ପୈତୃକ ଭିଟାମାଟି ସ୍ମରଣ କରାଇ ଦେଉଛି ବିଜୁ ବାବୁଙ୍କ ଅଭୁଲା ସ୍ମୃତି

ଭଞ୍ଜନଗର: ମହାନ ଜନନାୟକ.. ପ୍ରବାଦ ପୁରୁଷ.. ନୂତନ ଓଡ଼ିଶା ଗଠନର ପୁରୋଧା.. କଳିଙ୍ଗର ମୁକୁଟବିହୀନ ଶେଷ ସମ୍ରାଟ.. ନବ ଉତ୍କଳର ବିନ୍ଧାଣୀ.. ଏମିତି କେତେ କଣ ଉପମା ତାଙ୍କ ପାଇଁ ବାଖ୍ୟା କରାଯାଇ ପାରେ। ହେଲେ ହିମାଳୟ ସଦୃଶ ଉତ୍ତୁଙ୍ଗ ତାଙ୍କ ମହାନ୍ ବ୍ୟକ୍ତିତ୍ଵ ଆଗରେ ସବୁ ଶବ୍ଦ ହୁଏତ ନିଅଣ୍ଟ ପଡ଼ିଯିବ। ସେ ଥିଲେ ଓଡ଼ିଆ ସ୍ପର୍ଦ୍ଧା ଓ ସ୍ୱାଭିମାନର ପ୍ରତୀକ। ପ୍ରତିଟି ଓଡ଼ିଆଙ୍କ ଗର୍ବ ଓ ଗୌରବ। ଏକାଧାରରେ ସ୍ବାଧୀନତା ସଂଗ୍ରାମୀ, ଶିଳ୍ପପତି, ବିଚକ୍ଷଣ ରାଜନୀତିଜ୍ଞ ଓ ରାଷ୍ଟ୍ର ପୁରୁଷ, ଦୂରଦୃଷ୍ଟିସମ୍ପନ୍ନ ଏମିତି ଜଣେ ବ୍ୟକ୍ତିତ୍ଵ ଯାହାଙ୍କ କାଳଜୟୀ ପ୍ରତିଭା ଗୋଟିଏ ରାଜ୍ୟକୁ ନବବିକାଶର ନବୀନ ମାର୍ଗରେ ଆଗକୁ ବଢ଼ାଇ ନେଇଥିଲା। ଆହୁରି ମଧ୍ୟ ସେ ଥିଲେ ଏମିତି ଜଣେ ଦୁଃସାହାସୀ ବୈମାନିକ ଯେକି ଯୁଦ୍ଧସଙ୍କଟଗ୍ରସ୍ତ ଏକ ବିଦେଶରୁ ଜଣେ ରାଷ୍ଟ୍ରନେତାଙ୍କୁ ବିମାନରେ ବସାଇ ନିଜେ ବିମାନଚାଳନା କରି ସୁରକ୍ଷିତ ସ୍ଥାନକୁ ଉଡ଼ାଇ ଆଣିଥିଲେ। ସେଇ ଅଦ୍ଵିତୀୟ ରାଜନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୬ତମ ଜୟନ୍ତୀ। ଏହି ଅବସରରେ ତାଙ୍କୁ କୋଟିକୋଟି ପ୍ରଣିପାତ।

