ପଞ୍ଚାୟତ ପରାଜୟ ପରେ… ପୌର ଭୋଟ୍ ବେଳେ ବିରୋଧୀ ଶିବିରରେ ନିରବତାର ଛାଇ

ସମ୍ବଲପୁର : ପଞ୍ଚାୟତ ନିର୍ବାଚନ ପରେ ବର୍ତ୍ତମାନ ପୌର ନିର୍ବାଚନର ତାତି ଆରମ୍ଭ ହେଲାଣି। ଗାଁ ପରେ ଏବେ ସହରୀ ରାଜନୀତି ଗରମ ହେଲାଣି। ନାମାଙ୍କନ ଦାଖଲ ସରିଥିବାରୁ ପ୍ରାର୍ଥୀ ବି ପ୍ରଚାର ମଇଦାନକୁ ଓହ୍ଲାଇ ସାରିଲେଣି। ହେଲେ ବର୍ତ୍ତମାନ ସୁଦ୍ଧା ବିରୋଧୀ ବିଜେପି ଏବଂ କଂଗ୍ରେସ ଶିବିରରେ ଶୂନଶାନ ମାହୋଲ ଦେଖିବାକୁ ମିଳିଛି। ଏକପ୍ରକାର ସବୁ ଜିଲ୍ଲାରୁ ଆରମ୍ଭ କରି ବ୍ଲକସ୍ତରୀୟ ବିଜେପି ଏବଂ କଂଗ୍ରେସ  କାର୍ଯ୍ୟାଳୟ ଗୁଡିକରେ ଅଘୋଷିତ ନିରବତାର ଛାଇ ପରି ଦୃଶ୍ୟ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାଚନ ଇତିହାସରେ ନୂତନ ରେକର୍ଡ ସୃଷ୍ଟି କରି ରାଜ୍ୟର ସମସ୍ତ ଜିଲ୍ଲା ପରିଷଦ ସହିତ ୮୬ ପ୍ରତିଶତ ପଞ୍ଚାୟତ ସମିତି ଦଖଲ କରିଥିବା ବିଜେଡି ଶିବିରରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ପରାଜୟ ଗ୍ଲାନିରେ ବୁଡି ରହିଥିବା ବିରୋଧୀ ଆଜି ସୁଦ୍ଧା ପୌର ନିର୍ବାଚନ ପ୍ରଚାରକୁ ଓହ୍ଲାଇନଥିବା ବେଳେ ବିଜେଡି ପୁରା ଦମରେ ମଇଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡିଶାର ସବୁଠି ବିଜେପି ଗଡ ଭାଙ୍ଗିବା ପରେ ଏକତରଫା ବିଜୟ ଲକ୍ଷ୍ୟରେ ବିଜେଡି ନେତା ଅଣ୍ଟା ଭିଡିଛନ୍ତି।

ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡିଶାର ୧୦ ଜିଲ୍ଲା ମଧ୍ୟରୁ ୬ଟି ଜିଲ୍ଲାରେ ବିଜେପି ଜିଲ୍ଲା ପରିଷଦ ଗଠନ କରିଥିବା ବେଳେ କଂଗ୍ରେସ ଗୋଟିଏ ଜିଲ୍ଲା ଦଖଲ କରିଥିଲା। ବିଜେଡି କେବଳ ନୂଆପଡା, ସୁନ୍ଦରଗଡ ଏବଂ ବୌଦ୍ଧ ଜିଲ୍ଲାରେ ପରିଷଦ ଗଠନ କରିବାରେ ସଫଳ ହୋଇଥିଲା। ଏଥିରୁ ସୁନ୍ଦରଗଡ ଜିଲ୍ଲାରେ କଂଗ୍ରେସର ସମର୍ଥନରେ ହିଁ ବିଜେଡି ପରିଷଦ ଗଠନ କରିଥିଲା। ତେବେ, ଏଥର ନିର୍ବାଚନରେ ବିଗତ ସବୁ ବର୍ଷର ରେକର୍ଡ ଭାଙ୍ଗି ପଶ୍ଚିମ ଓଡିଶାରୁ ସମସ୍ତ ବିରୋଧୀଙ୍କୁ ମୂଳପୋଛ କରିବାରେ ସଫଳ ହୋଇଛି ବିଜେଡି। ଏପରିକି ଅଧିକାଂଶ ଜିଲ୍ଲାରେ ବିରୋଧୀ ଖାତା ଖୋଲିବାକୁ ବି ମୌକା ପାଇ ପାରିନାହାନ୍ତି।

