ଗୋପାଳପୁରକୁ ଫେରିବ ସାଂସ୍କୃତିକ ଆକର୍ଷଣ, ବଢ଼ିବ ପର୍ଯ୍ୟଟକଙ୍କ ସମାଗମ

ଗୋପାଳପୁର: ଗୋପାଳପୁର ବେଳାଭୂମି ମହୋତ୍ସବ (ବିଚ୍ ଫେଷ୍ଟ)… ପବ୍ଲିକ୍ ଆର୍ଟସ୍ ଇନ୍ ଗୋପାଳପୁର (ପାଗୋ)… ଆଉ ଏବେ ସଣ୍ଡେ ଏଟ୍ ଗୋପାଳପୁର। କେବଳ ଯେ ପର୍ଯ୍ୟଟକଙ୍କୁ ଆମୋଦିତ କରୁଥିବା ବିସ୍ତୀର୍ଣ୍ଣ ବେଳାଭୂମି, ରୋମାଞ୍ଚକର କ୍ରୀଡ଼ା କୌଶଳ, ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ସୀମିତ ରହିବନି ବେଳାଭୂମି ସହରର ଆକର୍ଷଣ। ଏଥିସହ ଯୋଡ଼ି ହୋଇଯିବ ସାଂସ୍କୃତିକ ବିବିଧତାର ଆମୋଦପ୍ରମୋଦ। ପର୍ଯ୍ୟଟକମାନେ ଖୋଲା ପରିବେଶରେ ସାମୁଦ୍ରିକ ପବନ ପ୍ରବାହ ଉପଭୋଗ କରିବା ସାଙ୍ଗକୁ ମୁକ୍ତାକାଶରେ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନ ଭରି ଆନନ୍ଦରେ ଦେଖି ଶୁଣିପାରିବେ। ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏହି ଅନ୍ତର୍ଜାତୀୟ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳରେ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ‘ସଣ୍ଡେ ଏଟ୍ ଗୋପାଳପୁର’।

କିଛି ବର୍ଷ ତଳ ପର୍ଯ୍ୟନ୍ତ ଗୋପାଳପୁରରେ ଆୟୋଜିତ ହୋଇ ଆସୁଥିଲା ବାର୍ଷିକ ବେଳାଭୂମି ମହୋତ୍ସବ। ସ୍ଥାନୀୟସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ଏପରିକି ଦେଶର ବିଭିନ୍ନ ପ୍ରାନ୍ତରୁ ଭିନ୍ନ ଭିନ୍ନ ସାଂସ୍କୃତିକ ଦଳ ଆସି ପର୍ଯ୍ୟଟକ, ଦେଖଣାହାରୀଙ୍କ ମନୋରଞ୍ଜନ କରୁଥିଲେ। ସାଂସ୍କୃତିକ ସମାଗମର ଉନ୍ନତ ପରିବେଶ ଦେଖିବାକୁ ମିଳୁଥିଲା। ଜମୁଥିଲା ବାଣିଜ୍ୟ ବ୍ୟବସାୟିକ ଓ ହସ୍ତକଳା ତଥା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ପସରା। ଛୁଟି ଆସୁଥିଲେ ହଜାର ହଜାର ଟୁରିଷ୍ଟ। ବର୍ଷର ଶେଷ ଦିନମାନଙ୍କରେ ଆୟୋଜିତ ହେଉଥିବା ଏହି ବିଚ୍ ଫେଷ୍ଟ ଗୋପାଳପୁରକୁ ଆସିବା ପାଇଁ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କୁ ବହୁ ସଂଖ୍ୟାରେ ଆକୃଷ୍ଟ କରୁଥିଲା। ପରବର୍ତ୍ତୀ ସମୟରେ ‘ପାଗୋ’ ସ୍ଥାନୀୟ ଓ ଆଖପାଖ ଅଞ୍ଚଳର କଳାକାର, ସଂସ୍କୃତିପ୍ରେମୀଙ୍କ ପାଇଁ ବିଶେଷ ସୁଯୋଗ ଆଣିଥିଲା। ସର୍ବସାଧାରଣ ବ୍ୟକ୍ତିବିଶେଷ ଏଥିରେ ଭାଗ ନେଇ ନିଜ କଳା ପ୍ରତିଭା ପ୍ରଦର୍ଶନ କରୁଥିଲେ ଯାହାକୁ ଉପଭୋଗ କରୁଥିଲେ ପର୍ଯ୍ୟଟକ ଓ ପରିଭ୍ରମଣକାରୀ। ତେବେ କରୋନା ମହାମାରୀ ଗତ ଦୁଇ ବର୍ଷ ହେବ ଏଥିରେ ବାଧକ ସାଜିଛି। ପର୍ଯ୍ୟଟନ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଥିବା ବେଳେ ବାହାର ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ ବେଶ୍ ହ୍ରାସ ପାଇଛି।

