ଗଞ୍ଜାମ ପୌର ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡିର ବିଜୟ ଯାତ୍ରା: ୧୪ ପୌରାଞ୍ଚଳରେ ଜିତି ଦେଲା ନାରୀ ସଶକ୍ତୀକରଣ ବାର୍ତ୍ତା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଏକମାତ୍ର ପୌରପାଳିକା ହିଞ୍ଜିଳିକାଟୁର ଉପାଧ୍ୟକ୍ଷା ପଦରେ ଆସୀନ ହୋଇଛନ୍ତି ବିଜେଡିର ସୁଚିତ୍ରା ପଣ୍ଡା। ଜିଲ୍ଲାରେ ନାରୀ ସଶକ୍ତୀକରଣର ନଜିର ସୃଷ୍ଟି କରିଥିବା ଆସିକା ଏନ୍‌ଏସିରେ ବ୍ଲକ୍‌ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ତଥା ପୌର ଅଧ୍ୟକ୍ଷା ପଦ ପରେ ଉପାଧ୍ୟକ୍ଷା ପଦରେ ମଧ୍ୟ ବିଜୟୀ ହୋଇଛନ୍ତି ବିଜେଡିର ମହିଳା ପ୍ରାର୍ଥୀ ଜୟନ୍ତୀ ବିଷୋୟୀ। ପ୍ରଗତି ପଥରେ ଦ୍ରୁତ ଗତିରେ ଆଗେଇ ଚାଲିଥିବା ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ତଥା ବେଳାଭୂମି ସହର ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷା ସାଜିଛନ୍ତି ଯୁବ ଗୋଷ୍ଠୀର ପ୍ରତିନିଧିତ୍ବ କରୁଥିବା ବି.ଉମା। ଆହୁରି ମଧ୍ୟ ଏହି ତାଲିକାରେ ଯୋଡ଼ି ହୋଇଯିବେ ବେଲଗୁଣ୍ଠାର ଟି.ବବିତା ପାତ୍ର, ଭଞ୍ଜନଗରର ଶୁଭଶ୍ରୀ ଦାସ, ବୁଗୁଡ଼ାର ଗୀତାଞ୍ଜଳି ପାଢୀ, ଖଲ୍ଲିକୋଟର ଲିଲି ସାହୁ ଓ ସୋରଡ଼ାର ଭାଗ୍ୟଲତା ଡାକୁଆ। ଏମାନଙ୍କ ମଧ୍ୟରେ ସମାନତା ଏୟା ଯେ- ଗଞ୍ଜାମ ଜିଲ୍ଲାର ପୌର ଉପାଧ୍ୟକ୍ଷ \ ଉପାଧ୍ୟକ୍ଷା ନିର୍ବାଚନ ହୋଇଥିବା ୧୭ଟି ସହରାଞ୍ଚଳରୁ ଯେଉଁ ୧୪ଟିରେ ବିଜେଡି ବିଜୟୀ ହୋଇଛି ସେଥିରୁ ଏହି ୮ ଜଣ ହେଉଛନ୍ତି ବିଜେଡି ପୌର ଉପାଧ୍ୟକ୍ଷା ବିଜେତା। ଅର୍ଥାତ୍ ଏହି ଭାଇସ୍‌ ଚେୟାର୍‌ମ୍ୟାନ୍‌ ନିର୍ବାଚନରେ ନାରୀ ସଶକ୍ତୀକରଣର ଏକ ଶକ୍ତ ଓ ବ୍ୟାପକ ବାର୍ତ୍ତା ପ୍ରଦାନ କରିଛି ଶାସକ ଦଳ।

ବ୍ରହ୍ମପୁରକୁ ବାଦ୍ ଦେଲେ ଗଞ୍ଜାମ ଜିଲ୍ଲାର ଅବଶିଷ୍ଟ ୧୬ଟି ଏନ୍‌ଏସି ଥିବା ବେଳେ ଗୋଟିଏ ପୌରପାଳିକା ରହିଛି। ପୌର ଉପାଧ୍ୟକ୍ଷ / ଉପାଧ୍ୟକ୍ଷା ନିର୍ବାଚନରେ ବିଜେଡି ସେଥିରୁ ୧୪ଟିରେ ବିଜୟ ଲାଭ କରିଛି । ଉପରୋକ୍ତ ସହରଗୁଡ଼ିକ ବ୍ୟତୀତ ଛତ୍ରପୁରରେ ଜି.ପାପା ରାଓ, ଚିକିଟିରେ ଦୁର୍ଗାପ୍ରସାଦ ଦେଓ, ଗଞ୍ଜାମରେ ସୁରେନ୍ଦ୍ର ବାରିକ, କବିସୂର୍ଯ୍ୟନଗରରେ ବିକ୍ରାନ୍ତ କୁମାର ସାହୁ, ପୋଲସରାରେ ସନ୍ତୋଷ କୁମାର ବେହେରା ଓ ପୁରୁଷୋତ୍ତମପୁରରେ କୃଷ୍ଣଚନ୍ଦ୍ର ପଣ୍ଡା ବିଜେଡି ଉପାଧ୍ୟକ୍ଷ ହୋଇଛନ୍ତି। ଦିଗପହଣ୍ଡିରେ କଂଗ୍ରେସ, ରମ୍ଭା ଓ କୋଦଳାରେ ବିଜେପିରୁ ଉପାଧ୍ୟକ୍ଷ ବା ଉପାଧ୍ୟକ୍ଷା ହୋଇଛନ୍ତି। ଆଶା ମୁତାବକ ବିଜେଡି ଗୋଟିଏ ପରେ ଗୋଟିଏ ନିର୍ବାଚନରେ ତାର ବିଜୟ ଯାତ୍ରା ଜାରି ରଖିପାରିଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନରେ ମଧ୍ୟ ବିଜେଡି ଏତେ ବିପୁଳ ମାତ୍ରାରେ ବିଜୟ ହାସଲ କରିଛି ଯେ, ତାହାର ଚମକ ଆଗରେ ବିରୋଧୀ ଦଳଙ୍କ ସ୍ଥିତି ସମ୍ପୂର୍ଣ୍ଣ ଫିକା ପଡ଼ିଯାଇଛି।