ନିଜ ଜୀବନରେ କେବେ ବି ମୁଣ୍ଡ ନୁଆଇଁ ନଥିବା ବିଜୁ ବାବୁଙ୍କ ଠାରେ ଦେଖିବାକୁ ମିଳୁଥିଲା ପ୍ରଚଣ୍ଡ ଆତ୍ମବିଶ୍ଵାସ ଓ ସ୍ବାଭିମାନର ଅଶେଷ ଝଲକ। ଓଡ଼ିଆ ଜାତି ସର୍ବଶ୍ରେଷ୍ଠ ଜାତି ଏବଂ ଓଡ଼ିଆ ପୁଅ ସବୁଠାରୁ ସ୍ଵାଭିମାନୀ ବୋଲି ସବୁ ବେଳେ ସଗର୍ବେ ଘୋଷଣା କରି ଆସୁଥିଲେ ସେ। ତାଙ୍କର ସେହି ବ୍ୟକ୍ତିତ୍ଵ ତାଙ୍କୁ ଦେଇଥିଲା ଏ ଦେଶର ଅନ୍ୟତମ ଶ୍ରେଷ୍ଠ ରାଷ୍ଟ୍ରନୀତିଜ୍ଞର ପରିଚୟ ଯେ କି ଏହି ରାଜ୍ୟରେ ଅଣକଂଗ୍ରେସ ରାଜନୀତିର ଚେରକୁ ଅତ୍ୟନ୍ତ ହୃଷ୍ଟପୃଷ୍ଟ କରାଇ ପାରିଥିଲେ। ଭାରତୀୟ ରାଜନୀତିରେ ସେ ଥିଲେ ଅନ୍ୟତମ ଚର୍ଚ୍ଚିତ ଓ ପ୍ରଶଂସିତ ଚେହେରା। ତାଙ୍କ ପାଇଁ ପ୍ରତିଟି ଓଡ଼ିଆ ସର୍ବଦା ନିଜକୁ ସ୍ବାଭିମାନୀ, ଗୌରବମଣ୍ଡିତ ମନେ କରିବ। ତାଙ୍କ ପୈତୃକ ଭିଟାମାଟି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟ ଘୁମୁସର ନୂଆଗାଁ ସର୍ବଦା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇ ରହିବ। ଯଦିଓ କଳିଙ୍ଗ ବୀର ବିଜୁ ବାବୁଙ୍କ ପୈତୃକ ବାସସ୍ଥାନ ଏବେ ଜରାଜୀର୍ଣ୍ଣ, ହେଲେ ଅତୀତର ଅନେକ ସ୍ମୃତିଚିହ୍ନ ସମ୍ବଳିତ ଏଇ ସ୍ଥାନକୁ ଏକ ଜାତୀୟସ୍ତରର ପର୍ଯ୍ୟଟନ ତଥା ଐତିହାସିକ ମାନ୍ୟତା ପ୍ରଦାନ କରି ସଂରକ୍ଷଣ କରିବାର ସମୟ ଉପନୀତ। ଘୁମୁସର ନୂଆଁଗାଁର ସ୍ମୃତି ମଧ୍ୟ ସର୍ବଦା ଅଲିଭା ହୋଇ ରହିବ। ସ୍ମୃତି ବିଜଡ଼ିତ ଅତୀତକୁ ସାଉଁଟି ଏବେବି ବିଜୁ ବାବୁଙ୍କୁ ଝୁରୁଛି ଗାଁ ମାଟି।

ବିଜୁ ବାବୁଙ୍କ ଜେଜେବାପା ଜଗନ୍ନାଥ ପଟ୍ଟନାୟକ ରସଲକୋଣ୍ଡା ଜଳଭଣ୍ଡାର ନିର୍ମାଣ ବେଳେ ତତ୍କାଳୀନ ଇଂରେଜ ଶାସନାଧୀନ ଘୁମୁସର ରାଜ୍ୟର ରାଜଧାନୀ ନୂଆଗାଁକୁ ଆସି ସପରିବାର ରହିଥିଲେ। ଜଗନ୍ନାଥ ପଟ୍ଟନାୟକଙ୍କ ଥିଲେ ୧୧ ପୁଅ ଓ ୨ ଝିଅ। ଏମାନଙ୍କ ମଧ୍ୟରୁ ଅନ୍ୟତମ ସନ୍ତାନ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ଥିଲେ ୩ ପୁଅ ବିଜୁ ପଟ୍ଟନାୟକ, ପ୍ରେମ ପଟ୍ଟନାୟକ ଓ ସିଜୁ ପଟ୍ଟନାୟକ ଏବଂ ଏକମାତ୍ର ଝିଅ ସ୍ବୀକୃତି ପଟ୍ଟନାୟକ। ବିଜୁ ବଂଶଜଙ୍କ ମଧ୍ୟରୁ ଏବେ ୬ ଭାଇଙ୍କ ପରିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବସବାସ କରି ଆସୁଛନ୍ତି। ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଚାକିରୀ ପାଇ କଟକ ଚାଲି ଯାଇଥିଲେ ହେଁ ତାଙ୍କର ଅନ୍ୟତମ ଭାଇଙ୍କ ପୁଅ ଭଗବାନ ପଟ୍ଟନାୟକ ନୂଆଁଗାଁରେ ରହୁଥିଲେ। ଏବେବି ଏହି ପରିବାର ନୂଆଗାଁରେ ରହି ଆସୁଥିବା ଜଣାଯାଏ।

