ପାକଶାଳା ଦାୟିତ୍ବ ବି ସମ୍ଭାଳିବେ ଏସଏଚଜି, ଅଗଷ୍ଟରୁ ମାଁଙ୍କ ହାତରନ୍ଧାରେ ମିଳିବ ‘ଆହାର’

ସମ୍ବଲପୁର : ମିଶନ ଶକ୍ତିକୁ ସ୍ବତନ୍ତ୍ର ବିଭାଗର ମାନ୍ୟତା ମିଳିବା ପରେ ମହିଳା ସଶକ୍ତିକରଣ ଦିଗରେ ଗୋଟିଏ ପରେ ଗୋଟିଏ ସଫଳତାର ଫର୍ଦ୍ଦ ଯୋଡି ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ପୂର୍ବରୁ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ରାଜ୍ୟର ସମସ୍ତ ଆହାର କେନ୍ଦ୍ର ପରିଚାଳିତ ହେଉଥିବା ବେଳେ ଆସନ୍ତା ଅଗଷ୍ଟରୁ ଏସ୍ଏଚଜିର ମହିଳାଙ୍କ ଦ୍ବାରା ପାକଶାଳା ବା ରୋଷେଇ ଶାଳା ବି ପରିଚାଳିତ ହେବ। ସମ୍ବଲପୁର ଗସ୍ତରେ ଆସିଥିବା ରାଜ୍ୟ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ତଥା ବିଭାଗୀୟ ଯୁଗ୍ମ ସଚିବ ସାରଦା ପ୍ରସାଦ ପଣ୍ଡା ଏହି ଗୁରୁତ୍ବପୂର୍ଣ ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ମହିଳାମାନେ ଅଧିକ ସଶକ୍ତ ହେବା ସହ ଲୋକଙ୍କୁ ସୁସ୍ବାଦୁ ଭୋଜନ ବି ମିଳିପାରିବ ବୋଲି ସେ ସୂଚନା ଦେଇଛନ୍ତି।

ଗତ ୨୦୧୫ ଅପ୍ରେଲ ପହିଲାରେ ମୁଖ୍ୟମନ୍ତ୍ରୀ ଆହାର କେନ୍ଦ୍ରର ଶୁଭାରମ୍ଭ କରିଥିଲେ। ସହରାଞ୍ଚଳକୁ ବିଭିନ୍ନ ଜରୁରୀ କାମରେ ଆସୁଥିବା ଗରିବ ଲୋକଙ୍କ ପାଇଁ ଏହି ଯୋଜନାର ପରିକଳ୍ପନା କରାଯାଇଥିଲା। ମାତ୍ର ୫ ଟଙ୍କାରେ ଭାତ, ଡାଲମା ଉପଲବ୍ଧ ହେବା ଦ୍ବାରା ରାଜ୍ୟର ଲକ୍ଷ ଲକ୍ଷ ଗରିବ ଲୋକ ଉପକୃତ ହୋଇପାରୁଛନ୍ତି। ବର୍ତ୍ତମାନ ରାଜ୍ୟରେ ୧୬୮ଟି ଆହାର କେନ୍ଦ୍ର ପରିଚାଳିତ ହେଉଛି। ତେବେ, କିଛି ବର୍ଷ ହେଲା ଏହାର ପରିଚାଳନା ଦାୟିତ୍ବକୁ ମିଶନ ଶକ୍ତି ଅଧୀନରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରାଯାଇଛି। ତେବେ, ଏହାର ସଫଳତା ଦେଖି ବର୍ତ୍ତମାନ ରାଜ୍ୟ ସରକାର ସମସ୍ତ ଆହାର କେନ୍ଦ୍ରର ରୋଷଶାଳାର ଦାୟିତ୍ବ ମଧ୍ୟ ଏସ୍ଏଚଜିର ମାଁ ମାନଙ୍କୁ ଦେବାକୁ ସ୍ଥିର କରିଛନ୍ତି ବୋଲି ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ବର୍ତ୍ତମାନ ଏହି ସମସ୍ତ ରୋଷ ଶାଳା ଘରୋଇ ତଥା ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ପରିଚାଳିତ ହେଉଛି। ହେଲେ ଆସନ୍ତା ଅଗଷ୍ଟରୁ ଏହା ଏସ୍ଏଚଜି ହାତକୁ ହସ୍ତାନ୍ତର କରାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଏଥିପାଇଁ ନୂତନ ରୋଷଶାଳା ନିର୍ମାଣ ଓ ମରାମତି କାମ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ଯାୟରେ ୫୫ଟି ରୋଷଶାଳା ନିର୍ମାଣ ଚାଲିଛି। ପ୍ରତି ରୋଷଶାଳା ପିଛା ୨୬ ଲକ୍ଷ ଏବଂ ବାସନ କୁସନ ଆଦି ସାମଗ୍ରୀ ପାଇଁ ଆଉ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଆଯାଉଛି। ଆଗାମୀ ୪ ମାସ ମଧ୍ୟରେ ସମସ୍ତ ରୋଷଶାଳାର ନିର୍ମ।ଣ ଶେଷ ହେବ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.