ସୋରଡ଼ାରୁ ପୁରୀକୁ ପଠାଗଲା ରଥ କାଠ

ସୋରଡ଼ା: ଜଗତର ନାଥଙ୍କ ଘୋଷ ଯାତ୍ରାରେ ସାମିଲ ହେବ ଗଞ୍ଜାମ ଜିଲ୍ଲା ସୋରଡ଼ାର ସାମଗ୍ରୀ। କାରଣ ପ୍ରଥମଥର ପାଇଁ ସୋରଡ଼ା ନିକଟ ପଣ୍ଡାଖୋଲ ଜଙ୍ଗଲରୁ ରଥ ନିର୍ମାଣ ନିମନ୍ତେ ଉଦ୍ଦିଷ୍ଟ କାଠ କଟାଯାଇ ପୁରୀକୁ ପଠାଯାଇଛି। ଅକ୍ଷୟ ତୃତୀୟା ତିଥିରେ ଆରମ୍ଭ ହେବ ବଡ଼ ଠାକୁରଙ୍କ ସମେତ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କ ଘୋଷଯାତ୍ରା ସକାଶେ ରଥ ନିର୍ମାଣ କାର୍ଯ୍ୟ। ତାର ଠିକ୍ ଦିନକ ପୂର୍ବରୁ ଶ୍ରୀକ୍ଷେତ୍ର ଧାମକୁ ଏହି ରଥ କାଠ ପଠାଯାଇଛି। ଆରମ୍ଭରୁ ବିଭିନ୍ନ ସ୍ଥାନରେ ଭକ୍ତମାନେ ଶ୍ରଦ୍ଧା ଭାବ ସହ ରଥ କାଠକୁ ପୂଜାର୍ଚ୍ଚନା କରି ଆଗକୁ ଆଗକୁ ପଠାଇଛନ୍ତି।

ବନ ବିଭାଗ ଅନୁମତିକ୍ରମେ ରଥ ନିର୍ମାଣ ସକାଶେ ଉପଯୁକ୍ତ ୫୪ ଖଣ୍ଡ କାଠକୁ ଏକ ଟ୍ରଲର୍ ଯୋଗେ ସୋମବାର ସକାଳୁ ପୁରୀ ଅଭିମୁଖେ ପଠାଯାଇଛି। ଯାତ୍ରାରମ୍ଭ ପୂର୍ବରୁ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲୀପ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ। ଭକ୍ତଜନଙ୍କ ଗହଣରେ ରଥକାଠକୁ ପୂଜା କରାଯାଇ ପୁରୀ ଅଭିମୁଖେ ଯାତ୍ରାରମ୍ଭ କରାଯାଇ ଥିଲା। ସୋରଡ଼ା ବନାଞ୍ଚଳରୁ ପୁରୀକୁ ପ୍ରଥମ ଥର ପାଇଁ କାଠ ଯାଉଥିବା ସୂଚନା ଦେଇଛନ୍ତି ଡିଏଫଓ। ସେହିପରି ଏଠାରୁ ରଥ କାଠ ମିଳିବା ଅଞ୍ଚଳବାସୀଙ୍କ ପାଇଁ ପବିତ୍ର ସୁଯୋଗ ବୋଲି ମତବ୍ୟକ୍ତ କରିଛନ୍ତି ସୋରଡ଼ା ବିଧାୟକ।

Comments are closed.