ଏଭଳି ସ୍ଥଳେ ପର୍ଯ୍ୟଟକଙ୍କୁ ପୁଣି ଗୋପାଳପୁର ପ୍ରତି ଆକୃଷ୍ଟ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବେଳାଭୂମିସ୍ଥିତ ସି-ବିଚ୍ ମଣ୍ଡପ ଠାରେ ପୁଣି ଥରେ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ‘ସଣ୍ଡେ ଏଟ୍ ଗୋପାଳପୁର’। ଏପ୍ରିଲ୍ ମାସ ପ୍ରଥମ ରବିବାରରେ ପୁନଃଆରମ୍ଭ ହୋଇଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ। ଏହି ଅବସରରେ ବେଳାଭୂମିକୁ ସଫାସୁତୁରା ଓ ପ୍ଲାଷ୍ଟିକ୍ ଏବଂ ପଲିଥିନମୁକ୍ତ ରଖିବାକୁ ଆହ୍ବାନ ଦେଇଥିଲେ ସେ। କେନ୍ଦ୍ର ସରକାରଙ୍କ ସେଣ୍ଟର ଫର କଲ୍‌ଚୁରାଲ୍ ରିସୋର୍ସସ୍ ଆଣ୍ଡ୍ ଟ୍ରେନିଂ ଦ୍ୱାରା ସ୍ବୀକୃତ ବ୍ରହ୍ମପୁରର ଓଡ଼ିଶୀ ନୃତ୍ୟାୟନର ପ୍ରଶିକ୍ଷାର୍ଥୀଙ୍କ ଦ୍ୱାରା ସୁନ୍ଦର ଓଡ଼ିଶୀ ଏବଂ ସମ୍ବଲପୁରୀ ନାଚ ପରିବେଷଣ କରାଯାଇଥିଲା। ରବିବାର ହେତୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଥିଲା ଓ ସେମାନେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନ ଭରି ଉପଭୋଗ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ– ଗତ କିଛି ସମୟ ମଧ୍ୟରେ ଗୋପାଳପୁରରେ ନିର୍ମିତ ଇକୋ ରିଟ୍ରିଟ୍ ସେଣ୍ଟର (ଶୀଘ୍ର ବିଧିବଦ୍ଧ ଉଦ୍‌ଘାଟିତ ହେବ), କାଠ ପୋଲ, ବିଜୁ ଆଡଭେଞ୍ଚର ପାର୍କ ସମେତ ମିନି ପାର୍କ, ସେଲ୍‌ଫି ପଏଣ୍ଟ, ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଆଦି ଏହି ଏସ୍ଏସିର ରୂପରେଖରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି । ଏହି କାରଣରୁ କରୋନା କଟକଣା ହଟିବା ପରେ ପୁଣି ଥରେ ଏହି ଟୁରିଷ୍ଟ ସିଟିକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି । ଏବେ ସାଂସ୍କୃତିକ ଆକର୍ଷଣ ତାହାକୁ ଦ୍ବିଗୁଣିତ କରିବା ସହ ଭ୍ରମଣକାରୀଙ୍କୁ ଆମୋଦପ୍ରମୋଦର ଅଧିକ ଅବସର ଦେବା ଆଶା କରାଯାଇ ପାରେ।

Comments are closed.