ବିଜୁ ବାବୁ ଅନେକ ସମୟରେ ନୂଆଁଗାଁ ଆସିଛନ୍ତି, ରାତି ରହିଥିଲେ। ସେଥିପାଇଁ ପୈତୃକ ଘରଟିରେ ବିଜୁ ବାବୁଙ୍କ ପାଇଁ ଏକ ସ୍ଵତନ୍ତ୍ର କକ୍ଷର ବ୍ୟବସ୍ଥା କରାଯାଇଥିଲା ବୋଲି କହନ୍ତି ଆତ୍ମୀୟ ପରିଜନ। ଦାଦା ପୁଅ ଭାଇ ଭଗବାନ ପଟ୍ଟନାୟକ ଥିଲେ ବିଜୁ ବାବୁଙ୍କ ଅତି ଆପଣାର। ଭଞ୍ଜନଗର ଆସିଲେ ସେ ଭଗବାନଙ୍କୁ ଖୋଜୁଥିଲେ, ଘରେ ଦୁଇ ଭାଇ ଅନ୍ତରଙ୍ଗ ସୁଖଦୁଃଖକୁ ପରସ୍ପର ମଧ୍ୟରେ ବାଣ୍ଟୁଥିଲେ। ୧୯୭୧ ଯାଏଁ ବିଜୁ ବାବୁ ପ୍ରାୟତଃ ନୂଆଁଗାଁ ଆସି ପରିବାରବର୍ଗ ଓ ଆତ୍ମୀୟ ସ୍ବଜନଙ୍କ ସହ ସମୟ ବିତାଉଥିଲେ। ତେବେ ୧୯୭୧ ବିଧାନସଭା ନିର୍ବାଚନରେ ଭଞ୍ଜନଗରରୁ ପରାଜିତ ହେବା ପରେ ନୂଆଁଗାଁ ପ୍ରତି ବିମୁଖ ହୋଇପଡ଼ିଥିଲେ ସେ। ନିର୍ବାଚନ ବେଳେ ସେ ନିଜ ପୁରାତନ ସହଯୋଗୀଙ୍କ ସହ ଗାଁକୁ ଗାଁ ବୁଲି ଜନସମ୍ପର୍କ କରୁଥିଲେ। ଥରେ ରାତିରେ ପ୍ରଚାର ସାରି ଘରକୁ ଫେରିବା ପରେ ଖୁଡ଼ିଙ୍କୁ ପଚାରିଥିଲେ ଖାଇବାକୁ କିଛି ଅଛିକି ? ଖୁଡ଼ି ଉତ୍ତର ଦେଇଥିଲେ- ରାତି ହେଲାଣି, ପଖାଳ ଭାତ ଡାଲି ବଳକା ଥିବ। ବିଜୁ ବାବୁ ହଁ ଭରିଥିଲେ। ଖାଇ ସାରି ଛୋଟିଆ ଖଟରେ ଶୋଇଯାଇଥିଲେ। ବିଜୁ ବାବୁଙ୍କ ଭଳି ପ୍ରଚଣ୍ଡ ସ୍ଵାଭିମାନୀ ଓଡ଼ିଆ କେବେ ଦେଖିନାହାନ୍ତି ବୋଲି ତାଙ୍କ ବନ୍ଧୁମାନେ କହୁଥିବା ମନେ ପକାନ୍ତି ନୂଆଗାଁର ବୟୋବୃଦ୍ଧ।

ବିଜୁ ବାବୁଙ୍କ ଆବର୍ତ୍ତମାନରେ ଆସିକା ସଂସଦୀୟ କ୍ଷେତ୍ର ଉପନିର୍ବାଚନରେ ଲଢ଼ୁଥିଲେ ତାଙ୍କ ସାନ ପୁଅ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ। ସେହି ସମୟରେ ସେ ଏକଦା ପୈତୃକ ଗ୍ରାମ ନୂଆଁଗାଁକୁ ଆସିଥିଲେ। ଘରେ ଖୁଡ଼ି ବସନ୍ତ ପଟ୍ଟନାୟକଙ୍କ ହାତ ରନ୍ଧା ଖାଇ ବେଶ୍ କିଛି ସମୟ କଟାଇଥିଲେ। ପୂର୍ବଜଙ୍କ ଫଟୋକୁ ଦେଖୁ ଖୁଡ଼ିଙ୍କୁ ପଚାରି ବୁଝିଥିଲେ। ଏବେ ଏହି ସାତପୁରୁଷର ପୈତୃକ ଭିଟାମାଟି ଭାଙ୍ଗିରୁଜି ଗଲାଣି। କାନ୍ଥ ଫାଟି ଆଁ କଲାଣି। ଫାଇଲିନ୍ ବେଳେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଏହି ଘର। ସତେଯେମିତି କର୍ପୂର ଯାଇଛି ହେଲେ କନା ପଡ଼ି ରହିଛି। ତାହାର ସଂରକ୍ଷଣ ସହ ନବକଳେବର କରି ପ୍ରବାଦ ପୁରୁଷଙ୍କ ସ୍ମୃତିକୁ ସାଉଁଟି ରଖିବାର ସମୟ ଏବେ ଉପନୀତ।

Comments are closed.