରୁ ମଧ୍ୟ ରୋହିତଙ୍କ ନେତୃତ୍ୱରେ ଭାରତୀୟ ଦଳର ଏକ ନୂଆ ଯାତ୍ରା ଆରମ୍ଭ ହେବ | ସୀମିତ ଓଭର କ୍ରିକେଟ୍ ରେ ରୋହିତଙ୍କ ସଫଳତା ବିଷୟରେ ସମସ୍ତେ ଅବଗତ ଅଛନ୍ତି, ବିଶେଷକରି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ । ଯେଉଁଠାରେ ସେ ଏମଏସ ଧୋନିଙ୍କ ଭଳି ମହାରଥୀଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି। କିନ୍ତୁ ଟେଷ୍ଟ କ୍ରିକେଟରେ ଅଧିନାୟକତ୍ୱ ସମ୍ପୂର୍ଣ୍ଣ ଭିନ୍ନ। ରୋହିତଙ୍କୁ ବର୍ତ୍ତମାନ ୩୪ ବର୍ଷ ବୟସ ଏବଂ ଏହା ନିଶ୍ଚିତ ଯେ ସେ ଏହି ଦାୟିତ୍ବରେ ଅଧିକ ସମୟ ରହିବେ ନାହିଁ। ତେଣୁ ଭାରତୀୟ କ୍ରିକେଟରେ ଏହି ପରିବର୍ତ୍ତନର ଅବଧିକୁ ସେ କିପରି ପରିଚାଳନା କରନ୍ତି ତାହା ଦେଖିବା ମଜାଦାର ହେବ । ବିଶେଷ କରି ଏପରି ଏକ ସମୟରେ ଯେତେବେଳେ ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ ଏବଂ ଇଶାନ୍ତ ଶର୍ମାଙ୍କ ପରି ଭେଟେରାନ ଖେଳାଳିଙ୍କ ବାଦ୍ ପଡିଛନ୍ତି ।

ଟେଷ୍ଟ ମ୍ୟାଚରେ ଗୋଟିଏ ସେସନରେ ମ୍ୟାଚ୍ ମୋଡ ପରିବର୍ତ୍ତନ ହୋଇଯାଏ । ଏ ଦୃଷ୍ଟିରୁ ସମସ୍ତଙ୍କ ନଜର ରୋହିତଙ୍କ ନେତୃତ୍ବ ଦକ୍ଷତା ଉପରେ ରହିବ | ଏହି ପରି ପରିସ୍ଥିତିରେ ତାଙ୍କର ନେତୃତ୍ୱ ଦକ୍ଷତା ପ୍ରକୃତ ପରୀକ୍ଷା ହେବ | ଏଥିରେ ଟିମ୍ କମ୍ବିନେସନ ତାଙ୍କର ପାଇଁ ବଡ଼ ଚ୍ୟାଲେଞ୍ଜ ହେବ | ପୂଜାରା ଏବଂ ରହାଣେଙ୍କ ପରି ବ୍ୟାଟ୍ସମ୍ୟାନଙ୍କ ଅନୁପସ୍ଥିତିରେ ସେ କେଉଁ ପ୍ରକାରର କମ୍ବିନେସନ ସହ ପଡିଆକୁ ଓହ୍ଲାଇବେ ତାହା ଦେଖିବା ମଜାଦାର ହେବ |

ପୂଜାରାଙ୍କ ଅନୁପସ୍ଥିତିରେ ତିନି ନମ୍ବର ସ୍ଥାନରେ ଶୁଭମାନ ଗିଲ ଖେଳିବା ସମ୍ଭାବନା ଅଛି | ରାହାଣେଙ୍କ ପାଞ୍ଚ ନମ୍ବର ସ୍ଥାନରେ ହନୁମା ବିହାରୀ କିମ୍ବା ଶ୍ରେୟସ୍ ଆୟରଙ୍କୁ ସୁଯୋଗ ମାଳିପାରେ | ବିଦେଶରେ କଠିନ ପରିସ୍ଥିତିରେ ବିହାରୀ ନିଜର ଦକ୍ଷତା ଦେଖାଇଥିବାବେଳେ ଆୟର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଡେବ୍ୟୁ ମ୍ୟାଚରେ ଶତକ ହାସଲ କରି ନିଜର ପ୍ରତିଭାର ପରିଚୟ ଦେଇଛନ୍ତି । ପଞ୍ଚମ ସ୍ଥାନରେ ୱିକେଟ୍ କିପର ରିଷଭ ପନ୍ତଙ୍କୁ ପଠାଇବା ଭଳି ମଧ୍ୟ ଏକ ରଣନୀତିକ ନିଷ୍ପତ୍ତି ନିଆଯାଇପାରେ।

Comments are closed.