ଏମକେସିଜିରେ ଲାପ୍ରୋସ୍କୋପିକ୍ ଚିକିତ୍ସା ପ୍ରଶିକ୍ଷଣ ଭ୍ୟାନ୍

ବ୍ରହ୍ମପୁର: ଅତ୍ୟାଧୁନିକ ମେସିନ୍ ସହାୟତାରେ ଲାପ୍ରୋସ୍କୋପିକ୍ ଚିକିତ୍ସା ବାବଦ ଉନ୍ନତ ପ୍ରଶିକ୍ଷଣ ପ୍ରଦାନ ସକାଶେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଦୁଇ ଦିନ ପାଇଁ ଆସିଛି ଏକ ସ୍ବତନ୍ତ୍ର ବସ୍। ଏଥିରେ ରହିଥିବା ମେସିନ୍ ଦ୍ବାରା ଜଟିଳ ଚିକିତ୍ସା ଓ ଶରୀରର ସିଲାଇ ସମ୍ପର୍କିତ ଅତ୍ୟାଧୁନିକ ପ୍ରଣାଳୀ ବାବଦରେ ଡାକ୍ତର ଓ ଯୁବ ଚିକିତ୍ସକଙ୍କୁ ତାଲିମ ଦିଆଯାଉଛି। ଏଥିସକାଶେ ବିଭିନ୍ନ ବିଭାଗ ପାଇଁ ନିର୍ଦ୍ଧାରିତ ସମୟସାରଣୀ କରାଯାଇଛି। ବିଶେଷକରି ସ୍ତ୍ରୀ ଓ ପ୍ରସୂତି ବିଭାଗ, ସର୍ଜରୀ, ପିଜି ଓ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କୁ ଏହି ବସ୍‌ରେ ଲାପ୍ରୋସ୍କୋପିକ୍ ଚିକିତ୍ସା ବାବଦ ତାଲିମ ଦିଆଯାଉଛି।

ଜନ୍‌ସନ୍ କମ୍ପାନୀ ଦ୍ବାରା ପ୍ରସ୍ତୁତ ତଥା ଅତ୍ୟାଧୁନିକ ସର୍ଜରୀ ସୁବିଧା ସମ୍ବଳିତ ଏହି ବସ୍ ଏମ୍‌କେସିଜି ସୁପର୍ ସ୍ପେଶିଆଲିଟି ବ୍ଲକ୍ ପରିସରରେ ରହିଛି। ସୋମବାର ପୂର୍ବାହ୍ନରେ ଏମ୍‌କେସିଜି ଡିନ୍ ପ୍ରଫେସର ଡା. ଅବନୀକାନ୍ତ ମିଶ୍ର, ଅଧିକ୍ଷକ ପ୍ରଫେସର୍ ଡା. ସନ୍ତୋଷ ମିଶ୍ର, ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର୍ ଡା. ଚରଣ ପଣ୍ଡା, ସ୍ତ୍ରୀ ଓ ପ୍ରସୂତି ବିଭାଗ ବରିଷ୍ଠ ଡାକ୍ତର ପ୍ରଫେସର୍ ଭାରତୀ ମିଶ୍ର ପ୍ରମୁଖଙ୍କ ଉପସ୍ଥିତିରେ ଏହି ବସ୍‌ର ଉଦ୍‌ଘାଟନ କରାଯାଇ ଥିଲା। ଜନ୍‌ସନ୍‌ କମ୍ପାନୀ ତରଫରୁ ମାଷ୍ଟର ଟ୍ରେନର ଶମ୍ଭୁନାଥ ଝା ଉପସ୍ଥିତ ଥିଲେ। ଯୁବ ଡାକ୍ତରଙ୍କ ପ୍ରଶିକ୍ଷଣ ପାଇଁ ଏହା ଏକ ଅଭିନବ ପ୍ରୟାସ। ଏକ ଷ୍ଟିମୁଲେଟର୍ ମେସିନ୍ ଦ୍ଵାରା ଶରୀର ମଧ୍ୟରେ ଷ୍ଟିଟିଂ, ନିଟିଂ ଆଦି ପ୍ରଶିକ୍ଷଣ ଦିଅଆଯିବ ବୋଲି ଡା. ଚରଣ ପଣ୍ଡା କହିଛନ୍ତି।

Comments are closed.