ସ୍ବାଧୀନତା ପରବର୍ତ୍ତୀ ଓଡିଶାରେ ପ୍ରଥମ ପଞ୍ଚାୟତ ନିର୍ବାଚନରେ ଏଥର ବିଜେଡି ସାରା ପଶ୍ଚିମ ଓଡିଶାର ୩୦ଟି ଯାକ ଜିଲ୍ଲା ପରିଷଦକୁ ନିଜର କବଜାକୁ ନେବାରେ ସକ୍ଷମ ହୋଇଛି। ଖାଲି ସେତିକି ନୁହେଁ, ରାଜ୍ୟର ୮୬ ପ୍ରତିଶତ ବ୍ଲକ ଅଧ୍ୟକ୍ଷ ପଦରେ ବିଜେଡି ନେତା ଅଭିଷିକ୍ତ ହୋଇଛନ୍ତି। ତେବେ, ଏହି ଅଭୂତପୂର୍ବ ସଫଳତା ପରେ ବର୍ତ୍ତମାନ ପୌର ନିର୍ବାଚନ ଉପନୀତ ହୋଇଛି। ଏଥିପାଇଁ ବିଜେଡି ଶିବିରରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ପଞ୍ଚାୟତ ପରି ପୌରକୁ ବି ଏକପାଖିଆ ବିଜୟ କରିବାକୁ ଦଳ ଜୋରଦାର ପ୍ରୟାସ ଆରମ୍ଭ କରି ଦେଇଛି। ପ୍ରାର୍ଥୀ ଏବଂ ଦଳୀୟ ନେତା ପ୍ରଚାର ମଇଦାନକୁ ସରଗରମ କରିଦେଲେଣି। ହେଲେ ବର୍ତ୍ତମାନ ସୁଦ୍ଧା ସମଗ୍ର ପଶ୍ଚିମ ଓଡିଶାରେ ବିଜେପି କିମ୍ବା କଂଗ୍ରେସର ପ୍ରଚାର କାଁ ଭାଁ ଦୃଷ୍ଟିଗୋଚର ହୋଇଛି। ଏପରିକି ଏହି ଅମାନତ ପରାଜୟ ପରେ ନାମାଙ୍କନ ପୂର୍ବରୁ ବହୁ ସ୍ଥାନରେ ବିଜେପି ଏବଂ କଂଗ୍ରେସକୁ ପ୍ରାର୍ଥୀ ମିଳିବା କଷ୍ଟକର ହୋଇ ପଡିଥିଲା। ଯେନତେଣ ପ୍ରକାରେଣ ପ୍ରାର୍ଥୀ ଯୋଗାଡ କରିଥିଲେ ହେଁ କେତେକ ସ୍ଥାନରେ ଟିକେଟ ପାଇ ନାମାଙ୍କନ ଦାଖଲ କରିଥିବା ବିରୋଧୀ ଦଳର ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଥିବା ଭଳି ଘଟଣା ପଶ୍ଚିମ ଓଡିଶାରେ ସାମ୍ନାକୁ ଆସିଛି।

ଏହି ପରିପ୍ରେକ୍ଷୀରେ ହତୋତ୍ସାହିତ କର୍ମୀଙ୍କୁ ନେଇ କିପରି ପୌର ଲଢେଇ ଲଢିବେ ସେନେଇ ଚିନ୍ତାରେ ବିଜେପି ଓ କଂଗ୍ରେସର ଶୀର୍ଷ ନେତା ପଡିଯାଇଛନ୍ତି। ଅପରପକ୍ଷେ, ବିଜେଡିର ସବୁ ପୌରାଞ୍ଚଳରେ କାଉନସିଲରରୁ ଆରମ୍ଭ କରି ଅଧ୍ୟକ୍ଷ ପର୍ଯ୍ୟନ୍ତ ପଦ ପାଇଁ ଟିକେଟ୍ ଆଶାୟୀଙ୍କ ଲମ୍ବା ତାଲିକା ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ, ଦଳୀୟ ହାଇକମାଣ୍ଡ ସ୍ବଚ୍ଛ ଭାବମୂର୍ତ୍ତି ଥିବା ବ୍ୟକ୍ତିମାନଙ୍କୁ ହିଁ ଏଥର ପୌର ଭୋଟରେ ଛିଡା କରାଇଥିବା ବେଳେ ଏଥିରେ ବି ଏକପାଖିଆ ବିଜୟ ସୁନିଶ୍ଚିତ ବୋଲି ଦଳୀୟ ନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି।

ସବୁଠୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ, ପଶ୍ଚିମ ଓଡିଶାର ସମସ୍ତ ସାଂସଦ ବିଜେପି ଦଳର ଥିବା ବେଳେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ଉପସଭାପତି ନାଉରୀ ନାଏକ, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓଙ୍କ ପରି ବହୁ ହେଭିୱେଟ୍ ନେତା ରହିଛନ୍ତି। ଏହାସତ୍ତ୍ବେ ହତାଶ କର୍ମୀଙ୍କୁ ନେଇ ପୌର ଭୋଟ୍ ପ୍ରଚାରକୁ ସରଗରମ କରିପାରିନଥିବା ଚର୍ଚ୍ଚା ଜୋର ଧରିଛି।

Comments are closed.