ଶେଷରେ ଆଖି ବୁଜିଲେ ଯୋଡା କନ୍ୟା

ସମ୍ବଲପୁର : ସମ୍ବଲପୁର ସଦର ଡାକ୍ତରଖାନାରେ ଗତକାଲି ସନ୍ଧ୍ୟାରେ ଯୋଡି ହୋଇ ଦୁଇ ଶିଶୁ କନ୍ୟା ଜନ୍ମ ନେବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ, ଆଜି ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟ ଶିଶୁଙ୍କ ମୃତୁୟ ହୋଇଯାଇଥିବା ଜଣାପଡିଛି। ଏହାକୁ ନେଇ ପରିବାରରେ ଶୋକର ଛାୟା ଖେଳି ଯାଇଛି।

ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ରେଙ୍ଗାଲି ଅଞ୍ଚଳରୁ ଆସିଥିବା ଜଣେ ଗର୍ଭବତୀଙ୍କୁ ଚିକିତ୍ସା ପାଇଁ ଗତକାଲି ଏମସିଏଚରେ ଭର୍ତ୍ତି କରାଯାଇଥିଲା। ପରେ ସନ୍ଧ୍ୟା ପ୍ରାୟ 6ଟା ସମୟରେ ମହିଳା ଜଣକ ଦୁଇଟି କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଉଭୟଙ୍କ ଜନ୍ମ ନର୍ମାଲ ହୋଇଥିଲା। ତେବେ ବିଡମ୍ବନା ହେଲା ଉଭୟ ଶିଶୁଙ୍କ ହାତ, ଗୋଡ ଓ ମୁଣ୍ଡ ଅଲଗା ରହିଥିଲେ ମଧ୍ୟ ବେକଠାରୁ ପେଟ ପର୍ଯ୍ୟନ୍ତ ଯୋଡି ହୋଇ ରହିଥିଲା। ସମ୍ବଲପୁର ଡାକ୍ତରଖାନାରେ ଏଭଳି ଯୋଡା ଶିଶୁ ଜନ୍ମ ହେବା ପ୍ରଥମ ଘଟଣା ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ନେଇ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ମଧ୍ୟ ଆଲୋଡନ ସୃଷ୍ଟି ହୋଇଥିଲା। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବଞ୍ଚାଇବା ପାଇଁ ବର୍ତ୍ତମାନ ଏସଏନସିୟୁରେ ରଖାଯିବା ସହ ବୁର୍ଲା ସ୍ଥାନାନ୍ତର କରିବାକୁ ସମସ୍ତ ଉଦ୍ୟମ କରାଯାଉଥିଲା। ହେଲେ ପରିବାର ଲୋକେ ବୁର୍ଲା ଯିବାକୁ ଅମଙ୍ଗ ହେଉଥିବାରୁ ଶିଶୁଙ୍କୁ ସଦର ଡାକ୍ତରଖାନାର ଏସଏନସିୟୁରେ ରଖି ଚିକିତ୍ସା ଚାଲିଥିଲା। ତେବେ, ଆଜି ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

Comments are closed.