ବିଜେଡି ଜିତିଥିବା ୧୪ରୁ ଅର୍ଦ୍ଧାଧିକ ଅର୍ଥାତ୍ ୮ଟି ସ୍ଥାନରେ ମହିଳାଙ୍କୁ ପ୍ରାର୍ଥୀ କରି ଦଳୀୟ ଆଭିମୁଖ୍ୟକୁ ଅଧିକ ମଜବୁତ୍ କରିପାରିଛି। ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ନିଜର ରାଜନୈତିକ ଏଜେଣ୍ଡା କରିଥିବା ବିଜେଡି କେବଳ ଯେ କଥା କି କାଗଜକଲମରେ ନୁହେଁ, ବରଂ ବାସ୍ତବରେ ସବୁ କ୍ଷେତ୍ରରେ ଓ ସବୁ ସମୟରେ ଏହାକୁ ବାସ୍ତବ କରି ଦେଖାଇ ଆସୁଛି। ଉଲ୍ଲେଖନୀୟ ଭାବେ ଆସିକାରେ ଏହା ପୂର୍ବରୁ ସାଂସଦ ଓ ବିଧାୟିକା, ବ୍ଲକ୍ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ବିଜେଡିରୁ ଜିତିଥିବା ବେଳେ ଏବେ ପୌର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ପଦରେ ମଧ୍ୟ ବିଜେଡିର ମହିଳା ପ୍ରାର୍ଥୀ ଜିତାପଟ କରିଛନ୍ତି।

ଦଳୀୟ କାଉନସିଲର୍‌ଙ୍କ ସ୍ଥିତିକୁ ଦେଖିଲେ ଜିଲ୍ଲାର ୧୪ଟି ସହରାଞ୍ଚଳରେ ବିଜେଡି ଜିତିବା ଥୟ ଥିଲା। ଭଞ୍ଜନଗର, ବେଲଗୁଣ୍ଠା, ଚିକିଟିର ସମସ୍ତ ୱାର୍ଡରେ ବିଜେଡି କାଉନସିଲର୍ ବିଜୟୀ ହୋଇଥିଲେ। ଦିଗପହଣ୍ଡି, ରମ୍ଭା ଓ କୋଦଳା ବାଦେ ଅନ୍ୟ ସବୁ ସ୍ଥାନରେ ବିଜେଡିର ଆଖିଦୃଶିଆ ସଂଖ୍ୟାଗରିଷ୍ଠତା ଥିଲା। ଏଣୁ ଅଧିକାଂଶ ସ୍ଥାନରେ ଅପ୍ରତିଦ୍ବନ୍ଦ୍ବୀ ଭାବେ ବିଜେଡି ହାତେଇଛି ଏନ୍‌ଏସି ବା ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ପଦ। ଗଞ୍ଜାମ ଓ ପୁରୁଷୋତ୍ତମପୁରରେ ସ୍ବାଧୀନ ପ୍ରାର୍ଥିନୀ ପୌରାଧ୍ୟକ୍ଷା ହୋଇଥିଲେ ହେଁ ସଂଖ୍ୟାଧିକ ବିଜେଡି କାଉନସିଲର୍ ଥିବାରୁ ଅତି ସହଜରେ ପୌର ଉପାଧ୍ୟକ୍ଷ ପଦରେ ବିଜେଡି ଜିତି ପାରିଛି। ଛତ୍ରପୁରରେ ବିଜେପି ପୌରାଧ୍ୟକ୍ଷା ପଦ ହାତେଇବାରେ ସକ୍ଷମ ହୋଇଥିଲେ ହେଁ ଉପାଧ୍ୟକ୍ଷ ପଦ ବିଜେଡି ନିକଟକୁ ଆସିଛି। ଉଲ୍ଲେଖଯୋଗ୍ୟ ଯେ- ଏହି ୧୭ଟି ସହରାଞ୍ଚଳ ମଧ୍ୟରୁ ଆସିକା, ବେଲଗୁଣ୍ଠା, ଭଞ୍ଜନଗର, ବୁଗୁଡା, ଚିକିଟି, ଗୋପାଳପୁର, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ପୋଲସରା, ସୋରଡା ଓ ହିଞ୍ଜିଳିକାଟୁ ଆଦି ୧୧ଟି ପୌରାଞ୍ଚଳରେ ବିଜେଡି ପୂର୍ବରୁ ହିଁ ଅଧ୍ୟକ୍ଷ | ଅଧ୍ୟକ୍ଷା ପଦ ହାତେଇସାରିଛି। ନିଜ ଜୟଯାତ୍ରାକୁ ସଫଳତାର ସହ ଜାରି ରଖିପାରିଛି ବିଜେଡି।

Comments are closed.